କିଏ ଶୁଣୁଛି ଗରିବଙ୍କ କଥା: ପେଟ ପାଇଁ ପ୍ରୌଢ଼ ଦମ୍ପତିଙ୍କ ସଂଗ୍ରାମ

ଝାରସୁଗୁଡା : ଝାରସୁଗୁଡ଼ା ଏପରି ଏକ ସହର ଯେଉଁଠି ଲୋକଙ୍କ ମୁଣ୍ଡପିଛା ଆୟ ଦେଶରେ ସର୍ବାଧିକ। ଏଠି ରହିଛି ଆଧୁନିକ ସହରର ସବୁ ପ୍ରକାର ଚାକଚକ୍ୟ ଓ ବିଳାସପୂର୍ଣ୍ଣ ଜୀବନଯାପନ ପ୍ରଣାଳୀ। ଏଠି ରହିଛି ଅନେକ ଶିଳ୍ପ କାରଖାନା। ଦେଶର  ସର୍ବବୃହତ କୋଇଲା ଖଣି, ସର୍ବପୁରାତନ ରେଳ ଜଙ୍କସନ୍‌। ରାଜ୍ୟର ଦ୍ବିତୀୟ ବିମାନବନ୍ଦର, ବଡ଼ ବଡ଼ ବ୍ୟାବସାୟିକ ମଲ। ଲୋକଙ୍କ ମୁଣ୍ଡପିଛା ଆୟ ଦେଶରେ ସର୍ବାଧିକ ବୋଲି ବିଭିନ୍ନ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ। ତେବେ ଏଭଳି ଏକ ସହରରେ ଗରିବ ଓ ଦାରିଦ୍ର୍ୟ ମଧ୍ୟ ଭରି ରହିଛି। ସହର ମଧ୍ୟରେ ପ‌ୌରାଞ୍ଚଳ ଭିତରେ ଏକ ପ୍ରୌଢ଼ ଦମ୍ପତିଙ୍କ ପେଟ ପାଇଁ ଅହରହ ସଂଗ୍ରାମ ଯାହା ଦେଖିଲେ ଆଖିରୁ ସ୍ୱତଃ ଲୁହ ଝରି ଆସିବ। ତେବେ ପ୍ରାଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କୁ ଏହା ଦେଖା ଯାଉନାହିଁ।

ଝାରସଗୁଡ଼ା ସରବାହାଲ ଗୌଡ଼ପଡ଼ାଠାରେ ରହୁଥିବା ଏହି ବୃଦ୍ଧ ଦମ୍ପତି ହେଲେ କିଶୋର ଚନ୍ଦ୍ର ମହାରାଜ (୮୫) ଓ ଶାନ୍ତିଦେବୀ ମହାରାଜ( ୭୪)। ବୟସର ଅପରାହ୍‌ଣରେ ପେଟ ଚାଖଣ୍ଡ‌େ ଓ ମୁଣ୍ଡ ଟିକେ ଗୁଞ୍ଜିବା ପାଇଁ  ଆଜିକୁ  ୫୦ ବର୍ଷ ଧରି ସଂଗ୍ରାମ ଜାରି ରଖିଛନ୍ତି। କିଶୋର ମହାରାଜ ସରକାରୀ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଟିକେ ପାଉଥିବା ବେଳେ ରାସନ କାର୍ଡରେ ମାସିକ ୧୦ କେଜି ଚାଉଳ ପାଆନ୍ତି। ଏହି ଦମ୍ପତି ତାଙ୍କ ତିନି ଝିଅଙ୍କୁ  କେବେଠାରୁ ବାହା କରି ଦେଇଛନ୍ତି। ସେମାନେ ଅନ୍ୟତ୍ର ରହୁଛନ୍ତି। ଏବେ ଏମାନଙ୍କ ପାଖରେ କେହି ନାହାନ୍ତି। ରହୁଥିବା ଭଙ୍ଗା ଛପର ଘର ଅନ୍ୟ ଜଣଙ୍କର ହୋଇଥିବା ବେଳେ ଘର ଉପରେ ଥିବା ଛପର ସବୁ ଭାଙ୍ଗି ଯାଇଛି। ବର୍ଷାରେ ପାଣି ଗଳି ଘରର ମାଟିକାନ୍ଥ ଅଧାଭଙ୍ଗା ହୋଇ ରହିଛି। କେଉଁ ମୁହୂର୍ତ୍ତରେ ଏହି କାନ୍ଥ ଭାଙ୍ଗିଯିବ କହି ହେବ ନାହିଁ। କିଶୋର ମହାରାଜ ଘରେ ପଡ଼ି ଯାଇ ତାଙ୍କର ଦୁଇ ହାତ ଭଙ୍ଗି ଯାଇଥିବାରୁ ସେ ହାତରେ ବାଡ଼ି ମଧ୍ୟ ଧରି ଚାଲି ପାରୁ ନାହାନ୍ତି। ଶାନ୍ତିଦେବୀ ମଧ୍ୟ ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ସତ୍ତ୍ବେ ସ୍ୱାମୀଙ୍କ ସେବା ଓ ଘର ପାଇଁ ଖାଦ୍ୟ ଯୋଗାଡ଼ରେ ବ୍ୟସ୍ତ ରୁହନ୍ତି। କିଶୋର ପାଉଥିବା ମାସିକ ଭତ୍ତାରେ ଘର ଚଳାଇବା କଷ୍ଟକର। ଫଳରେ ପତ୍ନୀ ଅମାବାସ୍ୟା ଓ ସଂକ୍ରାନ୍ତି ଦିନ କିଛି ଘରୁ ମିଳୁଥିବା ଅଟା ଓ ଚାଉଳରେ ମାସ ସାରା ଚଳନ୍ତି।

ବର୍ଷା ହେଲେ ଘର ଭିତରେ ସବୁଆଡ଼େ ପାଣି ଗଳୁଥିବାରୁ ବୃଦ୍ଧ ଦମ୍ପତି ସାରା ରାତି ଗୋଟିଏ କଣରେ ବସି ରୁହନ୍ତି। ଘରେ ପାଣି ସୁବିଧା ନାହିଁ କି ବିଜୁଳି ସୁବିଧା ନାହିଁ। ପରିମଳ ପାଇଁ ଘରେ ପାଇଖାନା ନିର୍ମାଣ ପାଇଁ କହିବାରୁ ଏମାନେ ବହୁ କଷ୍ଟରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଗାତ ଖୋଳିଥିଲେ ମାତ୍ର ପାଇଖାନା ନିର୍ମାଣ ପାଇଁ ଅର୍ଥ ମିଳି ନଥିଲା। ଶାନ୍ତିଦେବୀଙ୍କୁ ଯଦି କିଛି ଭତ୍ତା ମିଳି ଯା’ନ୍ତା ତେବେ ହୁ‌ଏତ ସେମାନେ ଆଉ ଟିକେ ଚଳିବା ପାଇଁ ସୁବିଧା ହୁଅନ୍ତା, ମାତ୍ର ଆଜିକୁ  ବର୍ଷାଧିକ କାଳ ହେଲା ଝାରସୁଗୁଡ଼ା ପୌରସଂସ୍ଥାରେ ତାଙ୍କ ଆବେଦନ ପଡ଼ି ରହିଛି। ‌ଇତି ମଧ୍ୟରେ ତିନି ନିର୍ବାହୀ ଅଧିକାରୀ ବଦଳିଲେଣି। ଶାନ୍ତିଦେବୀଙ୍କ ଦୁଃଖ ଏମାନଙ୍କ ଆଖିରେ ପଡ଼ି ପାରୁ ନାହିଁ। ଗତ ଡିସେମ୍ବର ବର୍ଷାରେ ଘର ଉପରୁ ଓ ଭିତରୁ ପାଣି ଗଳୁଥିବା ବେଳେ କିଛି ସମାଜସେବୀଙ୍କ ଉଦ୍ୟମରେ ଘ‌ର ଉପରେ ପାଲ ପକା ଯାଇଥିଲା। ଏହି ପାଲ ଏବେ ଫାଟି ଯାଇଛି। କିଛି ଦିନର ବର୍ଷା ଏହି ଦମ୍ପତିଙ୍କ ଜୀବନଧାରଣ ବିପର୍ଯ୍ୟସ୍ତ କରି ପକାଇଛି। ସେମାନେ ୫୦ ବର୍ଷ ଧରି  ରହୁଥିବା ଘର ଓ ଜମି ତାଙ୍କ ନାମରେ ନଥିବାରୁ  ସରକାରୀ ଆବାସ ଯୋଜନାର ସୁବିଧା ମଧ୍ୟ ମିଳି ପାରୁନାହିଁ। ଭୂମିହୀନମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା  ୪ ଡିସିମିଲ ଜମି ଯୋଜନା ମଧ୍ୟ ଏହି ‌ଦମ୍ପତିଙ୍କ ପାଇଁ କୌଣସି କାମରେ ଆସୁନାହିଁ। ଜମି ନାହିଁ ତ ଆବାସ ଯୋଜନା ନାହିଁ କହି ସରକାରୀ କର୍ମଚାରୀ ମୁହଁ ମୋଡି ଦେଉଛନ୍ତି। ସାମାନ୍ୟ ଭତ୍ତା ଗଣ୍ଡେ ପାଇଁ ଏହି ବୃଦ୍ଧାଙ୍କୁ ବର୍ଷ ବର୍ଷ ଧରି ଦୌଡ଼ିବାକୁ ପଡ଼ୁଛି। ତଥାପି ଏମାନଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ ନାହିଁ କି ମନରେ ମାନବିକତା ଉଦ୍ରେକ ହେଉନାହିଁ।

ସମ୍ବନ୍ଧିତ ଖବର