କଟକ: କଟକ ବାଲିଯାତ୍ରା ପଡ଼ିଆରେ ସ୍ପେନ୍ର ଜଣେ ମହିଳା ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ଏହାକୁ ସ୍ବୀକୃତି ପ୍ରଦାନ କରିବା ସହିତ ନୂଆ ଆଇନ କାର୍ଯ୍ୟକାରୀ କରିବାରେ କଟକ ରାଜ୍ୟରେ ପ୍ରଥମ ବୋଲି କହିଛନ୍ତି।
ଆଜି ବାଲିଯାତ୍ରା ପଡ଼ିଆର ଅକ୍ଷୟ ମହାନ୍ତି ମଞ୍ଚରେ ଅନୁଷ୍ଠିତ ପଥୋତ୍ସବ କାର୍ଯ୍ୟକ୍ରମରେ ସ୍ପେନ୍ର ମହିଳା ସିଲଭିଆ ଆରିବାସ୍ ହେରାନ୍ଜ୍ ବସୁନ୍ଧରାରେ ରହି ଆସୁଥିବା ଜଣେ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିଥିଲେ। ଏହି ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ସିଲଭିଆଙ୍କ ଭାଇ ମ୍ୟାରିଓ ହେରାନ୍ଜ ଓ ସ୍ପେନର ପ୍ରତିନିଧିଭାବେ ଭାରତରେ ରହୁଥିବା ମୋତି ମେହେଗାନୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ପୋଷ୍ୟସନ୍ତାନ ନିର୍ଦ୍ଦେଶାବଳୀ-୨୦୨୨ ଅନୁଯାୟୀ, ୧ ସେପ୍ଟେମ୍ବର ୨୦୨୨ ତାରିଖ ଠାରୁ ଜିଲ୍ଲାପାଳ ତଥା ଜିଲା ମାଜିଷ୍ଟ୍ରେଟଙ୍କୁ ପୋଷ୍ୟସନ୍ତାନଗ୍ରହଣ ଦଲିଲକୁ ସ୍ୱୀକୃତି ଦେବାର କ୍ଷମତା ପ୍ରଦାନ କରାଯାଇଛି। କିଛିବର୍ଷ ହେଲା ଉକ୍ତ ସ୍ପେନ୍ ମହିଳା ଶିଶୁ କନ୍ୟା ପୋଷ୍ୟ ପାଇଁ ଆବେଦନ କରିଥିଲେ। ଯେତେବେଳେ ବିଦେଶର କେହି ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରନ୍ତି, ସେତେବେଳେ ଆକ୍ରିଡେଟେଡ୍ ଫରେନ୍ ଆଡପ୍ସନ୍ ଏଜେନ୍ସି (ଆଫା) ଓ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର ଅନୁମତି ଆବଶ୍ୟକ ପଡ଼େ । ମାସେ ତଳେ ଜିଲ୍ଲାପାଳଙ୍କ କୋର୍ଟରେ ଏହି ଆବେଦନର ଶୁଣାଣି ହେବାପରେ ଏହାର ସମସ୍ତ ଯାଞ୍ଚ କରାଯାଇ ପୋଷ୍ୟ ସନ୍ତାନ ଗ୍ରହଣକୁ ଜିଲ୍ଲାପାଳ ସ୍ବୀକୃତି ଦେଇଥିଲେ। ସାଢେ ତିନି ବର୍ଷର ଏହି ଶିଶୁ କନ୍ୟାର ପୋଷ୍ୟ ଗ୍ରହଣ ନିମନ୍ତେ କଟକ ସିଡବ୍ଲୁସି ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା। ପ୍ରଶାସନିକ ପ୍ରକ୍ରିୟା ପରେ ଆଜି ବାଲିଯାତ୍ରାର ପଥୋତ୍ସେବ କାର୍ଯ୍ୟକ୍ରମରେ ଉକ୍ତ ସ୍ପେନ୍ ମହିଳାଙ୍କୁ ଶିଶୁ କନ୍ୟାଟିକୁ ହସ୍ତାନ୍ତର କରାଯାଇଛି ବୋଲି କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି ସୂଚନା ଦେଇଛନ୍ତି। ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ସ୍ପେନର ଏହି ମହିଳା ଜଣକ ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/65s4h6f5s4h65fsh4sf65h.jpg)