ବିଶ୍ବବିଦ୍ୟାଳୟ ନାମଲେଖାରେ ଆସିବ ସଂସ୍କାର, ୨୦୨୦ରୁ ଏକକ ପ୍ରବେଶିକା ପରୀକ୍ଷା

ଜୁନ୍‌ ୧୫ ସୁଦ୍ଧା ସ୍ନାତକ‌ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦେଶ, ପରୀକ୍ଷାର ଦୁଇ ମାସ ଆଗରୁ ଘୋଷଣା ହେବ ତାରିଖ

ଭୁବନେଶ୍ବର: ଦେଢ଼ ବର୍ଷର ମାନସମନ୍ଥନ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷଠାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ଗୋଟିଏ ସମୟରେ ପରୀକ୍ଷା ହେବ। ଗୋଟିଏ ସମୟରେ ମେଧାବୀ ତାଲିକା ପ୍ରକାଶ ପାଇବ। ଏକ ସମୟରେ ସମସ୍ତ ବିଶ୍ବବିଦ୍ୟାଳୟରେ ନାମଲେଖା ସହ ପାଠପଢ଼ା ମଧ୍ୟ ଆରମ୍ଭ ହେବ। କୌଣସି ବି ପରିସ୍ଥିତିରେ ଧାର୍ଯ୍ୟ ସମୟରେ ବିଳମ୍ବ କରାଯିବ ନାହିଁ। ଏହାଦ୍ବାରା ନାମଲେଖା ଲାଗି ହେଉଥିବା ପ୍ରବେଶିକା ପରୀକ୍ଷାରେ ସ୍ବଚ୍ଛତା ଆସିବା ସହ ଛାତ୍ରଛାତ୍ରୀ ଖର୍ଚ୍ଚାନ୍ତରୁ ମୁକ୍ତି ପାଇପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ନିଷ୍ପତ୍ତି ଅନୁଯାୟୀ ଜୁନ୍‌ ୧୫ ତାରିଖ ସୁଦ୍ଧା ସମସ୍ତ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଯୁକ୍ତ୩ ଶେଷ ବର୍ଷ ତଥା ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଉଭୟ ରେଗୁଲାର ଓ ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶ କରିବେ। ଶେଷ ବର୍ଷ ସମେତ ପ୍ରଥମ ଓ ଦ୍ବିତୀୟ ବର୍ଷରେ ଅନୁଷ୍ଠିତ ସେମିଷ୍ଟାର ପରୀକ୍ଷାଗୁଡ଼ିକର ଫଳ ମଧ୍ୟ ଏହି ସମୟ ସୀମା ମଧ୍ୟରେ ବାହାର କରିବେ। ସେହି ଅନୁଯାୟୀ ମେ’ ୧୫ ତାରିଖ ମଧ୍ୟରେ ସମସ୍ତ ସେମିଷ୍ଟାର ପରୀକ୍ଷା ସାରିବାକୁ ବିଶ୍ବବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକମାନଙ୍କୁ କୁହାଯାଇଛି। ପିଜି ନାମଲେଖା ଲାଗି ଜୁଲାଇ ୧୫ ସୁଦ୍ଧା ପ୍ରବେଶିକା ପରୀକ୍ଷା ଶେଷ ହେବ। ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ସମେତ ଅନ୍ୟ କେତେକ ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ପ୍ରବେଶିକା ପରୀକ୍ଷାର ୭୦ ପ୍ରତିଶତ ମାର୍କ ଓ କ୍ୟାରିଅରର ୩୦ ପ୍ରତିଶତ ମାର୍କକୁ ହିସାବକୁ ନିଆଯାଇ ରାଜ୍ୟସ୍ତରରେ ମେଧାବୀ ତାଲିକା ପ୍ରକାଶ ପାଇବ। ସେହି ଅନୁଯାୟୀ ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବେ। କୁଳପତିମାନେ ସାମ୍‌ସ ଅଧିକାରୀଙ୍କ ସହ ଆଲୋଚନା କରି ଫି’ ନିର୍ଦ୍ଧାରଣ, ପ୍ରବେଶିକା ପରୀକ୍ଷା ତାରିଖ, ପରୀକ୍ଷାର ଢାଞ୍ଚା, ମଡେଲ ପ୍ରଶ୍ନପତ୍ର, ପରୀକ୍ଷା ଫଳ ପ୍ରକାଶ ତାରିଖ ଆଦି ଉପରେ ଆଲୋଚନା କରି ପଦକ୍ଷେପ ନେବାକୁ କୁହାଯାଇଛି।

ବିଶ୍ବବିଦ୍ୟାଳୟ ଓ ଏହା ଅଧୀନରେ ଥିବା କଲେଜଗୁଡ଼ିକରେ ବର୍ଷକୁ ଯେମିତି ଅତି କମ୍‌ରେ ୧୮୦ ଦିନର ପାଠପଢ଼ା ହେବ ତାହା ସୁନିଶ୍ଚିତ କରିବାକୁ ବିଶ୍ବବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପରୀକ୍ଷାର ଦୁଇ ମାସ ଆଗରୁ ସ୍ନା‌ତକ ଓ ସ୍ନାତକୋତ୍ତର ପରୀକ୍ଷାର ତାରିଖ ଘୋଷଣା କରିବା, ସମସ୍ତ ବିଶ୍ବବିଦ୍ୟାଳୟରେ ପରୀକ୍ଷା ପରିଚାଳନା ବ୍ୟବସ୍ଥା ଲାଗୁ କରିବାକୁ ବି ପରାମର୍ଶ ଦିଆଯାଇଛି। ଯୁକ୍ତ ୩ ମହାବିଦ୍ୟାଳୟର ଷଷ୍ଠ ସେମିଷ୍ଟାର ପରୀକ୍ଷା କେବେ ହେବ ସେନେଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକମାନେ ଆସନ୍ତା ୭ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ଲିଖିତ ଆକାରରେ ଜଣାଇବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସମସ୍ତ ବିଶ୍ବବିଦ୍ୟାଳୟରେ ଉତ୍ତର ଖାତା କୋଡିଂ ବ୍ୟବସ୍ଥା ଲାଗୁ ହେବ। ଏବେ କେବଳ ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଏହି କୋଡିଂ ବ୍ୟବସ୍ଥା ଲାଗୁ ହୋଇଛି। ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକ ତୁରନ୍ତ ଏହାକୁ ଲାଗୁ କରିବାକୁ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାଶ କହିଛନ୍ତି।

ଆଉ ଏକ ନିଷ୍ପତ୍ତିକ୍ରମେ ୟୁଜି ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଡେଲ୍‌ ପ୍ରଶ୍ନପତ୍ର ବ୍ୟାଙ୍କ(ଏମ୍‌କ୍ୟୁବି) ପ୍ରତିଷ୍ଠା କରାଯିବ। ଏଥିରେ ଉତ୍ତର ବି ରହିବ। ପ୍ରତି ଅନର୍ସ ପାଠ୍ୟକ୍ରମ(କୋର, ଡିଏସ୍‌ସି, ଜିଇ)ରେ ୧୬ଟି ଭିନ୍ନ ଭିନ୍ନ ସେଟ୍‌(୪ ୟୁନିଟ୍‌ରୁ ୪ଟି ପ୍ରକାରର) ପ୍ରଶ୍ନପତ୍ର ରହିବ। ୨୦୨୦ ମାର୍ଚ୍ଚ ପହିଲା ସୁଦ୍ଧା ପ୍ରତି ସେଟ୍‌ରେ ପାଖାପାଖି ୧୦୦ ପ୍ରଶ୍ନପତ୍ର ରଖିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନଗୁଡ଼ିକ ବିଶ୍ଳେଷଣାତ୍ମକ, ତଥ୍ୟଭିତ୍ତିକ, ବଣ୍ଣନାତ୍ମକ ହେବ। ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ଏମ୍‌କ୍ୟୁବିକୁ ପ୍ରଶ୍ନପତ୍ର ଯୋଗାଇ ଦେବେ। କୁଳପତିମାନେ ଏଦିଗରେ ଅଧିକ ଗୁରୁତ୍ବ ଦେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ନିର୍ଦେଶ ଦେଇଛନ୍ତି। ଇମେଜ୍‌ ସମ୍ମିଳନୀ କକ୍ଷରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ବୈଠକ ଓ କୁଳପତିମାନଙ୍କ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ହୋଇଛି। ଏଥିସହ ସମସ୍ତ ବିଶ୍ବବିଦ୍ୟାଳୟକୁ ଡିଜିଟାଲ କରିବା, ପାଠାଗାର ଓ ଲାବରେଟୋରିକୁ ସୁଦୃଢ଼ କରିବା, ନାକ୍‌ ମାନ୍ୟତା, ଏନ୍‌ଆଇଆରଏଫ୍‌ ଓ ବିଶ୍ବସ୍ତରୀୟ ମାନ୍ୟତା ପାଇଁ ଉଦ୍ୟମ କରିବା, ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବା, ରୁସା ପାଣ୍ଠିର ବିନିଯୋଗ ଆଦି ବିଷୟରେ ବି ଆଲୋଚନା କରାଯାଇଥିଲା। ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କ ସମେତ ସଚିବ ଶ୍ରୀ ମିଶ୍ର, ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଦାଶ ଉପସ୍ଥିତ ଥିଲେ। ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକ ମଧ୍ୟ ସମ୍ମିଳନୀରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର