ମାମଲା ରୁଜୁରେ ରାଜ୍ୟ ଆଗୁଆ; ଚାର୍ଜସିଟ୍ ଦାଖଲରେ ପଛୁଆ

ଭୁବନେଶ୍ବର : ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ପକ୍ଷରୁ ରାଜ୍ୟର ଅପରାଧକୁ ନେଇ ୨୦୨୧ ମସିହାର ତଥ୍ୟ ପ୍ରକାଶ ପାଇଛି। ଏହି କ୍ରମରେ ଦୁର୍ନୀତିକୁ ନେଇ ମଧ୍ୟ ଏନ୍‌ସିଆର୍‌ବି ରିପୋର୍ଟ ପ୍ରଦାନ କରିଛି। ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ରାଜ୍ୟରେ ଭିଜିଲାନ୍ସ, ଏସିବି ଓ ଲୋକାୟୁକ୍ତ ମାମଲା ରୁଜୁ ଓ ବାନ୍ଧିବାରେ ଯେତିକି ତତ୍ପରତା ଦେଖାଉଛନ୍ତି, ଚାର୍ଜସିଟ୍ ଦାଖଲ ଓ ଦଣ୍ଡାଦେଶ ହାରକୁ ନେଇ ସେତିକି ଶିଥିଳତା ପ୍ରକାଶ ପାଉଛି। ଯେଉଁଥିପାଇଁ ଦୋଷୀ ସାବ୍ୟସ୍ତ ହାରଠୁ ନିର୍ଦ୍ଦୋଷଙ୍କ ସଂଖ୍ୟା ଅଧିକ ରହିଛି।

ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ୨୦୨୧ରେ ରାଜ୍ୟରେ ୨୬୫ଟି ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ତନ୍ମଧ୍ୟରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପରୋକ୍ତ ୩ତଦନ୍ତକାରୀ ଦଳ ଦେଶରେ ସର୍ବାଧିକ ୯୨ଟି ମାମଲା ରୁଜୁ କରିଥିବା ବେଳେ ଲାଞ୍ଚ ନେଉଥିବା ସମୟରେ ୯୮ଜଣଙ୍କୁ ଗିରଫ କରିଛି।

୧୫୯୦ ଦୁର୍ନୀତି ମାମଲାର ତଦନ୍ତ ଅଧୁରା
ଦୋଷୀ କମ୍ ନିର୍ଦ୍ଦୋଷ ଅଧିକ
୪୬ ଦୁର୍ନୀତିଖୋର୍‌ଙ୍କ ମଧ୍ୟରୁ ୧୨ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

deccanchronicle.com

ଅପରପଟେ ଯେଉଁ ଗତିରେ ଭିଜିଲାନ୍ସ, ଏସିବି ଓ ଲୋକାୟୁକ୍ତ ମାମଲା ରୁଜୁ କରୁଛନ୍ତି, ସେହି ହାରରେ ଦୁର୍ନୀତିର ତଦନ୍ତ କରିବାରେ ସମର୍ଥ ହେଉନାହାନ୍ତି। ଯେଉଁଥିପାଇଁ ଏବେ ରାଜ୍ୟରେ ପ୍ରାୟ ୧୫୯୦ଟି ଦୁର୍ନୀତି ମାମଲାର ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ ହୋଇପାରିନାହିଁ। ସେହିଭଳି କୋର୍ଟରେ ମଧ୍ୟ ଦଶନ୍ଧି ଦଶନ୍ଧି ଧରି ମାମଲା ଗଡ଼ୁଛି। ପୂର୍ବରୁ ୩୪୬୫ଟି ମାମଲାର ବିଚାର ଆରମ୍ଭ ହୋଇପାରିନଥିବା ବେଳେ ୩ତଦନ୍ତକାରୀ ସଂସ୍ଥା ଆଉ ୨୪୨ଟି ମାମଲାର ଶେଷ ଚାର୍ଜସିଟ୍ ଦାଖଲ କରିଥିଲେ। ଏହି କ୍ରମରେ ୩୭୦୫ଟି ମାମଲାର ବିଚାର ୨୦୨୧ ଶେଷ ସୁଦ୍ଧା ହେବାର ଥିଲା। ସେଥିମଧ୍ୟରୁ କୋର୍ଟରେ ମାତ୍ର ୧୪୬ଟି ମାମଲାର ଶୁଣାଣି ଶେଷ ହୋଇଛି। ତେଣୁ ୨୦୨୧ ଶେଷ ସୁଦ୍ଧା ଆହୁରି ୩୫୫୯ ମାମଲା ବିଚାରାଧୀନ ଭାବେ କୋର୍ଟରେ ପଡ଼ିରହିଛି। ସେହିଭଳି ରାୟ ପ୍ରକାଶ ପାଇ ୧୪୬ଟି ମାମଲାରୁ ମାତ୍ର ୩୭ଟି ମାମଲାରେ ଦଣ୍ଡାଦେଶ ମିଳିଛି। ୫୦ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଦୋଷୀ ସାବ୍ୟସ୍ତ ହାରରେ ବିହାର ଦେଶରେ ଶୀର୍ଷରେ ରହିଥିବା ବେଳେ ତାମିଲନାଡ଼ୁ ୮୫.୭ପ୍ରତିଶତ ସହ ଦ୍ବିତୀୟ ଓ ୮୨.୭ ପ୍ରତିଶତ ମଧ୍ୟପ୍ରଦେଶ ତୃତୀୟରେ ରହିଛନ୍ତି।

ସେହିଭଳି ଶୂନ୍ୟ ସହନଶୀଳତାର କଥା କହୁଥିବା ଓଡ଼ିଶା ସରକାର ଦୁର୍ନୀତିଖୋର୍‌ଙ୍କ ପ୍ରତି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାରେ ମଧ୍ୟ ବିଫଳ ହୋଇଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୧ରେ ୫୪୮ଜଣ ଦୁର୍ନୀତିଖୋର୍‌ ଅଭିଯୁକ୍ତଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ୧୭୫ଜଣଙ୍କୁ ଗିରଫ କରିଛି। ସେଥିମଧ୍ୟରୁ ୪୬ଜଣ ଦୁର୍ନୀତିଖୋର୍ ଦଣ୍ଡିତ ହୋଇଥିବା ବେଳେ ୬୬ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଆଉ ଏହି ୪୬ଜଣ ଦୁର୍ନୀତିଖୋରଙ୍କ ମଧ୍ୟରୁ ୧୨ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର