୨୦୧୯ ନିର୍ବାଚନରେ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ ନେଇ ଏଡିଆର ରିପୋର୍ଟ : ସବୁଠୁ ଅଧିକ ଖର୍ଚ୍ଚ କରିଛନ୍ତି ସୀମାରାଣୀ, ଲକ୍ଷ୍ଣଣ ଓ ଭାସ୍କର

ଭୁବନେଶ୍ବର : ୨୦୧୯ ନିର୍ବାଚନରେ ନିର୍ବାଚିତ ହୋଇଥିବା ଓଡ଼ିଶାର ୧୪୭ ଜଣ ବିଧାୟକଙ୍କ ଭିତରୁ ୩ ଜଣ ବିଧାୟକ ନିର୍ବାଚନୀ ଖର୍ଚ୍ଚ ସୀମାର ପ୍ରାୟ ୯୫% ଅର୍ଥ ଖର୍ଚ୍ଚ କରିଛନ୍ତି। ନିର୍ବାଚନ ଖର୍ଚ୍ଚ ନେଇ ଭାରତର ନିର୍ବାଚନ କମିସନଙ୍କ ପାଖରେ ବିଧାୟକମାନେ ଦାଖଲ କରିଥିବା ନିର୍ବାଚନ ଖର୍ଚ୍ଚକୁ ବିଶ୍ଲେଷଣ କରି ଏପରି ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ୍‌ସ୍‌ (ଏଡିଆର୍‌)। ଏଡିଆର୍‌ ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଅନୁଯାୟୀ ସୁନ୍ଦରଗଡ଼ ବଣାଇର ସିପିଏମ୍‌ ବିଧାୟକ ଲକ୍ଷ୍ଣଣ ମୁଣ୍ଡା, ମୟୂରଭଞ୍ଜ ଉଦଳାର ବିଜେପି ବିଧାୟକ ଭାସ୍କର ମଡ଼େଇ ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ସୀମାରାଣୀ ନାୟକ ସବୁଠୁ ଅଧିକ ଖର୍ଚ୍ଚ କରିଛନ୍ତି। ସେହିପରି ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି, ନୂଆପଡ଼ା ଖରିଆର ବିଧାନସଭା ନିର୍ବାଚମଣ୍ଡଳୀର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଓ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ସମସ୍ତଙ୍କଠାରୁ କମ୍‌ ଖର୍ଚ୍ଚ କରି ନିର୍ବାଚିତ ହୋଇଛନ୍ତି।

ଏଡିଆର୍‌ ରିପୋର୍ଟ ଅନୁଯାୟୀ, ନିର୍ବାଚନରେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ କମିସନ ସର୍ବୋଚ୍ଚ ଖର୍ଚ୍ଚ ସୀମା ୨୮ ଲକ୍ଷ ଧାର୍ଯ୍ୟ କରିଛନ୍ତି। ୧୪୭ ଜଣ ବିଧାୟକମାନଙ୍କ ଭିତରୁ ୧୦% ବିଧାୟକ ଧାର୍ଯ୍ୟ ଖର୍ଚ୍ଚ ପରିମାଣଠାରୁ ୫୦%ରୁ କମ୍‌ ଖର୍ଚ୍ଚ କରିଛନ୍ତି। କେବଳ ୩ ଜଣଙ୍କୁ ଛାଡ଼ି ଅନ୍ୟ ବାକି ବିଧାୟକମାନେ ପ୍ରାୟ ୬୭% ଅର୍ଥ ଖର୍ଚ୍ଚ କରିଛନ୍ତି। କିନ୍ତୁ ବିଧାୟିକା ସୀମାରାଣି ନାୟକ ୨୬ ଲକ୍ଷ ୮ ହଜାର ୬୩୨ ଟଙ୍କା ଖର୍ଚ୍ଚ କରିଥିବାବେଳେ ବିଧାୟକ ଭାସ୍କର ମଡ଼େଇ ୨୬ ଲକ୍ଷ ୬୩ ହଜାର ୫୪୮ ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ୨୬ ଲକ୍ଷ ୮୩ ହଜାର ୮୯୧ ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର