କରୋନା ପରୀକ୍ଷା ପାଇଁ ସରକାରଙ୍କ ଆନ୍ତରିକତା ଏମିତି, ମାସେ ପରେ ବି କାର୍ଯ୍ୟକ୍ଷମ ହେଲାନି ଏଡିଆର୍‌ଆଇ ଲ୍ୟାବ୍‌

କଟକ : ବଢ଼ାଯିବ ସ୍ବାବ୍‌ ପରୀକ୍ଷା ସଂଖ୍ୟା। ରାଜ୍ୟରେ ପ୍ରତିଦିନ ୧୦ହଜାର କରୋନା ସ୍ବାବ୍‌ ପରୀକ୍ଷା ହେବ। ଏଥିପାଇଁ ବଢ଼ାଯିବ ପରୀକ୍ଷାକେନ୍ଦ୍ର ସଂଖ୍ୟା। କଟକ ଫୁଲନଖରାସ୍ଥିତ ଆନିମଲ ଡିଜିଜ୍‌ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍‌(ଏଡିଆର୍‌ଆଇ)ରେ ହେବ କରୋନା ପରୀକ୍ଷା। ଗତ ଏପ୍ରିଲ ୩୦ରେ ଏ ସଂପର୍କରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏସ୍‌ସିବିରୁ ଜଣେ ମାଇକ୍ରୋ ବାୟୋଲୋଜିଷ୍ଟଙ୍କ ସମେତ ୪ଜଣ ଭାଇରୋଲୋଜିଷ୍ଟଙ୍କୁ କେନ୍ଦ୍ରରେ ନିୟୋଜିତ କରାଯାଇଥିଲା। ହେଲେ, ୩୭ଦିନ ପରେ ବି ଏଠାରେ କରୋନା ପରୀକ୍ଷା ଆରମ୍ଭ ହୋଇପାରିନି। ପରୀକ୍ଷା ହେବା ତ ଦୂରର କଥା, ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇନାହିଁ। ଯନ୍ତ୍ରାଂଶ କି ମେସିନ୍‌ ମଧ୍ୟ ପ୍ରସ୍ତୁତ ହୋଇପାରିନଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କଟକ ଫୁଲନଖରାସ୍ଥିତ ଏଡିଆର୍‌ଆଇରେ କରୋନା ପରୀକ୍ଷା ପାଇଁ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଗତ ଏପ୍ରିଲ ୩୦ତାରିଖରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏପରିକି ଦୁଇଦିନ ଭିତରେ ଏସ୍‌ସିବିର ମା‌ଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ଦିବ୍ୟପ୍ରସନ୍ନ ମହାନ୍ତିଙ୍କ ସହ ଖୋର୍ଦ୍ଧାର ଏସ୍‌ଡିଭିଓ ଡାକ୍ତର ମିହିର କୁମାର ନାୟକ, ଭିଏସ୍‌ ଡାକ୍ତର ବୀରେନ୍‌ କୁମାର ପୃଷ୍ଟି, କଳାହାଣ୍ଡିର ଏଡିଏଏସ୍‌ ଡାକ୍ତର ଅମିତ୍‌ ରଞ୍ଜନ ସାହୁ, ନରରଙ୍ଗପୁର ଏଡିଭିଓ ଡାକ୍ତର ସୁନିଲ କୁମାର ପ୍ରଧାନଙ୍କୁ ତୁରନ୍ତ ଏଡିଆରଆଇରେ ପହଞ୍ଚିବାକୁ କୁହାଯାଇଥିଲା। ପରୀକ୍ଷା ପାଇଁ କ’ଣ ଦରକାର ଓ ୭ଦିନ ଭିତରେ ଯେପରି ପରୀକ୍ଷା ଆରମ୍ଭ ହେବ ସେଥିପାଇଁ ଭିତ୍ତିଭୂମି ତଦାରଖ ସହ ଆବଶ୍ୟକତା ନେଇ ରାଜ୍ୟ ଔଷଧ ନିଗମକୁ ଚିଠି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଏଠାରେ କେଉଁ ସବୁ ଯନ୍ତ୍ରାଂଶ, ଉପକରଣ ଆବଶ୍ୟକ ତା’ର ଲମ୍ବା ତାଲିକା ସ୍ବାସ୍ଥ୍ୟ ବିଭାଗ ପାଖକୁ ପଠାଇ ଦିଆଯାଇଥିଲା। ଏପରିକି, ବଡ଼ ଡାକ୍ତରଖାନାର କାର୍ଯ୍ୟ ଚାପ ସତ୍ତ୍ବେ ଏସ୍‌ସିବିର ମା‌ଇକ୍ରୋବାୟୋଲୋଜିଷ୍ଟ ସ୍ବାବ୍‌ ପରୀକ୍ଷା ପାଇଁ ଏଡିଆର୍‌ଆଇରେ ୧୫ଦିନ ରହିଥିଲେ। ଏଥିସହିତ, ଦାୟିତ୍ବ ଦିଆଯାଇଥିବାରୁ ନିଜ ଜିଲ୍ଲା ଛାଡ଼ି ୪ଜଣ ଭାଇରୋଲୋଜିଷ୍ଟ ମଧ୍ୟ ଏଠାରେ ପହଞ୍ଚିଥିଲେ। ମାତ୍ର, ଯେଉଁ ଉଦ୍ଦେଶ୍ୟ ରଖି ଏତେସବୁ କ‌ାର୍ଯ୍ୟ ତ୍ବରିତ୍‌ ବେଗରେ କରାଯାଇଥିଲା ତାହା ଏପର୍ଯ୍ୟନ୍ତ ସାଧିତ ହୋଇନାହିଁ।

ଏଡିଆର୍‌ଆଇରେ ଗବେଷଣା ପାଇଁ ଥିବା ଭାଇରୋଲୋଜି ବିଭାଗରେ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଯାହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା କରିଥିଲେ। ଆରଏମ୍‌ଆରସିରେ ସ୍ବାବ୍‌ ପରୀକ୍ଷା ପାଇଁ ଯେଉଁ ପ୍ରକାର ମେସିନ୍‌ ଲଗାଯାଇଛି ସେହି ଏକପ୍ରକାର ସେମିନ୍‌ ହିଁ ଏଠାରେ ବସିବା ଆବଶ୍ୟକ ଥିଲା। ଯଦି କୌଣସି ରିପୋର୍ଟକୁ ନେଇ ଦ୍ବନ୍ଦ୍ବ ଉପୁଜେ, ଭିନ୍ନ ମେସିନ୍‌ ହେଲେ ଆରଏମ୍‌ଆରସିର ସହାୟତା ମିଳିବାରେ ଅସୁବିଧା ହେବ ବୋଲି ଏପରି ଯୋଜନା କରାଯାଇଥିଲା। ସେଥିପାଇଁ ଲମ୍ବା ତାଲିକା କରାଯାଇ ସରକାରଙ୍କୁ ପଠାଯାଇଥିଲା। ହେଲେ, ଏବେ ବି ମେସିନ୍‌ କେନ୍ଦ୍ର ନିକଟରେ ପହଞ୍ଚି ପାରିନି। ଯାହାଫଳରେ, ଲାବୋଟେରୀ କାର୍ଯ୍ୟକ୍ଷମ ହୋଇନପାରିବାରୁ ଏସ୍‌ସିବିର ଡାକ୍ତର ନିଜର ମୂଳ କାର୍ଯ୍ୟକ୍ଷେତ୍ରକୁ ଫେରିଆସିଛନ୍ତି। ୪ଜଣ ଭାଇରୋଲୋଜିଷ୍ଟଙ୍କୁ ମଧ୍ୟ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି। ଯେଉଁଥିପାଇଁ ଫୁଲନଖରାସ୍ଥିତ ଏଡିଆର୍‌ଆଇରେ କରୋନା ପରୀକ୍ଷା କରାଯିବାକୁ ନେଇ ସନ୍ଦେହ ଉପୁଜିଛି। ଏପରିକି ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସେଠାରେ ଆଗକୁ କରୋନା ପରୀକ୍ଷା ହେବା ସମ୍ପର୍କରେ ବି କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ସରକାର ଅନେକ ଯୋଜନା ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହୋଇ ନ ପାରିବାର ଦୃଷ୍ଟାନ୍ତ ରହିଛି। ଏହି ଯୋଜନା ବି ସମାନ ଭାଗ୍ୟର ଶିକାର ହେବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର