ଯୁକ୍ତ୨ରେ ଲକ୍ଷେ ୨୦ ହଜାର ସିଟ୍ ଖାଲି : ବିଜ୍ଞାନ ବିଭାଗରେ ୬୦ ହଜାର ସିଟ୍ ବଳକା, ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବିଳମ୍ବକୁ ନେଇ ଅସନ୍ତୋଷ
ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ଖାଲିପଡ଼ିଛି ଲକ୍ଷେ ୨୦ ହଜାର ସିଟ୍। ହେଲେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ବାହାରୁନି। ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ସମେତ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇପାରି ନ ଥିବା ଛାତ୍ରଛାତ୍ରୀ ବିଜ୍ଞପ୍ତିକୁ ଚାହିଁ ବସିଛନ୍ତି। ଏ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଇତି ମଧ୍ୟରେ ଯୁକ୍ତ୩ କଲେଜଗୁଡ଼ିକ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ୨୦୦୩ଟି ଯୁକ୍ତ୨ କଲେଜର କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ୪ ଲକ୍ଷ ୪୮ ହଜାର ୭୯୮ ସିଟ୍ରେ ନାମଲେଖା ହେଉଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଆହୁରି ୧ଲକ୍ଷ ୨୦ହଜାର ୩୬୦ ସିଟ୍ ଖାଲି ପଡ଼ିଛି। କଳା ବିଭାଗରେ ୨ ଲକ୍ଷ ୩୬ ହଜାର ୮୯୪ ସିଟ୍ ମଧ୍ୟରୁ ୨୪ ହଜାର ୯୦୯ ସିଟ୍ ବଳକା ରହିଛି। ବିଜ୍ଞାନ ବିଭାଗରେ ୧ ଲକ୍ଷ ୪୩ ହଜାର ୩୭୮ ସିଟ୍ ମଧ୍ୟରୁ ୬୦ ହଜାର ୫୦୩, ବାଣିଜ୍ୟରେ ୪୫ ହଜାର ୪୧୧ ସିଟ୍ ମଧ୍ୟରୁ ୨୪ ହଜାର ୨୭ଟି, ସଂସ୍କୃତ ବିଭାଗରେ ୧୨ ହଜାର ୩୬ଟି ସିଟ୍ ମଧ୍ୟରୁ ୪ ହଜାର ୮୨୮ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୧୧ ହଜାର ୮୮ ସିଟ୍ ମଧ୍ୟରୁ ୬ ହଜାର ୯୩ ସିଟ୍ ଖାଲି ପଡ଼ିଛି। କୌଣସି ଜିଲ୍ଲାରେ ଶତ ପ୍ରତିଶତ ସିଟ୍ ପୂରଣ ହୋଇ ନ ଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଏକ ହଜାରରୁ କମ୍ ସିଟ୍ ଖାଲିରହିଛି।
ମାଟ୍ରିକ୍ ସପ୍ଲିମେଣ୍ଟାରିରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରଥମ ପର୍ଯ୍ୟାୟ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରିଛନ୍ତି। ଅଭିଭାବକମାନେ ମଧ୍ୟ ସୋସିଆଲ୍ ମିଡିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ ନାମଲେଖା କରା ନ ଗଲେ ଯୁକ୍ତ୨ ପାଠପଢ଼ାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହେବେ ବୋଲି ସେମାନେ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଖୁବ୍ଶୀଘ୍ର ବିଜ୍ଞପ୍ତି ବାହାରିବ। ରାଜ୍ୟର କିଛି ସ୍ଥାନରେ ଯୁକ୍ତ୨ କଲେଜଗୁଡିକରେ ସିଟ୍ ପୂରଣ ହୋଇଥିବାରୁ ସେଠାରେ ସିଟ୍ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ପୂର୍ବବର୍ଷଗୁଡ଼ିକରେ ଯେଉଁ କଲେଜରେ ସିଟ୍ ପୂରଣ ହୋଇଥିଲା, ପରେ ସେଠାରେ ୨୫ ପ୍ରତିଶତ ସିଟ୍ ବୃଦ୍ଧି କରାଯାଇ ନାମଲେଖା ହୋଇଥିଲା।
ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରୁ ଯୁକ୍ତ୨ କଲେଜଗୁଡ଼ିକରେ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଛି। ଯଦି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ବିଳମ୍ବ ହେବ, ତେବେ ପଛରେ ନାମଲେଖାଇବାକୁ ଥିବା ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେବେ।