ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟ : ନିଶା କାରବାର ରୋକିବାକୁ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କର

କଟକ : ନିଶାଦ୍ରବ୍ୟ କାରବାର ଓ ଚୋରା ଚାଲାଣ ‌କ୍ଷେତ୍ରରେ ପୁଲିସ ପ୍ରଶାସନ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରିବା ଆବଶ୍ୟକ। ଏଭଳି କାରବାରରେ ସଂପୃକ୍ତ ବ୍ୟକ୍ତି ଯେଭଳି ବିନା ଦଣ୍ଡରେ ଖସି ନ ଯାଏ‌ ‌ସେ ଦିଗରେ ନ୍ୟାୟପାଳିକା ମଧ୍ୟ କାର୍ଯ୍ୟ କରିବ। ନିଶାଦ୍ରବ୍ୟ ପ୍ରତି ଆସକ୍ତି ଏକ ଅଭିଶାପ। ତେଣୁ ଏହାକୁ କଠୋର ଭାବେ ଦମନ କରିବାର ଆବଶ୍ୟକତା ରହିଛି ବୋଲି ଏକ ମାମଲାର ବିଚାର କରି ହାଇକୋର୍ଟର ବିଚାରପତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏଭଳି ରାୟ ଦେଇଛନ୍ତି।

କଫ୍‌ ସିରପ୍‌ ଚୋରା ଚାଲାଣ ସଂପର୍କିତ ମାମଲାରେ ଦାୟର ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ୍ ପାଣିଗ୍ରାହୀ ରାୟରେ ଉଲ୍ଲେଖ କରିଛନ୍ତି ଯେ ବିଗତ ବର୍ଷଗୁଡିକରେ ନିଶାଦ୍ରବ୍ୟ କାରବାର କାୟା ବିସ୍ତାର କରି ଚାଲିବା ଏକ ଚିନ୍ତାଜନକ ଘଟଣା। ଏବେ ବିଭିନ୍ନ ଔଷଧକୁ ଚିକିତ୍ସା ପାଇଁ କାମରେ ଲଗାଇବା ବଦଳରେ ନିଶାଦ୍ରବ୍ୟ ଭାବେ ବ୍ୟବହାର କରାଯାଉଛି। ଏପରି ଅପବ୍ୟବହାର ଦୃଢ଼ ହସ୍ତରେ ଦମନ କରାଯିବା ଉଚିତ। ଚୋରା ଚାଲାଣ ହେଉଥିବା କଫ୍‌ ସିରପ୍‌ରେ କୋଡେଇନ୍ ଫସଫେଟ୍ ରହିଥିବା ବେଳେ ଡ୍ରଗ୍ସ ଓ କସ୍‌ମେଟିକ୍ସ ଆଇନ ଅନୁସାରେ କୋଡେଇନ ‘ଏଚ’ ବର୍ଗ ଭୁକ୍ତ। ଏହା ମଣିଷ ପାଇଁ କ୍ଷତିକାରକ। କୋଡେଇନ୍ ଥିବା ଔଷଧର ଅପବ୍ୟବହାର କରାଯାଉଛି। ଏହାର କୁପ୍ରଭାବ ଜଣଙ୍କର ସ୍ବାସ୍ଥ୍ୟ, ପାରିବାରିକ, ସାମାଜିକ ସଂପର୍କ ଉପରେ ପଡ଼ିଥାଏ। ଏନଡିପିଏସ ଆଇନରେ କଡ଼ା ବ୍ୟବସ୍ଥା ସତ୍ତ୍ବେ ବିଗତ ଦଶ ବର୍ଷ ଭିତରେ ଦେଶରେ ନିଶାଦ୍ରବ୍ୟ ଚାଲାଣ ସଂପର୍କିତ ଅପରାଧ ହାର ବୃଦ୍ଧି ପାଇଛି। ଏଭଳି ମାମଲାକୁ କଠୋର ଭାବେ ବିଚାର କରାଯିବା ଉଚିତ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ଜାନୁଆରି ୧୭ରେ ବଲାଙ୍ଗୀର ସଦର ଥାନା ପୁଲିସ ଦୁଇଟି କଫ୍‌ ସିରପ୍‌ ବୋତଲ ବୋଝେଇ ଗାଡ଼ି ଜବତ କରିଥିଲା ଓ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହା ଏନ୍‌ଡିପିଏସ୍‌ ଆଇନ ଅନୁସାରେ ବ୍ୟାବସାୟିକ ପରିମାଣଠାରୁ ଅଧିକ। ଏହି କଫ୍‌ ସିରପ୍‌ ଚାଲାଣ ପାଇଁ ଗିରଫ ବ୍ୟକ୍ତିଙ୍କ ନିକଟରେ କୌଣସି ଲାଇସେନ୍ସ ବା ଅନୁମତି ନଥିବା ଜଣା ପଡ଼ିଥିଲା। ଏନ୍‌ଡିପିଏସ୍‌ ଆଇନର ଧାରା ୨୧(ସି) ଓ ୨୯ରେ ମାମଲା ରୁଜୁ କରି ପୁଲିସ ବିକାଶ ଦୁରିଆ ଓ ଅନ୍ୟମାନଙ୍କୁ ଗିରଫ କରିଥିଲା। ବଲାଙ୍ଗୀର ଦୌରା ଜଜ୍ ତଥା ସ୍ବତନ୍ତ୍ର ଜଜ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ଜଣେ ସହଅଭିଯୁକ୍ତକୁ ପୂର୍ବରୁ ହାଇକୋର୍ଟରୁ ଜାମିନ ମିଳିଥିବା ଦୃଷ୍ଟିରୁ ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରିଥିଲେ ବି ଏନ୍‌ଡପିଏସ୍‌ର କଠୋର କାର୍ଯ୍ୟକାରିତା ଉପରେ କୋର୍ଟ ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର