ଭୁବନେଶ୍ବର: ରାତି ଅଧରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇ ଜୀବନ ବିକଳରେ ନ୍ୟାୟ ପାଇଁ ଥାନାକୁ ଦୌଡ଼ିଯାଇଥିଲେ ଜଣେ ମେଜର ଓ ତାଙ୍କ ବାନ୍ଧବୀ। କିନ୍ତୁ ବିସ୍ମୟଜନକ ଭାବେ ନ୍ୟାୟ ବଦଳରେ ସେମାନଙ୍କୁ ମିଳିଲା ପୁଲିସର ଅକଥନୀୟ ନିର୍ଯାତନା। ଥାନା ଭିତରେ ପୁଲିସ ମେଜର ବାନ୍ଧବୀଙ୍କ ଅନ୍ତଃବସ୍ତ୍ର ଖୋଲି ଗୋଇଠା ମାରିବା ଭଳି ଅମାନୁଷିକ ଆଚରଣ କଲା। ନିର୍ଯାତନାର କାହାଣୀ ଏତିକିରେ ସରିନଥିଲା। ଅଭିଯୋଗ କରିବାକୁ ଯାଇଥିବା ଏହି ମହିଳାଙ୍କୁ ପୁଲିସ ଅଧିକାରୀ ଅସଦାଚରଣ କରିବାକୁ ଉଦ୍ୟମ କଲେ। କମିସନରେଟ୍ ପୁଲିସର ଆଦର୍ଶ ଥାନା କୁହାଯାଉଥିବା ଭରତପୁର ଥାନା ଭିତରେ ଘଟିଥିଲା ଏଭଳି ଅମାନବୀୟ କାଣ୍ଡ। ଏହି ଘଟଣା ଏବେ ଏକ ଜାତୀୟ ପ୍ରସଙ୍ଗ ପାଲଟିଛି। ଏହାକୁ ନେଇ ରାଜ୍ୟ ଗୃହ ବିଭାଗ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରାଉଥିବା ବେଳେ ଅଭିଯୁକ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ତଥାପି ବିବାଦ ଥମିବା ନାଁ ନେଉନାହିଁ। ଏବେ ବିରୋଧୀଦଳମାନେ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିବା ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଭରତପୁର ଥାନାର ଅଭିଯୁକ୍ତ ୫ପୁଲିସ କର୍ମଚାରୀଙ୍କୁ ଗିରଫ କରିବାକୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଆଜି ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ବିଜେଡିର ନେତ୍ରୀମାନେ। ୧୦୦ ଦିନରେ ଓଡ଼ିଶାର ଛବି ସାରା ଭାରତବର୍ଷରେ ତଳକୁ ଗଲାଣି ବୋଲି ସେମାନେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ସୁଲତା ଦେଓ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ବିଜେପି ସରକାର ହେବା ଦିନ ଠାରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତ ଦିନକୁ ଦିନ ତଳକୁ ଯିବାରେ ଲାଗିଛି। ରାଜ୍ୟପାଳଙ୍କ ପୁଅଙ୍କ ଦ୍ବାରା ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମରା ଘଟଣାରେ ସରକାର କୌଣସି ପଦକ୍ଷେପ ନନେବା ରାଜ୍ୟରେ ଆଇନଶୃଙ୍ଖଳା ହୁଗୁଳା ହୋଇଯାଇଛି ବୋଳଇ ସ୍ପଷ୍ଟ ହୋଇଥିଲା। ସେହି ଘଟଣାରେ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ ନେଇଥିଲେ, ଆଜି ରାଜ୍ୟରେ ଭଳି ଲଜ୍ଜାଜନକ ଘଟଣା ଘଟି ନଥା’ନ୍ତା। ବର୍ତ୍ତମାନ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ନେଇ ମୋଟେ ଚିନ୍ତିତ ନୁହେଁ। ଭରତପୁର ମମଡେଲ ଥାନାରେ ସିସିଟିଭି କ୍ୟାମେରା ଲଗାଯାଇଥିଲା। କିନ୍ତୁ ରହସ୍ୟମୟ ଭାବେ ତାହା ସେଠାରୁ ଉଭାନ ହୋଇଯାଇଛି ବୋଲି ବିଜେଡି ଅଭିଯୋଗ କରିଛି। ଏହି ଘଟଣାରେ ଶନିବାର ଦିନ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ବୋଲି ସୂଚନା ଦିଆଯାଇଛି।
ବର୍ଷିଲେ ବିଜୟ ପଟ୍ଟନାୟକ
ଭରତପୁର ଥାନା ମାମଲାକୁ ଏକ ଜଘନ୍ୟକାଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭର ସହ ସେ କହିଛନ୍ତି, ରାତି ଅଧରେ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଯୁବତୀଙ୍କୁ ଗିରଫ କରାଗଲା, ଅଥଚ ଏପରି କାଣ୍ଡ ଭିଆଇଥିବା ପୁଲିସ ଅଧିକାରୀଙ୍କୁ କାହିଁକି ଗିରଫ କରାଯାଉ ନାହିଁ? ପୁଲିସ ମାଡ଼ରେ ଲହୁଲୁହାଣ ହୋଇଥିବା ଯୁବତୀଙ୍କୁ କୋର୍ଟ ଚାଲାଣ କରାଯିବା ପୂର୍ବରୁ କେଉଁ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ ଏବଂ ସେ ରିପୋର୍ଟରେ କ’ଣ ଦର୍ଶାଇଛନ୍ତି? ଯଦି ଡାକ୍ତର ତାଙ୍କ ରିପୋର୍ଟକୁ ହେରଫେର କରିଛନ୍ତି, ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି। ସେହିଭଳି ତୁରନ୍ତ ସମ୍ପୃକ୍ତ ପୁଲିସ୍ ଅଧିକାରୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେଭଳି ପୁଲିସ କର୍ମଚାରୀଙ୍କୁ ବହିଷ୍କାର ନ କଲେ, ଲୋକଙ୍କ ଭରସା ଆଉ ପୁଲିସ୍ ଉପରେ ରହିବ ନାହିଁ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଘଟଣା ଦିନ ରାତିର ରୋଡ୍ ରୋମିଓଙ୍କୁ କାହିଁକି ଗିରଫ କରାଯାଇ ନାହିଁ? ବର୍ତ୍ତମାନ ରାଜଧାନୀରେ ରୋଡ୍ ରୋମିଓଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରାତି ଅଧରେ ମଦ ପିଇ ରାଜରାସ୍ତାରେ ଆତଙ୍କରାଜ୍ ଚଳାଉଛନ୍ତି। ରାତିରେ ମହିଳାମାନେ ରାଜଧାନୀରେ ସୁରକ୍ଷିତ ନୁହନ୍ତି। ରାତି ପାଟ୍ରୋଲିଂ ପାଇଁ ଯଥେଷ୍ଟ ପୁଲିସ କର୍ମଚାରୀ ନାହାନ୍ତି। ସହରର ସୁରକ୍ଷା ପାଇଁ ଯେତିକି ପୁଲିସ କର୍ମଚାରୀ, ପିସିଆର୍ ଆବଶ୍ୟକ, ତାହା ମଧ୍ୟ ନାହିଁ। ଭିତ୍ତିଭୂମି ବେଶ୍ ଦୁର୍ବଳ ହୋଇପଡ଼ିଛି। ସେହିପରି କାର୍ଯ୍ୟରତ ଅଧିକାରୀ, କର୍ମଚାରୀମାନେ ହାଫ୍ ପ୍ୟାଣ୍ଟ, ନାଇଟି, ଟି’ସାର୍ଟ ପିନ୍ଧି ଥାନାରେ ରହୁଛନ୍ତି। ବିନା ୟୁନିଫର୍ମରେ ବୁଲୁଥିବାରୁ ସେମାନେ ଥାନା କର୍ମଚାରୀ ନା ଅଭିଯୋଗକାରୀ ସ୍ପଷ୍ଟ ହୋଇପାରୁନି। ତେଣୁ ପୁଲିସ୍ ପାଇଁ ଡ୍ରେସ୍କୋଡ୍ ଅଛି କି ନାହିଁ ବୋଲି ସେ ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଛନ୍ତି।
ମୋହନ ସରକାର ଏବେ ମୌନ ସରକାର: କଂଗ୍ରେସ
ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ନିଜର ୧୦୦ ଦିନର ସଫଳତା ବଖାଣୁଛନ୍ତି। ହେଲେ ରାଜ୍ୟର ମହିଳାମାନେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛନ୍ତି। ନାରୀ ନିର୍ଯାତନା, ଗଣଦୁଷ୍କର୍ମ, ଆଦିବାସୀ, ଦଳିତ, ପୁଲିସ ଅତ୍ୟାଚାର ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣେ ଆଦିବାସୀ ହୋଇଥିବା ସତ୍ତ୍ବେ ଆଦିବାସୀ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ସୋନାଲି ସାହୁ କହିଥିଲେ, ଅଣ ବିଜେପି ଶାସିତ ରାଜ୍ୟରେ ଘଟୁଥିବା ଅଘଟଣରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରିପୋଷ୍ଟ କରି ଦୁଃଖ ପ୍ରକାଶ କରୁଛନ୍ତି। ମାତ୍ର ନିଜ ରାଜ୍ୟରେ ମହିଳାଙ୍କ ପାଇଁ ମୋହନ ସରକାର ମୌନ ସରକାର ସାଜିବା ଦୁର୍ଭାଗ୍ୟଜନକ। ଢେଙ୍କାନାଳରେ ଗଣଦୁଷ୍କର୍ମ, ସୁନ୍ଦରଗଡ଼ କୁତ୍ରା, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ପରିବାରକୁ ଭେଟିବା ତ ଦୂରର କଥା ଦୁଃଖ ପ୍ରକାଶ ମଧ୍ୟ କରିନାହାନ୍ତି। ନାରୀ ନିର୍ଯାତନା ଓ ଦୁଷ୍କର୍ମରେ ଓଡ଼ିଶା ଏବେ ଉତ୍ତରପ୍ରଦେଶ ମୁହାଁ ବୋଲି ସେ ଅଭିଯୋଗ କରିଥିଲେ।
ମନୀଷା ଦାସପଟ୍ଟନାୟକ କହିଥିଲେ, ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୁଲିସ କର୍ମଚାରୀଙ୍କ ଦ୍ବାରା ଯେଉଁଭଳି ଭାବେ ବର୍ବରୋଚିତ ବ୍ୟବହାର କରଗଲା ତାହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ସେହିପରି ଜୟଶ୍ରୀ ପାତ୍ର କହିଥିଲେ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇ ମଧ୍ୟ ଏସବୁ ଘଟଣାରେ କିଭଳି ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ରାଜ୍ୟ ସରକାର ଯତ୍ନଶୀଳ ନ ହେଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ସବୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିଜେପି କାର୍ଯ୍ୟାଳୟ ମଧ୍ୟ ଘେରାଉ କରିବାକୁ ପଛାଇବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/i6XiRuwITFJYktioD46R.jpg)