କଲେଜକୁ ପଠାଗଲା ଆଡମିଟ୍‌ କାର୍ଡ

୨୫ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ହାତରେ ଆଉ ମାତ୍ର ୧୦ ଦିନ ଥିବାରୁ ଆଜିଠାରୁ ପରୀକ୍ଷାର୍ଥୀଙ୍କ ଲାଗି ପଠାଯାଇଛି ଆଡମିଟ୍‌ କାର୍ଡ। ଅନ୍‌ଲାଇନ୍‌ ମାଧ୍ୟମରେ କଲେଜଗୁଡ଼ିକୁ କାର୍ଡ ଛଡ଼ାଯାଇଛି। ପରୀକ୍ଷାର୍ଥୀ ସେମାନଙ୍କ ନିଜସ୍ୱ କଲେଜରୁ ଆଡମିଟ୍‌ କାର୍ଡ ସଂଗ୍ରହ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାକ୍ଟିକାଲ ପରୀକ୍ଷା ଲାଗି ଇତିମଧ୍ୟରେ ପରୀକ୍ଷା କେନ୍ଦ୍ର ଚିହ୍ନଟ ସରିଛି। ସରକାରୀ, ଘରୋଇ ଓ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ନିଜସ୍ୱ କ୍ୟାମ୍ପସରେ ପ୍ରାକ୍ଟିକାଲ ପରୀକ୍ଷା କରାଇବେ। ପୂର୍ବରୁ ବିଜ୍ଞାନ ଓ କଳା ବିଭାଗର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ପରୀକ୍ଷା ଥିବା ବେଳେ ଏବେ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଲାଗି କେତେକ ବିଷୟରେ ପ୍ରୋଜେକ୍ଟ ବ୍ୟବସ୍ଥା ରହିଛି। ତାହାକୁ ଦୃଷ୍ଟିରେ ରଖି ପ୍ରତି ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ରରେ ୩୨ ଜଣ ଲେଖାଏ ପିଲାଙ୍କୁ ନେଇ ଗୋଟିଏ ଗ୍ରୁପ୍‌ କରିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ଯେତିକି ଛାତ୍ରଛାତ୍ରୀ ରହିଥିବେ ସେହି ଅନୁଯାୟୀ ଗ୍ରୁପ୍‌ ହେବ। ବାଣିଜ୍ୟ ବିଭାଗରେ ପ୍ରୋଜେକ୍ଟ ପେପର ରହିଥିବାରୁ ଏକ୍ସଟରନାଲ ପରୀକ୍ଷକ ନିଯୁକ୍ତି ହେବେ। ସେହି କଲେଜର ଅଧ୍ୟାପକ ଇଣ୍ଟରନାଲ ପରୀକ୍ଷକ ଭାବେ ନିୟୋଜିତ ରହିବେ।
ପରୀକ୍ଷାର ସୁପରିଚାଳନା ଲାଗି ସବୁ କଲେଜର ଭିତ୍ତିଭୂମି ସୁଦୃଢ଼ କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହାତରେ ଆଉ ମାତ୍ର ୧୦ ଦିନ ରହିଥିବାରୁ ଏଥିପାଇଁ ପରୀକ୍ଷା କେନ୍ଦ୍ର କର୍ତୃପକ୍ଷ ଦୃଷ୍ଟି ଦେବାକୁ କୁହାଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ଲାଗି ଉତ୍ତର ଖାତା ଓ ପ୍ରଶ୍ନପତ୍ରଗୁଡ଼ିକ ୨୦ ତାରିଖରୁ କେନ୍ଦ୍ରରେ ପହଞ୍ଚିବ। ଫେବ୍ରୁଆରି ୫ ଯାଏ ପରୀକ୍ଷା ହେବାକୁ ଥିବାରୁ ଖୁବ୍‌ଶୀଘ୍ର ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର