କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡକ୍ଟର ଆମ୍ବେଦକର ସେଣ୍ଟର ଅଫ୍ ଏକ୍ସଲେନ୍ସ (ଡିଏସିଇ)ରେ ଗତ ୧୦ ତାରିଖ ଠାରୁ ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ଦେୟମୁକ୍ତ ୟୁପିଏସସି କୋଚିଂର ଦ୍ୱିତୀୟ ବ୍ୟାଚ୍ ପାଇଁ ଅନଲାଇନ୍ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଯୋଜନା ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ଏବଂ ନୋଡାଲ ଏଜେନ୍ସି ଡକ୍ଟର ଆମ୍ବେଦକର ଫାଉଣ୍ଡେସନ, ନୂଆଦିଲ୍ଲୀ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ନୂଆଦିଲ୍ଲୀସ୍ଥିତ ଡ. ଆମ୍ବେଦକର ଫାଉଣ୍ଡେସନ ମଧ୍ୟରେ ଗତବର୍ଷ ଡିସେମ୍ବର ୨୨ ତାରିଖରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ବିଶ୍ୱବିଦ୍ୟାଳୟ ତରଫରୁ କୁଳ ସଚିବ ପ୍ରଫେସର ଏନ୍ ସି ପଣ୍ଡା ଏବଂ ଡ. ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ନିର୍ଦ୍ଦେଶକ ଡ. ସିଦ୍ଧ କୁମାର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

Advertisment

ସମୁଦାୟ ସିଟ୍ ସଂଖ୍ୟା ୧୦୦ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ୩୦% ସିଟ୍ ସଂରକ୍ଷିତ ରହିଛି। ଦେୟମୁକ୍ତ କୋଚିଂର ଅବଧି ଏକ ବର୍ଷ ଏବଂ ମନ୍ତ୍ରଣାଳୟ ନାମଲେଖା ହୋଇଥିବା ପ୍ରାର୍ଥୀମାନଙ୍କୁ ମାସିକ ୪୦୦୦/- ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରୁଛି। ଏହା ଏକ ଅଣ-ଆବାସିକ କାର୍ଯ୍ୟକ୍ରମ। ସ୍ନାତକୋତ୍ତରରେ ୫୦% ମାର୍କ ରଖିଥିବା ଏବଂ ପିତାମାତାଙ୍କ ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ଥିବା ପ୍ରାର୍ଥୀ ମାନେ ଆବେଦନ କରିପାରିବେ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡିଏସିଇ, ସମାଜବିଜ୍ଞାନ, ରାଜନୀତି ବିଜ୍ଞାନ ଏବଂ ସାଧାରଣ ଅଧ୍ୟୟନରେ ଦେୟମୁକ୍ତ କୋଚିଂ ପ୍ରଦାନ କରିଥାଏ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ବିକେ ଶ୍ରୀନିବାସ ସଂଯୋଜନା କରିବେ। କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଦେୟମୁକ୍ତ କୋଚିଂ ସୁବିଧା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ । ଏହା ଉତ୍ତମ ମାନର ପ୍ରଶିକ୍ଷଣ ମାଧ୍ୟମରେ ଏସସି ଏବଂ ଓବିସି ପ୍ରାର୍ଥୀମାନଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କର ପ୍ରତିଯୋଗିତାମୂଳକ ଦକ୍ଷତା ବୃଦ୍ଧି ର ଲକ୍ଷ୍ୟ ପୂରଣ କରିବ | ଡ. ଆମ୍ବେଦକର ସେଣ୍ଟର ଅଫ୍ ଏକ୍ସଲେନ୍ସ (ଡିଏସିଇ) ଏସସି ଏବଂ ଓବିସି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୨୫.୦୧.୨୦୨୪ ରହିଛି। ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ www.cuo.ac.in ଏବଂ www.dace.cuo.ac.in ରୁ ଏହି କାର୍ଯ୍ୟକ୍ରମ ବିଷୟରେ ଆଗ୍ରହୀ ପ୍ରାର୍ଥୀମାନେ ଅଧିକ ଜାଣିପାରିବେ ବୋଲି ବିଶ୍ଵବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।