ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ର ବହୁମୂଲ୍ୟ ଜମି ଜବରଦଖଲକାରୀଙ୍କ କବ୍ଜାରେ। ଆର୍ଏସ୍ପି ସ୍ଥାପନ ବେଳକୁ ଏଠାରେ ମାତ୍ର ୨ଟି ବସ୍ତି ଥିବାବେଳେ ଏବେ ଏହା ୩ ଶହ ପାର୍ କଲାଣି; ଯାହାକି ଆର୍ଏସପି ସହରାଞ୍ଚଳରେ ଜବରଦଖଲ ମାତ୍ରା କେତେ, ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ। ଏବେ ବେପାରୀମାନେ ଆର୍ଏସ୍ପି କ୍ବାର୍ଟର, କାର୍ଯ୍ୟାଳୟର କାନ୍ଥବାଡ଼କୁ ଜବରଦଖଲକୁ ନେଇ ମନମର୍ଜି ବିଜ୍ଞାପନ କରୁଛନ୍ତି। କାନ୍ଥବାଡ଼ରେ ଚିତ୍ର ଆଙ୍କି, ବୋର୍ଡ ଲଗାଇ, ପାମ୍ପଲେଟ୍ ଛାପି, ବ୍ୟାନର ଲଗାଇ ନିଜର ପ୍ରଚାର ପ୍ରସାର କରୁଛନ୍ତି। ବିଜ୍ଞାପନ ବାବଦକୁ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) କୋଟି ଟଙ୍କା ଆଦାୟ କରୁଥିବାବେଳେ ଆର୍ଏସ୍ପିର କିନ୍ତୁ ରାଜସ୍ବ ହାନୀ ହୋଇଚାଲିଛି।
/sambad/media/post_attachments/wp-content/uploads/2022/05/f36ae9fd-1d5d-400f-ab39-81d8c6d732a0.jpg)
ଆର୍ଏସ୍ପି ପକ୍ଷରୁ ନିର୍ମିତ ବିଭିନ୍ନ କ୍ବାର୍ଟର, କମ୍ୟୁନିଟି ସେଣ୍ଟର, ସୋସିଆଲ ହୋମ୍ ଆଦିର କାନ୍ଥ, ପାଚେରୀରେ ଏବେ ଭିନ୍ନ ଭିନ୍ନ କିସମର ରଙ୍ଗବେରଙ୍ଗ ବିଜ୍ଞାପନ ଦେଖିବାକୁ ମିଳୁଛି। ସେକ୍ଟର-୧, ସେକ୍ଟର-୬, ସେକ୍ଟର-୨୦ ସମେତ ବିଭିନ୍ନ ଅଞ୍ଚଳରେ ସମାନ ଦୃଶ୍ୟ ପରିଲକ୍ଷିତ ହୁଏ। ଏମିତିକି ସେକ୍ଟଣ-୬ ଟାଉନ ଇଞ୍ଜିନିୟରିଂ ଇଲେକ୍ଟ୍ରିକାଲ ବିଭାଗର ବୁଥ୍କୁ ବି ଛାଡ଼ିନାହାନ୍ତି ବୋପାରୀ। ଏହି କାର୍ଯ୍ୟାଳୟର ପାଚେରୀରେ ‘ଡାଲମିଆ ସିମେଣ୍ଟ’, ‘ନାରାୟଣୀ ଏଣ୍ଟରପ୍ରାଇଜେସ’ର ବିଜ୍ଞାପନ ରହିଛି। ଏତଦ୍ବ୍ୟତୀତ ଉକ୍ତ ଇଲେକ୍ଟ୍ରିକାଲ ବୁଥ୍ର ଅନତି ଦୂରରେ ବି’ ବ୍ଲକର କ୍ବାର୍ଟର, ସେକ୍ଟର-୬ ସ୍ଥିତ ଘରର ପାଚେରୀରେ ଚିତ୍ର ଆଙ୍କି ବିଜ୍ଞାପନ କରାଯାଉଛି। ପୂର୍ବରୁ ମଧ୍ୟ ଆର୍ଏସ୍ପିର ଭିତ୍ତିଭୂମିକୁ ବ୍ୟବହାର କରି ବେପାରୀ ନିଜ ବ୍ୟବସାୟ ଚଲାଇଥିବା ଦେଖିବାକୁ ମିଳିଥିଲା।
ଆର୍ଏସ୍ପି ସହରାଞ୍ଚଳରେ ଥିବା ବିଭିନ୍ନ ଖୁଣ୍ଟରେ କେବୁଲ ବ୍ୟବସାୟୀ, ଇଣ୍ଟରନେଟ ବ୍ୟବସାୟୀ ନିଜେ ତାର ଟାଣି କୋଟିକୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ମାତ୍ର ଏ ବାବଦକୁ ଆର୍ଏସ୍ପି ଗୋଟିଏ ଟଙ୍କା ବି ରାଜସ୍ବ ପାଉନି। ଅବଶ୍ୟ ଚଳିତବର୍ଷ ପ୍ରଥମ ଥର ପାଇଁ ଜିଓ ଫାଇବରକୁ ଇସ୍ପାତ ସହରାଞ୍ଚଳ ରେ ବ୍ୟବସାୟ କରିବାକୁ ଅନୁମତି ପ୍ରଦାନ କରି କିଛି ରାଜସ୍ବ ଆଦାୟ ହୋଇଛି। ତେବେ ଏଠାରେ ପ୍ରଶ୍ନ ଉଠେ, ପ୍ରମୁଖ ଅଞ୍ଚଳ ତଥା ରାସ୍ତା କଡ଼ରେ ଥିବା ଭିତ୍ତିଭୂମିରେ ମାଗଣାରେ ବିଜ୍ଞାପନ କରିବାର ସୁଯୋଗ ଦିଆଯିବାର କାରଣ କ’ଣ? ବିଜ୍ଞାପନ କରୁଥିବା ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନ ନେବା ପଛରେ କି ଉଦ୍ଦେଶ୍ୟ ରହିଛି? ଉଲ୍ଲେଖଯୋଗ୍ୟ, ଜବରଦଖଲ ଉଚ୍ଛେଦ ପାଇଁ ଆର୍ଏସ୍ପି ପକ୍ଷରୁ କର୍ମଚାରୀ ବି ନିଯୁକ୍ତ ଅଛନ୍ତି। ତଥାପି ଏସବୁ କର୍ମଚାରୀଙ୍କ ନଜରରେ ନ ପଡ଼ିବା ପଛରେ ଅସାଧୁ ମେଣ୍ଟ ଥିବା ଅଭିଯୋଗ ହୁଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/523c560d-cabb-486c-8084-8b27be55c518.jpg)