ଏଡିଆର୍‌ ସର୍ଭେ ରିପୋର୍ଟରେ ଓଡ଼ିଶା ଭୋଟରଙ୍କ ମତ: ଦଳ ନୁହେଁ, ପ୍ରାର୍ଥୀ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଓଡ଼ିଶାର ସର୍ବାଧିକ ମତଦାତା କହିଛନ୍ତି, ନିର୍ବାଚନରେ ଭୋଟ ଦେବା ବେଳେ ଜଣେ ଭୋଟର ପାଇଁ ପ୍ରାର୍ଥୀ ହିଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ପ୍ରାର୍ଥୀ ଓ ତା’ ପରେ ରାଜନୈତିକ ଦଳର ଗୁୁରୁତ୍ବ ଅଧିକ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ୱକୁ ୫୩ ପ୍ରତିଶତ ମତଦାତା ଗୁରୁତ୍ୱପୂର୍ଣ୍ଣ ବିବେଚନା କରନ୍ତି। ପ୍ରାୟ ୮୫ ପ୍ରତିଶତ ଭୋଟର ଜାଣିଛନ୍ତିି ଯେ ନିର୍ବାଚନରେ ଭୋଟରଙ୍କୁ ଟଙ୍କା, ଉପହାର ବିତରଣ ବେଆଇନ। ତେବେ କୌତୂହଳର ବିଷୟ ହେଉଛି, ୬ ପ୍ରତିଶତ ମତଦାତା ପରିବାର ଓ ୫ ପ୍ରତିଶତ ପତ୍ନୀଙ୍କ ମତ ନେଇ ମତଦାନ ନିଷ୍ପତ୍ତି ନେଉଥିବା କହିଛନ୍ତି। ଏଡିଆର ଓ ଆରଏ ଅଷ୍ଟରିଜ୍‌ କମ୍ପ୍ୟୁଟିଙ୍ଗ ଆଣ୍ଡ ଡାଟା ସଲ୍ୟୁସନ୍ସ ପ୍ରା.ଲି.(ରାକ୍‌) ପ୍ରସ୍ତୁତ କରିଥିବା ଏହି ସର୍ଭେ ରିପୋର୍ଟ ଆଜି ସାର୍ବଜନୀନ ହୋଇଛି। ଏହି ରିପୋର୍ଟରେ ଓଡ଼ିଶା ଉପରେ ୩୧ଟି ତାଲିକାଭୁକ୍ତ ପ୍ରଶ୍ନାବଳୀକୁ ଭିତ୍ତିକରି ଭୋଟରମାନେ ମୂଲ୍ୟାୟନ କରିଛନ୍ତି। ସେଥିମଧ୍ୟରୁ ୧୫ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ବିଶ୍ଳେଷଣ ହୋଇଛି।
ଆଜି ପ୍ରକାଶିତ ରିପୋର୍ଟରେ ଓଡ଼ିଶାର ମତଦାତାଙ୍କ ବ୍ୟବହାର ଓ ଆଚରଣ ସଂକ୍ରାନ୍ତରେ ଏଭଳି ମତାମତ ପ୍ରକାଶ ପାଇଛି। ମତଦାତାଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ, ନିର୍ବାଚନ ଲଢ଼ୁଥିବା ଅଭିଯୁକ୍ତ ପ୍ରାର୍ଥୀ, ଅପରାଧ ଓ ଅର୍ଥର ଭୂମିକା ଉପରେ ମତଦାତାଙ୍କ ସଚେତନତା ନେଇ ସର୍ଭେ ସମୟରେ ବିଭିନ୍ନ ପ୍ରଶ୍ନ କରା‌ଯାଇଥିଲା। ପ୍ରାୟ ୭୫ ପ୍ରତିଶତ ମତଦାତା ରାଜନୈତିକ ଦଳ ଅପେକ୍ଷା ପ୍ରାର୍ଥୀ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ନିର୍ବାଚନ ବେଳେ ୧୫ ପ୍ରତିଶତ ଭୋଟରଙ୍କ ପାଇଁ ଟଙ୍କା, ମଦ ଓ ଉପହାର ବିତରଣ ଗୁରୁତ୍ବ ବହନ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ନିର୍ବାଚନରେ ପ୍ରାର୍ଥୀଙ୍କୁ ଭୋଟ ଦେବା ନିଷ୍ପତ୍ତି କ୍ଷେତ୍ରରେ ୮୬ ପ୍ରତିଶତ ମତଦାତା ସେମାନଙ୍କ ନିଜସ୍ୱ ମତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ୫୦ ଭାଗ ମତଦାତା କହିଥିଲେ, ଭୋଟ ପାଇଁ ଭୋଟରଙ୍କୁ ପ୍ରଲୋଭିତ କରାଯାଇଥାଏ। ତେବେ ପ୍ରାୟ ୯୮ ପ୍ରତିଶତ ଭୋଟରଙ୍କ ମତରେ ଅପରାଧ ପୃଷ୍ଠଭୁମି ଥିବା ପ୍ରାର୍ଥୀ ସାଂସଦ କିମ୍ବା ବିଧାନସଭାରେ ରହିବା ଅନୁଚିତ।

 AFP PHOTO /NARINDER NANU (Photo credit should read NARINDER NANU/AFP/Getty Images)

ରିପୋର୍ଟରେ ଦର୍ଶାଯାଇଛି, ଜାତି ଧର୍ମ ବିଚାର କରି ଅପରାଧୀ ମାମଲା ଥିବା ପ୍ରାର୍ଥୀଙ୍କୁ ପ୍ରାୟ ୩୫ ପ୍ରତିଶତ ମତଦାତା ଭୋଟ ଦେଇଥାନ୍ତିି। ଅପରାଧ ପୃଷ୍ଠଭୁମି ଥିବା ପ୍ରାର୍ଥୀଙ୍କୁ ଭୋଟ ଦେବାର ଅନ୍ୟତମ କାରଣ ହେଉଛି, ୩୬ ଭାଗ ଭୋଟର ମନେ କରନ୍ତିି, ପ୍ରାର୍ଥୀ ଶକ୍ତିଶାଳୀ। ୩୪ ଭାଗ ଭୋଟର ସେମାନଙ୍କ ଫୌଜଦାରି ରେକର୍ଡ ସଂକ୍ରାନ୍ତରେ ସଚେତନ ନୁହଁନ୍ତିି। ତେବେ ୪୧ ପ୍ରତିଶତ ମତଦାତା କହିଥିଲେ ଯେ ସେମାନେ ପ୍ରାର୍ଥୀଙ୍କର ଅପରାଧ ରେକର୍ଡ ବିଷୟରେ ସୂଚନା ପାଇପାରିବେ ବୋଲି ଜାଣିଛନ୍ତି। ରିେପାର୍ଟ ଆହୁରି ଦର୍ଶାଇଛି, ଭୋଟରମାନେ ପାନୀୟ ଜଳ(୪୪.୦୫%), ନିଯୁକ୍ତି ସୁବିଧା(୪୧.୯୫%) ଓ ଉତ୍ତମ ରାସ୍ତା (୩୭.୩୦%) ଆଦି ୩ଟି ପ୍ରମୁଖ ବିଷୟକୁ ଅଗ୍ରାଧିକାର ଦେଇଛନ୍ତି। ସେଥିମଧ୍ୟରୁ ସରକାରଙ୍କ ସଫଳତା ହାର ମୋଟ ୫ ଅଙ୍କରୁ ପାନୀୟ ଜଳ କ୍ଷେତ୍ରରେ ୨.୩୦, ଉତ୍ତମ ନିଯୁକ୍ତି କ୍ଷେତ୍ରରେ ୨.୩୦, ଉତ୍ତମ ସଡ଼କ ଯୋଗାଣରେ ୨.୨୮। ସେହିପରି ଓଡ଼ିଶାର ଗ୍ରାମାଞ୍ଚଳରେ ଭୋଟରଙ୍କ ପ୍ରମୁଖ ଆବଶ୍ୟକତା ହେଉଛି କୃଷି ପାଇଁ ପାଣି(୪୩%), ପାନୀୟଜଳ (୪୩%) ଏବଂ ଉତ୍ତମ ନିଯୁକ୍ତି ସୁବିଧା (୪୧%)। ସେସବୁ କ୍ଷେତ୍ରରେ ସରକାରୀ ସଫଳତା ହାର ମୋଟ ୫ ଅଙ୍କରୁ ଜମିକୁ ପାଣି ମଡ଼ାଇବାରେ ୨.୪୮, ପାନୀୟ ଜଳ ଯୋଗାଣରେ ୨.୩୨ ଓ ଉତ୍ତମ ନିଯୁକ୍ତି ସୁବିଧା ଦେବାରେ ୨.୨୭ ଏହାବ୍ୟତୀତ ଗ୍ରାମାଞ୍ଚଳରେ ସରକାରଙ୍କ ପ୍ରଦର୍ଶନ ପାଇଁ ଭୋଟରମାନେ ଦେଇଛନ୍ତି ମୋଟ ୫ ଅଙ୍କରୁ ଉତ୍ତମ ଡାକ୍ତରଖାନା/ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯୋଗାଣରେ ୨.୧୪, ଉତ୍ତମ ରାସ୍ତା କ୍ଷେତ୍ରରେ ୨.୩୨ ଏବଂ କୃଷି ପାଇଁ ବିଜୁଳି ଯୋଗାଇବାରେ ୨.୪୫।

ଓଡ଼ିଶା ସହରାଞ୍ଚଳରେ ଭୋଟରମାନେ ପାନୀୟ ଜଳ(୪୮%), ଉତ୍ତମ ନିଯୁକ୍ତି ସୁଯୋଗ(୪୫%) ଏବଂ ଉତ୍ତମ ଡାକ୍ତରଖାନା ବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(୪୩%) ଆଦି ୩ଟି ପ୍ରସଙ୍ଗକୁ ଅଗ୍ରାଧିକାର ଦେଇଛନ୍ତି। ସେହି ଭୋଟରମାନଙ୍କ ମତାମତ ବୟାନ କରୁଛି, ସରକାର ପାନୀୟ ଜଳ କ୍ଷେତ୍ରରେ ମୋଟ ୫ ଅଙ୍କରୁ ୨.୨୫, ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ୨.୩୯% ଏବଂ ଡାକ୍ତରଖାନା ପାଇଁ ୨.୧୨, ଉତ୍ତମ ରାସ୍ତା(୨.୧୫), ଜଳ ଓ ବାୟୁ ପ୍ରଦୂଷଣ(୨.୨୭) ଅଙ୍କ ପାଇପାରିବେ। ଉଲ୍ଲେଖଯୋଗ୍ୟ, ଏହା ସର୍ଭେ ଦେଶର ସବୃବୃହତ୍‌। ଏଥିରେ ଦେଶର ୫୩୪ ଲୋକସଭା କ୍ଷେତ୍ରରେ ବିଭିନ୍ନ ଅଞ୍ଚଳର ୨,୭୩,୪୮୭ଜଣ ଭୋଟର ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ୨୧ଟି ଲୋକସଭା ଆସନ କ୍ଷେତ୍ରରେ ପ୍ରାୟ ୧୦,୫୦୦ ମତଦାତାଙ୍କୁ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ମତଦାତାଙ୍କ ମୂଲ୍ୟାୟନ ଗୁଡ୍‌ ବା ‘ଭଲ’, ଆଭ୍‌ରେଜ୍‌ ବା ‘ଚଳିବ’ ଓ ବ୍ୟାଡ୍‌ ବା ‘ଖରାପ’ ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ଏହି ଶ୍ରେଣୀ‌ରେ ‘ଭଲ’କୁ ୫, ‘ଚଳିବ’କୁ ୩ ଏବଂ ‘ଖରାପ’କୁ ୧ ହିସାବରେ ମୂଲ୍ୟାୟନ କରାଯାଇଛି। ସର୍ଭେର ୩ଟି ପ୍ରମୁଖ ପ୍ରସଙ୍ଗକୁ ବିଚାରକୁ ନିଆଯାଇଛି। ସେଗୁଡ଼ିକ ହେଉଛି ପ୍ରଶାସନିକ କ୍ଷେତ୍ରରେ ଭୋଟରଙ୍କ ପସନ୍ଦ ବା ପ୍ରାଥମିକତା ଆକଳନ, ସେସବୁ ପ୍ରସଙ୍ଗରେ ସରକାରଙ୍କ ସଫଳତାକୁ ନେଇ ଭୋଟରଙ୍କ ମୂଲ୍ୟାୟନ ଏବଂ ଭୋଟରଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗମାନ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୮ ଅକ୍ଟୋବର ଓ ଡିସେମ୍ବର ମାସ ମଧ୍ୟରେ ଏହି ସର୍ଭେ କରାଯାଇଥିଲା।

ସମ୍ବନ୍ଧିତ ଖବର