ଭୁବନେଶ୍ବର : କିଏ ଜନ୍ମରୁ କିମ୍ବା ବାଲ୍ୟାବସ୍ଥାରୁ ଅଭିଭାବକ ହରାଇଥିଲେ ତ ଆଉ କେଉଁ ନିଷ୍ପାପଙ୍କୁ ମା’ କିମ୍ବା ବାପା କେଉଁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଦେଇଥିଲେ। ହେଲେ ନିଜ ବାପା, ମା’ଙ୍କୁ ହରାଇଥିବା ୫୯୩ ଶିଶୁ ଗତ ୩ ବର୍ଷରେ ନନ୍ଦ ଓ ଯଶୋଦା ଭଳି ବାପା, ମା’ ପାଇଛନ୍ତି। ସେଥିମଧ୍ୟରୁ ୫୩ ଜଣ ବିଦେଶୀ ଅଭିଭାବକଙ୍କୁ ପାଇଛନ୍ତି। ସେଥିରେ ପୁଣି ୨୦୨୦ ଏବଂ ୨୦୨୧ ମସିହା କୋଭିଡ୍ ମହାମାରୀରେ ଯେତେବେଳେ ହଜାର ହଜାର ସଂଖ୍ୟାରେ ପିଲା ଅଭିଭାବକଙ୍କୁ ହରାଇ ଅସହାୟ ହୋଇ ପଡ଼ିଛନ୍ତି ସେହି ସମୟରେ ୩୪୬ ପିଲାଙ୍କୁ ପରିବାର ମିଳିଯାଇଥିବା ସୂଚନା ଦେଇଛି ସାରା (ରାଜ୍ୟ ପୋଷ୍ୟ ସାଧନ କର୍ତ୍ତୃପକ୍ଷ)।
ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଇଥିବା ପିଲାଙ୍କ ମଧ୍ୟରେ ପୁଅ ଅପେକ୍ଷା ଝିଅଙ୍କ ସଂଖ୍ୟା ଅଧିକ ରହିଛି। ସଂଖ୍ୟାରେ କମ ହେଲେ ମଧ୍ୟ କିଛି ଭିନ୍ନକ୍ଷମ ପିଲାଙ୍କୁ ଅଭିଭାବକ ମିଳିଛନ୍ତି। ଏହାବାଦ ମଧ୍ୟ ୩ ହଜାର ଏଭଳି ଦମ୍ପତି ଏବଂ ମା’ କିମ୍ବା ବାପା ଅଛନ୍ତି ଯେଉଁମାନେ ଓଡ଼ିଶାରୁ ପିଲା ପୋଷ୍ୟ ଭାବରେ ଗ୍ରହଣ ପାଇଁ ଅପେକ୍ଷା କରି ରହିଛନ୍ତି। ପୋଷ୍ୟ ଭାବରେ ଗ୍ରହଣ କରିବାକୁ ମା’, ବାପା ତୁଳନାରେ ପିଲାଙ୍କ ସଂଖ୍ୟା କମ ଥିବାରୁ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଛୁଆଟିଏ ପାଇବାକୁ ୩ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ଓଡ଼ିଶାର ଗୌରବ ମଧୁସୂଦନ ଦାସ ୨ ଝିଅଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରି ଏତେ ଯୋଗ୍ୟ କରିଥିଲେ ଯେ ତାଙ୍କ ଝିଅ ସୁଧାଂଶୁବାଳା ହାଜରା ସମଗ୍ର ଦେଶରେ ପ୍ରଥମ ମହିଳା ଆଇନଜୀବୀ ଭାବରେ ଖ୍ୟାତି ଅର୍ଜନ କରିଥିଲେ। ପୂର୍ବରୁ ଯେକୌଣସି ସମୟରେ ଯେକେହି ପିଲାଙ୍କୁ ପୋଷ୍ୟ କରି ନେଉଥିଲେ। ମାତ୍ର ଜେଜେବି ଆକ୍ଟ ଅନୁସାରେ ଶିଶୁ ସୁରକ୍ଷା ପାଇଁ କେନ୍ଦ୍ରର କାରା ଏବଂ ରାଜ୍ୟର ସାରା ପକ୍ଷରୁ ଶିଶୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରାଯାଉଛି। ସାରାର ପ୍ରୋଗ୍ରାମ ମ୍ୟାନେଜର ଶୁଭଦର୍ଶୀ ଦାଶଙ୍କ ସୂଚନା ଅନୁସାରେ, ନିୟମ ଅନୁଯାୟୀ ଇଚ୍ଛୁକ ଅଭିଭାବକ ଆବଶ୍ୟକ ଦସ୍ତାବିଜ ସହିତ ଅନ୍ଲାଇନରେ ଆବେଦନ କରନ୍ତି। ସନ୍ତାନ ଗ୍ରହଣ ପାଇଁ ସେହି ବ୍ୟକ୍ତିଙ୍କୁ ନେଇ ଅନୁମୋଦିତ ରିପୋର୍ଟ ସାମାଜିକ ସଂସ୍ଥା ଦ୍ବାରା ଦାଖଲ ହେବା ପରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଯୋଗ୍ୟ ହୁଅନ୍ତି। ସେମାନଙ୍କୁ କେଉଁ ବୟସ, ଲିଙ୍ଗ ଏବଂ କେଉଁଭଳି ପିଲା ଆବଶ୍ୟକ ଜଣାଇବା ପରେ ଅପେକ୍ଷା ତାରିଖ ଦିଆଯାଏ। ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଇଚ୍ଛୁକ ବ୍ୟକ୍ତି କିମ୍ବା ଦମ୍ପତି ୩ଟି ରାଜ୍ୟର ଶିଶୁ କେନ୍ଦ୍ରରୁ ଶିଶୁ ଗ୍ରହଣ କରିପାରିବେ। ଏପରିକି ଥରେ ଶିଶୁ ଦେଖି ତାଙ୍କ ପସନ୍ଦ ନହେଲେ ୪୮ ଘଣ୍ଟା ପରେ ମନା ମଧ୍ୟ କରିପାରିବେ।
ପୋଷ୍ୟ ପାଇଁ ସହମତି ପରେ ଜିଲ୍ଲାପାଳଙ୍କ ପାଖରେ କେସ୍ ଫାଇଲ ହୋଇ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ ହେବା ପରେ ମା’, ବାପା ପିଲାଙ୍କୁ ନେଇ ପାରନ୍ତି। ସନ୍ତାନ ଗ୍ରହଣର ୨ ବର୍ଷ ପର୍ଯ୍ୟନ୍ତ ସାମାଜିକ ସଂସ୍ଥା ପ୍ରତି ୬ ମାସରେ ଥରେ ତାଙ୍କ ଘରକୁ ଯାଇ ପିଲାର ସ୍ଥିତିକୁ ନେଇ ରିପୋର୍ଟ ଦାଖଲ କରନ୍ତି। କେନ୍ଦ୍ର ସରକାରଙ୍କ କାରା ପକ୍ଷରୁ ଅନୁମୋଦିତ ବିଦେଶୀ ପୋଷ୍ୟ ସନ୍ତାନ ସଂସ୍ଥା ଜରିଆରେ ବିଦେଶରୁ ଦମ୍ପତି ଆସି ପୋଷ୍ୟ ଗ୍ରହଣ କରନ୍ତି। ଥରେ ରାଜ୍ୟର ଶିଶୁ ବିଦେଶକୁ ଯିବା ପରେ ସେହି ଶିଶୁ କେମିତି ଅଛନ୍ତି ସେ ସମ୍ପର୍କିତ ରିପୋର୍ଟ ଅନୁମୋଦିତ ବିଦେଶୀ ପୋଷ୍ୟ ସନ୍ତାନ ସଂସ୍ଥା ଜରିଆରେ କରାଯାଏ। କିଛି ଅଭିଭାବକ ନିୟମିତ ପୋଷ୍ୟ ଗ୍ରହଣ କେନ୍ଦ୍ର ସହିତ ଯୋଗାଯୋଗରେ ଥାଇ ନିଜ ପିଲାଙ୍କ ବିଷୟରେ ତଥ୍ୟ ଦେଉଥାଆନ୍ତି। ଅଧିକାଂଶ ଦିଅନ୍ତି ନାହିଁ। ନିର୍ଦିଷ୍ଟ ସମୟ ପରେ ପୋଷ୍ୟ ପିଲାଙ୍କ ବିଷୟରେ ପ୍ରାୟତଃ କାହାରି ଜାଣିବାର ସୁଯୋଗ ନଥାଏ। ଅବିବାହିତ, ସ୍ବାମୀ କିମ୍ବା ସ୍ତ୍ରୀ ହରାଇଥିବା ବା ଛାଡ଼ପତ୍ର ଦେଇଥିବା ବ୍ୟକ୍ତି ମଧ୍ୟ ପୋଷ୍ୟ ଗ୍ରହଣ କରିପାରିବେ। କିନ୍ତୁ ଅବିବାହିତ ପୁରୁଷ କୌଣସି ଝିଅଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିପାରିବେ ନାହିଁ। ଅଭିଭାବକ ଏବଂ ପୋଷ୍ୟ ସନ୍ତାନ ମଧ୍ୟରେ ୨୫ ବର୍ଷର ବ୍ୟବଧାନ ରହିବା ଉଚିତ। ଅଧିକାଂଶ ସମୟରେ ୩ ବର୍ଷ ପର୍ଯ୍ୟନ୍ତ ପିଲା ଶୀଘ୍ର ପୋଷ୍ୟ ହୋଇ ଯାଆନ୍ତି। ବଡ଼ ହେବା ପରେ ପୋଷ୍ୟ ହେବାକୁ ବିଳମ୍ବିତ ହୁଏ।