ବହୁ ଚର୍ଚ୍ଚିତ ପୋଷା ବାର୍‌ହା ଢୁର୍ ୩ ଦିନ ହେଲା ନିଖୋଜ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ବହୁ ଚର୍ଚ୍ଚିତ ପୋଷା ବାର୍‌ହା ଢୁର୍ ତିନିଦିନ ହେଲା ନିଖୋଜ ଥିବା ଜଣାପଡ଼ିଛି। ଢୁର୍‌କୁ ପାଳିଥିବା କୁନ୍ତଳା କୁମାରୀ ପେଣ୍ଠେଇ ଏନେଇ ବିମଳା ଫରେଷ୍ଟର ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କୁ ଅବଗତ କରିଛନ୍ତି। ସୋମବାରଠାରୁ ସେ ଜଙ୍ଗଲକୁ ଚରିବାପାଇଁ ଯାଇ ଆଉ ଘରକୁ ଫେରି ନାହିଁ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତା’ର କୌଣସି ସନ୍ଧାନ ପାଇନାହାନ୍ତି। ଢୁର୍‌କୁ କେହି ଅପହରଣ କିମ୍ବା ଶିକାର କରିଥିବା କୁନ୍ତଳା ଆଶଙ୍କା କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ଜୁନ୍‌ ୨୨ ତାରିଖରେ ଘର ପାଖ ଜଙ୍ଗଲରୁ ଅସହାୟ ଅବସ୍ଥାରେ ଏକ ବାର୍‌ହା ଛୁଆକୁ ପାଇ ଘରକୁ ଆଣିଥିଲେ ତେଲକୋଇ ବ୍ଲକ୍‌ ଶିରିଗିଡ଼ା ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଆର୍ତ୍ତତ୍ରାଣ ପେଣ୍ଠେଇଙ୍କ ସ୍ତ୍ରୀ କୁନ୍ତଳା। ତା’ର ନାମ ଢୁର୍ ଦେଇଥିଲେ। ଦୀର୍ଘ ୯ ମାସ ଧରି ଢୁର୍‌ କୁନ୍ତଳାଙ୍କ ଘରେ ରହିବା ପରେ ବନ ବିଭାଗ ମାର୍ଚ୍ଚ ୯ ତାରିଖ ରାତିରେ ତାକୁ ଉଦ୍ଧାର କରି ସମାକୋଇ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ କମଳାଙ୍ଗରେ ଛାଡ଼ି ଦେଇଥିଲା। ମାର୍ଚ୍ଚ ୧୭ ତାରିଖରେ ଆହତ ଅବସ୍ଥାରେ ବାର୍‌ହାଟିକୁ କୁନ୍ତଳା ପୁଣି ଉଦ୍ଧାର କରି ଘରକୁ ଆଣିଥିଲେ। ବନ ବିଭାଗ ପକ୍ଷରୁ ମାର୍ଚ୍ଚ ୧୮ ତାରିଖରେ ଢୁର୍‌ର ଚିକିତ୍ସା କରାଯାଇଥିଲା। ଆହତ ଢୁର୍ ଧୀରେଧୀରେ ସୁସ୍ଥ ହେବା ପରେ ଗାଈଗୋରୁଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଉଥିଲା। ୧୨ ତାରିଖ ସୋମବାରଠାରୁ ସେ ଚରିବାକୁ ଯାଇ ଆଉ ଘରକୁ ଫେରି ନଥିବା ପରିବାର ପକ୍ଷରୁ କୁହାଯାଇଛି।

ଏନେଇ ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ, ସମ୍ଭବତଃ ବାର୍‌ହାଟି ଜଙ୍ଗଲ ପରିବେଶରେ ନିଜକୁ ସାମିଲ କରି ନେଇଥାଇପାରେ। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଢୁର୍ ନିଖୋଜ କୁନ୍ତଳାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର