ଆଧ୍ୟାତ୍ମିକ ଭିତ୍ତିଭୂମି ଉପରେ ଭାରତର ସ୍ବାଧୀନତା ପର୍ଯ୍ୟବସିତ: ରାଜ୍ୟପାଳ

ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ‘ବୃଦ୍ଧିଜୀବୀ ସମ୍ମିଳନୀ’

ଭୁବନେଶ୍ବର : ଭାରତର ସ୍ବାଧୀନତା, ଆଧ୍ୟାତ୍ମିକ ଭିତ୍ତିଭୂମି ଉପରେ ପର୍ଯ୍ୟବସିତ। ଏହା କେବଳ ଗୋଟିଏ ଦେଶର ସ୍ବାଧୀନତାର ବାର୍ତ୍ତା ବହନ କରେ ନାହିଁ, ସମଗ୍ର ପୃଥିବୀ ପାଇଁ ଏକ ବିଶିଷ୍ଟ ସନ୍ଦେଶ। ଏହାକୁ ଆଧାର କରି ସମଗ୍ର ମାନବ ଜାତିର ଗତିପଥ ନିୟନ୍ତ୍ରିତ ହେବା ଉଚିତ। ସ୍ବାଧୀନତାର ଇଚ୍ଛା ଓ ଆକାଂକ୍ଷା କେବଳ ରାଜନୈତିକ ନଥିଲା, ତାହା ସାମଗ୍ରିକ ଏକତାର ଏବଂ ମାନବର ପରିପୂର୍ଣ୍ଣ ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା। ଭାରତର ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ଏହି ବାର୍ତ୍ତା ସାରା ପୃଥିବୀକୁ ବ୍ୟାପିବା ଦରକାର। ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ‘ସ୍ବତନ୍ତ୍ରତାର ଅମୃତ ମହୋତ୍ସବ ସମିତି’ ପକ୍ଷରୁ ଆଇଟିଇଆର୍‌ ସମ୍ମିଳନୀ କକ୍ଷରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଏହା କହିଛନ୍ତି।

ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଶାର ଭୂମିକା ଅବର୍ଣ୍ଣନୀୟ: ରାମ ମାଧବ

ସମିତିର ସଭାପତି ହରିହର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ବିଶିଷ୍ଟ ଲେଖକ ରାମମାଧବ କହିଲେ, ସ୍ବାଧୀନତା ଆନ୍ଦୋଳନରେ କଂଗ୍ରେସ ମହତ୍ବପୂର୍ଣ୍ଣ ଭୂମିକା ନେଇଥିଲା। ମହାତ୍ମା ଗାନ୍ଧୀ କଂଗ୍ରେସ ଆନ୍ଦୋଳନକୁ ସମ୍ପନ୍ନ ବର୍ଗଙ୍କ ହାତରୁ କାଢ଼ି ଆଣି ତାହାକୁ ସର୍ବସାଧାରଣ ଆନ୍ଦୋଳନର ପରିଚିତି ଦେଇଥିଲେ। ସେ ସମୟର ଏହି ମୁଖ୍ୟ ଆନ୍ଦୋଳନ ସହ କ୍ରାନ୍ତିଧାରୀମାନେ ମଧ୍ୟ ନିଜନିଜ ସ୍ତରରେ ଆନ୍ଦୋଳନ ଚଳାଇଥିଲେ। ଏପରିକି, ଓଡ଼ିଶାର ପାଇକ ଆନ୍ଦୋଳନ, ଭାରତର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ଭାବେ ଉଭା ହୋଇଥିଲା। ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଶାର ଭୂମିକା ଅବର୍ଣ୍ଣନୀୟ। ଭାରତକୁ ସ୍ବାଧୀନତା ଦେବା ପାଇଁ ଅନିଚ୍ଛୁକ ଥିବା ଇଂରେଜ ଶାସକମାନେ ଭାବିଥିଲେ ଯେ ଭାରତୀୟମାନେ ସ୍ବାଧୀତନାକୁ ସମ୍ଭାଳି ରଖିପାରିବେ ନାହିଁ। ହେଲେ ଆଜି ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଭାରତ ନିଜ ସ୍ବାଧୀନତାକୁ ବଜାୟ ରଖିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିପାରିଛି। ଏହାକୁ ଆମ ଉତ୍ତରପିଢ଼ିମାନେ ଜାଣିବାର ଆବଶ୍ୟକତା ରହିଛି। ‌ସେ ଆହୁରି କହିଥିଲେ, ଏହି ୭୫ ବର୍ଷ ଭିତରେ ଆମେ ଯାହା ସବୁ ପାଇଛେ, ସେସବୁ ଆମ ପାଇଁ ବଡ଼ ଉପଲବ୍ଧି। ସର୍ବପୁରାତନ ଗଣତନ୍ତ୍ର ବୋଲି ଦାବି କରୁଥିବା ଆମେରିକା ୨୩୦ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ହେଲେ ମହିଳାଙ୍କୁ ରାଷ୍ଟ୍ରପତି କରିପାରିନାହିଁ। ମାତ୍ର ୭୫ ବର୍ଷର ଗଣତନ୍ତ୍ର ଭାରତ ୨ଟି ମହିଳାଙ୍କୁ ରାଷ୍ଟ୍ରପତି କରାଇ ଦେଶର ପ୍ରଥମ ନାଗରିକର ସମ୍ମାନ ପ୍ରଦାନ କରିଛି। କାର୍ଯ୍ୟକ୍ରମରେ ସମିତିର ସଂପାଦକ ରବିନାରାୟଣ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ସୁମନ୍ତ ପଣ୍ଡା, ବସନ୍ତ ପତି, ଜୟକୃଷ୍ଣ ପୃଷ୍ଟି, ନିରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର