ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଏହାସହ କହିଛନ୍ତି ଯେ ‘ଲକ୍ଷ୍ମୀ’ ସମୃଦ୍ଧିର ପ୍ରତୀକ। ତେଣୁ ଏହି ପରିବହନ ସେବା ଗାଁ ଗାଁରେ ସମୃଦ୍ଧି ଆଣିବ। ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ। ଗ୍ରାମାଞ୍ଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ। ଏହାକୁ ନଜରରେ ରଖି ବସ୍ର କର୍ମଚାରୀମାନେ ଯାତ୍ରୀଙ୍କୁ ସେମାନଙ୍କ ନିଜ ପରିବାରର ସଦସ୍ୟ ଭଳି ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଲକ୍ଷ୍ମୀ ବସ୍ କର୍ମଚାରୀଙ୍କୁ ସମ୍ବୋଧନ କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର। ତେଣୁ ଲୋକମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଆମର ପ୍ରଥମ ଦାୟିତ୍ବ ହେବା ଉଚିତ। ଏହି ବସ୍ ଯୋଜନାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିସନ ଶକ୍ତି ମା’ଙ୍କ ସମେତ ସମସ୍ତେ ଉପକୃତ ହେବେ। ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ। ମିସନ ଶକ୍ତି ମା’ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟତ କରିବା ସହଜ ହେବ। ତେଣୁ ‘୩-ଏସ୍’ ଯଥା ସୁରକ୍ଷା, ସୁବିଧା ଓ ସମ୍ମାନ ଉପରେ ଗୁରୁତ୍ବ ଦେବା ଦରକାର। ସମସ୍ତଙ୍କ ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ପ୍ରତ୍ୟେକ ଯେପରି ସମ୍ମାନର ସହିତ ଯାତାୟତ କରିବେ, ସେଥିପ୍ରତି ଧ୍ୟାନ ଦେବା ହେଉଛି କର୍ମଚାରୀଙ୍କ କର୍ତ୍ତବ୍ୟ।
ଏହି ଆଲୋଚନାରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜରମାନଙ୍କୁ ମିଶାଇ ମୋଟ୍ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାରେ ବସ୍ ଚଳାଚଳ ଆରମ୍ଭ କରିବ। ଏହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ। ଆସନ୍ତା ୧୨ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍ଗୁଡ଼ିକ ପଞ୍ଚାୟତରୁ ବ୍ଲକ୍ ଓ ବ୍ଲକ୍ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି।