ବନ୍ତଳା: ମିଠା କନ୍ଦମୂଳ ପାଇଁ ଅନୁଗୁଳର ଟାଇଁସି ଓ କୋଠଭୂଇଁ ପଞ୍ଚାୟତର ସ୍ୱତନ୍ତ୍ର ପରିଚୟ ରହିଛି। ଏଠାରୁ ଉତ୍ପାଦିତ କନ୍ଦମୂଳର ଚାହିଦା ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ସହିତ ଶ୍ରୀକ୍ଷେତ୍ର ପୁରୀରେ ରହିଛି। ସାତକୋଶିଆ ଅଭୟାରଣ୍ୟକୁ ଲାଗି ରହିଥିବା ଏହି ଅଞ୍ଚଳର ଥଣ୍ଡା ଜଳବାୟୁ ଓ ଅନୁକୂଳ ମାଟି କନ୍ଦମୂଳ ଚାଷ ପାଇଁ ବେଶ ଉପଯୋଗୀ। ଯାହାକୁ ନେଇ ଗଲା ପାଞ୍ଚ ଦଶନ୍ଧି ଧରି ଚାଷୀମାନେ ଏଠାରେ କନ୍ଦମୂଳ ଚାଷ କରି ଆସୁଛନ୍ତି। କିନ୍ତୁ ଏହାକୁ ଯେତିକି ପ୍ରୋତ୍ସାହନ ମିଳିବା କଥା, ମିଳୁନି। ତେଣୁ ଚାଷୀ ଏଥିରୁ ମୁହଁ ଫେରାଇନେବା ପାଇଁ ବାଧ୍ୟ ହେଉଛନ୍ତି।

Advertisment

ଅନୁଗୁଳ ବ୍ଲକ୍‌ ସାତକୋଶିଆ ଅଭୟାରଣ୍ୟ ନିକଟରେ ରହିଛି ଟାଇଁସି ଓ କୋଠଭୂଇଁ ଗାଁ। ଦୁଇ ପଞ୍ଚାୟତର ଲୋକେ ବିଶେଷ ଭାବରେ କୃଷି ଉପରେ ନିର୍ଭର କରନ୍ତି। ଅଭୟାରଣ୍ୟ ନିକଟରେ ଏହି ଦୁଇଟି ପଞ୍ଚାୟତ ରହିଥିବାରୁ ଥଣ୍ଡା ଜଳବାୟୁ ପାଇଁ ଏଠାରେ ୫୦ବର୍ଷ ହେଲା କନ୍ଦମୂଳ ଚାଷ ହୋଇ ଆସୁଛି। କନ୍ଦମୂଳ ଚାଷ ପାଇଁ ପ୍ରାୟ ୪ଶହ ଚାଷୀ ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି। ଦୁଇ ପଞ୍ଚାୟତରେ ପ୍ରାୟ ୧୫ଶହ ଏକର ଜମିରେ ଏବେ କନ୍ଦମୂଳ ଚାଷ ହେଉଛି। ହଜାରେ ଟନ୍‌ରୁ ଅଧିକ କନ୍ଦମୂଳ ଏଠାରେ ଉତ୍ପାଦନ ହେଉଛି। ଏହି କନ୍ଦମୂଳ ଅନୁଗୁଳ ଜିଲ୍ଲାର ଚାହିଦା ପୂରଣ କରିବା ସହ କଟକ, ଭୁବନେଶ୍ୱର ସମେତ ପୁରୀ ଜିଲ୍ଲାକୁ ବିକ୍ରି ପାଇଁ ଯାଉଛି। ଖାଲି ସେତିକି ନୁହେଁ ଏହି ମିଠା କନ୍ଦମୂଳ ଉତ୍ତରପ୍ରଦେଶର ଅଯୋଧ୍ୟା ଓ ଛତିଶଗଡ଼କୁ ମଧ୍ୟ ବିକ୍ରି ପାଇଁ ଯାଉଛି। ଜୁନ୍‌-ଜୁଲାଇ ମାସରେ ଏହା ଆରମ୍ଭ ହୋଇ ଡିସେମ୍ବର ମାସ ସୁଦ୍ଧା ଅମଳ ହୋଇଥାଏ। ଏବେ ଅମଳ ସମୟ ହୋଇଥିବାରୁ ଚାରିଆଡ଼େ ମିଠା ନାଲି କନ୍ଦମୂଳ ବହୁଳ ପରିମାଣରେ ଦେଖିବାକୁ ମିଳୁଛି।

ତେବେ ଚାଷୀ ଏହି କନ୍ଦମୂଳ ଚାଷରୁ ଯେତିକି ଲାଭ ପାଇବା କଥା ସେତିକି ପାଉନାହିଁ। ପ୍ରାୟ ୫ଶହ ଟନ୍‌ କନ୍ଦମୂଳକୁ କୃଷକ ଉତ୍ପାଦକ ସଂଗଠକ କମ୍ପାନି ସିଧାସଳଖ ଚାଷୀମାନଙ୍କ କିଣି ‌ନେଉଛି। କମ୍ପାନି କିଲୋ ପିଛା ପ୍ର‌ାୟ ୧୪ଟଙ୍କା ଦରରେ ଚାଷୀଙ୍କଠାରୁ କନ୍ଦମୂଳ କିଣୁଥିବା ବେଳେ ବଳକା କନ୍ଦମୂଳକୁ ବିକ୍ରି କରିବାକୁ ଚାଷୀ ହଇରାଣ ହେଉଛି। କନ୍ଦମୂଳ ବିକ୍ରି ପାଇଁ ସ୍ବତନ୍ତ୍ର ବଜାରର ସୁବିଧା ନାହିଁ। ଏପରିକି ଏହାର ସଂରକ୍ଷଣ ଓ ପ୍ରକ୍ରିୟାକରଣ ପାଇଁ ବି କୌଣସି ବ୍ୟବସ୍ଥା ନାହିଁ। ଫଳରେ ବେପାରୀ ହାତରେ ଶାଗମାଛ ମୂଲରେ ଚାଷୀ ନିଜର ଝାଳବୁହା ଉତ୍ପାଦନକୁ ବିକିବାକୁ ବାଧ୍ୟ ହେଉଛନ୍ତି। ବେପାରୀ ବଜାରରେ ଏହାକୁ ଦୁଇଗୁଣା ଦାମ୍‌ରେ ବିକୁଥିବା ବେଳେ ଚାଷୀ ଭାଗ୍ୟକୁ ଆଦରି ରହୁଛି। ଅନ୍ୟପାଖେ ଅଭୟାରଣ୍ୟକୁ ଏହି ଅଞ୍ଚଳ ଲାଗି ରହିଥିବାରୁ ବିଭିନ୍ନ ସମୟରେ ବନ୍ୟଜନ୍ତୁଙ୍କ ପାଇଁ କନ୍ଦମୂଳ ଚାଷ କ୍ଷତିଗ୍ରସ୍ତ ହେଉଥିବା ଚାଷୀ କହିଛନ୍ତି। ସରକାରଙ୍କ ପକ୍ଷରୁ ଚାଷଜମିରେ ସୋଲାର ବାଡ଼ର ବ୍ୟବସ୍ଥା କରିବା ସହିତ ଉତ୍ପାଦିତ କନ୍ଦମୂଳର ସଂରକ୍ଷଣ ପାଇଁ ଚାଷୀଙ୍କ ସମେତ କୃଷକ ଉତ୍ପାଦକ ସଂଗଠକ କମ୍ପାନିର ଅଧ୍ୟକ୍ଷ ସୁଶୀଲ ପ୍ରଧାନ ଦାବି କରିଛନ୍ତି। ନଚେତ୍‌ ଏହି ମିଠା‌ କନ୍ଦମୂଳ ଚାଷରୁ ଚାଷୀ ମୁହଁ ଫେରାଇନେବେ ବୋଲି ସେ କହିଛନ୍ତି।