ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଆହୁରି ୩ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏହା କାରଣରୁ ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ବଢ଼ି ଚାଲିଛି। ତହିଁରୁ ଅଧିକାଂଶ ମୃତ୍ୟୁ ପିକ୍ ଆୱାର(ଦିନ ୧୧ଟାରୁ ୩ଟା)ରେ କାମ କରିବା ପାଇଁ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ତେଣୁ ପିକ୍ ଆୱାରରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ। ଶ୍ରୀ ସାହୁ କହିଛନ୍ତି ଯେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଏଭଳି ପରିସ୍ଥିତି ଲାଗି ରହିବ। ୧୯ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଆସନ୍ତାକାଲି ନିର୍ବାଚନ ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଇଁ ଏଥିପାଇଁ ନିର୍ଦ୍ଦେଶାବଳୀ ଜାରି ରହିଛି। ସର୍ବସାଧାରଣ ହୁଅନ୍ତୁ ବା ପୋଲିଂ କର୍ମଚାରୀ ସମସ୍ତଙ୍କ ପାଇଁ ଏହି ନିର୍ଦ୍ଦେଶାବଳୀ ସମାନ। ପିକ୍ ଆୱାରରେ ଯଦି କୌଣସି କାମରେ ବାହାରକୁ ଯିବାକୁ ପଡ଼ୁଛି ତାହାଲେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ। ମାତ୍ର କିଛି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।
ହାଲ୍କା ପୋଷାକ ପରିଧାନ ସହ ଢିଲା ଓ କଟନ ପୋଷାକ ପିନ୍ଧନ୍ତୁ। ଶୋଷ ଲାଗୁ ନ ଥିଲେ ବି ଡିହାଇଡ୍ରେସନ୍ରୁ ବଞ୍ଚିବା ଲାଗି ପାଣି ପିଅନ୍ତୁ। ଏଥିପାଇଁ ଲୋକମାନଙ୍କ ସହଯୋଗ ଲୋଡ଼ା। ରାଜ୍ୟରେ ବର୍ତ୍ତମାନସୁଦ୍ଧା ୫ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି। ବାଲେଶ୍ବର, ଢେଙ୍କାନାଳ, ମୟୂରଭଞ୍ଜ, ସୋନପୁର ଓ ବଲାଙ୍ଗୀରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଟି ଓ ଝାରସୁଗୁଡ଼ାରୁ ୬ଟି ସନ୍ଦିଗ୍ଧ ଅଂଶୁଘାତ ମାମଲା ନଜରକୁ ଆସିଛି। ଏହାର ପ୍ରକୃତ କାରଣ ଖୋଜିବା ଲାଗି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯେଉଁସବୁ ସନ୍ଦିଗ୍ଧ ମୃତ୍ୟୁ ହୋଇଛି ତହିଁରୁ ଅଧିକାଂଶ ଶ୍ରମିକ ଶ୍ରେଣୀ ଓ ଟ୍ରକ୍ ଚାଳକ ବୋଲି ଜଣାପଡ଼ିଛି। ଏଥିପାଇଁ ଆଜି ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳକୁ ପଠାଯାଇଛି। ଏହାସହ ଜିଲ୍ଲାପାଳ ମଧ୍ୟ ନିଜେ ଅନୁଧ୍ୟାନ କରୁଛନ୍ତି। ଗତକାଲି ରାଉରକେଲା ଏଡିଏମ୍ ଘଟଣାସ୍ଥଳକୁ ଯାଇଥିଲେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ଅପରପକ୍ଷରେ ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ବଢ଼ୁଥିବା ବେଳେ ଏହାର ଯାଞ୍ଚ ପାଇଁ ୩ ଜଣିଆ ଡାକ୍ତରୀ ଦଳ ସୁନ୍ଦରଗଡ଼ ଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର। ଡା.ମିଶ୍ର କହିଛନ୍ତି ଯେ ଏହି ଦଳରେ ବୁର୍ଲା ମେଡିକାଲ କଲେଜର ଜଣେ ପ୍ରଫେସର ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ୨ଜଣ ଯୁଗ୍ମ ନିର୍ଦ୍ଦେଶକ ରହିଛନ୍ତି। ସେମାନେ ସୁନ୍ଦରଗଡ଼ ଓ ରାଉରକେଲା ଯାଇ ଘଟଣାର ଅନୁଧ୍ୟାନ କରିବେ। ବିଶେଷକରି ଏସବୁ ସ୍ଥାନରେ ସ୍ବାସ୍ଥ୍ୟାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରିବା ସହିତ ଆଉ କେଉଁ ଆବଶ୍ୟକତା ରହିଛି ସେଥିପାଇଁ ପ୍ରସ୍ତାବ ଦେବେ। ଆବଶ୍ୟକ ପଡ଼ିଲେ ଅନ୍ୟ ସ୍ଥାନକୁ ମଧ୍ୟ ଟିମ୍ ପଠାଯିବ। ପ୍ରାରମ୍ଭିକ ଭାବେ ରାଉରକେଲାରୁ ୧୩ଜଣଙ୍କ ମୃତ୍ୟୁ ସୂଚନା ଆସିଥିଲା। ତହିଁରୁ ଜଣେ ଲ୍ୟୁକେମିଆ ଓ ଆଉ ଜଣେ ଅନ୍ୟ ରୋଗରେ ପୀଡ଼ିତ ଥିଲେ। ତେଣୁ ୧୧ଜଣଙ୍କ ମୃତ୍ୟୁର ଯାଞ୍ଚ ହେବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇପାରିବ ବୋଲି ଡା.ମିଶ୍ର କହିଛନ୍ତି।