ଆର୍‌ଡବ୍ଲୁଏସ୍‌ଏସ୍‌ରେ ବିଜ୍ଞାପନ ହୋର୍ଡିଂ ଦୁର୍ନୀତି

୮୮ଲକ୍ଷର ଅଫଲାଇନ୍ ଟେଣ୍ଡର କାହା ସ୍ବାର୍ଥରେ?

ଯାଜପୁର: ଯାଜପୁର ଆର୍‌ଡବ୍ଲୁଏସ୍‌ଏସ୍‌ ଡିଭିଜନ (ଚଣ୍ଡିଖୋଲ)ର କେଳେଙ୍କାରୀକୁ ଚର୍ଚ୍ଚା। ନଳକୂପ, ବସୁଧା ଯୋଜନା ଓ ମେଗା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ସହିତ ପାଣି ପରୀକ୍ଷା ଓ ବିଜ୍ଞାପନ ହୋର୍ଡିଂରେ ହୋଇଥିବା କେଳେଙ୍କାରୀକୁ ନେଇ ଅଧିକାରୀ ହରଡ଼ଘଣାରେ ପଡ଼ିଛନ୍ତି। ଅନେକ ପ୍ରକଳ୍ପରୁ ପାଣି ବାହାରୁ ନଥିବା ବେଳେ ୮୮ଲକ୍ଷ ଟଙ୍କା ବିଜ୍ଞାପନ ହୋର୍ଡିଂ ବାବଦରେ ଖର୍ଚ୍ଚ ହୋଇଛି। ତେବେ, ଏହାକୁ ଅନ୍‌ଲାଇନ୍‌ ଟେଣ୍ଡର ବଦଳରେ ଅଫ୍‌ଲାଇନ୍‌ ଟେଣ୍ଡର କରାଯିବାକୁ ନେଇ ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ, ବିଜ୍ଞାପନ ହୋର୍ଡିଂରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲେଖାଯାଇ ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ ସମ୍ପର୍କରେ ସଚେତନ କରିବାର ଲକ୍ଷ୍ୟ ରହିଥିଲା। ଏଥିପାଇଁ ୭ ଅଗଷ୍ଟ ୨୦୨୧, ଚିଠି ନମ୍ବର ୧୨୮୧୩ରେ ସର୍ବୋଚ୍ଚ ଯନ୍ତ୍ରୀ ଆରଡବ୍ଲୁଏସ୍‌ଏସ୍‌ଙ୍କୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ବତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଥିଲେ। ଜଳ ଜୀବନ ମିସନ(ଜେଏମଏମ) ଯୋଜନା ଅର୍ଥରେ ଏହି ହୋର୍ଡିଂ ଲଗାଇବା ପାଇଁ ୧୫ ଅଗଷ୍ଟ ୨୦୨୧ରେ ସ୍ଥିର କରାଯାଇଥିଲା। ଯାଜପୁର ଜିଲ୍ଲାର ୧୦ ବ୍ଲକରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟସ୍ଥାନ ଓ ବିଭିନ୍ନ ଗ୍ରାମାଞ୍ଚଳରେ କାଁ ଭାଁ ହୋର୍ଡିଂ ଲଗାଯାଇଛି । ଯାଜପୁର ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍‌ରେ ଏ ନେଇ ହୋଇଥିବା ଟେଣ୍ଡରରେ କେଳେଙ୍କାରୀ ଅଭିଯୋଗ ଉଠିଛି। ଏହି ଡିଭିଜନରେ ୨ ପ୍ରକାର ହୋର୍ଡିଂ ଲଗାଯାଇଛି ।

୬ ଫୁଟ ଲମ୍ବ ୪ ଫୁଟ ଚଉଡ଼ାର ଗୋଟିଏ ହୋର୍ଡିଂର ମୂଲ୍ୟ ୨୩ ହଜାର ୭୪୭ ଟଙ୍କା ହିସାବରେ ୨୦୪ଟି ଲଗାଯାଇଥିବା ଦର୍ଶାଯାଇଛି। ସେହିପରି ୪ଫୁଟ ଲମ୍ବ ୩ ଫୁଟ ଚଉଡାର ଗୋଟିଏ ହୋର୍ଡିଂର ମୂଲ୍ୟ ୧୮ ହଜାର ୪୦ ଟଙ୍କା ଦର୍ଶାଇ ୨୨୨ ଗୋଟି ଲଗାଯାଇଛି । ଏଥିପାଇଁ ୮୮ ଲକ୍ଷ ୪୯ ହଜାର ୨୬୮ ଟଙ୍କା ଖର୍ଚ୍ଚ କରାଯାଇଛି । ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଏହି ୨ ପ୍ରକାର ହୋର୍ଡିଂ ଲଗାଇବା କାର୍ଯ୍ୟ ଦେବା ପାଇଁ ଡିଭିଜନ ଓ ସବ୍‌ଡିଭିଜନ ସ୍ତରରେ ଅଫ୍‌ଲାଇନ୍‌ ଟେଣ୍ଡର ହୋଇଛି। ଚଞ୍ଚକତା କରି ଏହି କାମକୁ ଭାଗ ଭାଗ କରି ୩ଟି ଟେଣ୍ଡର କଲ୍ ନୋଟିସ୍ କରିଛନ୍ତି । ଯାହାକି ବେଆଇନ ଅଟେ । ନୋଟିସ୍ ନମ୍ବର୍ ୮ ,୯ ,୧୦ ଯଥାକ୍ରମେ ୨୦୨୧ ନଭେମ୍ବର ୧୦ , ୨୦୨୧ ନଭେମ୍ବର ୩୦ ଓ ୨୦୨୧ ଡିସେମ୍ବର ୯ ତାରିଖରେ କରାଯାଇଛି ।

ତଥ୍ୟ ଅନୁଯାୟୀ ଏହି ୩ ଟି ଟେଣ୍ଡର କଲ୍ ନୋଟିସ ଏକ ମାସ ମଧ୍ୟରେ କରାଯାଇଛି । ତେବେ ଅଧିକାରୀ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହି କାମକୁ ଭାଗ ଭାଗ କରି ଅଫ୍‌ଲାଇନ ଟେଣ୍ଡର କଲେ ବୋଲି ପ୍ରଶ୍ନ ଉଠୁଛି। ଅନ୍‌ଲାଇନ ଟେଣ୍ଡରକୁ ସରକାର ଗୁରୁତ୍ଵ ଦେଉଥିବାବେଳେ ଏଠାରେ ଅଫ୍‌ଲାଇନ ଟେଣ୍ଡର କରାଯିବାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏହି ଡିଭିଜନରେ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ବେଆଇନ କାମ କରାଯାଇ କୋଟି କୋଟି ଟଙ୍କା ହରିଲୁଟ କରାଯାଇଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ଫିଟିବ ବୋଲି ସାଧାରଣରେ ଦାବି ଜୋର ଧରିଛି ।

ସମ୍ବନ୍ଧିତ ଖବର