ଭୁବନେଶ୍ବର : ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୋମବାର ଦିନ ଅନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। ୨୦୨୦ ମସିହା ଅକ୍ଟୋବର ୧୧ରେ କିଶୋରୀ ବାଳିକାଙ୍କ ପାଇଁ ଲୋକାର୍ପିତ ହୋଇଥିବା ଆଦ୍ବିକା କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଉପଲବ୍ଧିକୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଆଦ୍ବିକା କାର୍ଯ୍ୟକ୍ରମ ମାତ୍ର ବର୍ଷକ ମଧ୍ୟରେ ପ୍ରାୟ ୧୦ଲକ୍ଷ କିଶୋରୀ ବାଳିକାଙ୍କ ନିକଟରେ ପହଞ୍ଚିପାରିଛି ଏବଂ ଏହାଦ୍ବାରା ସେମାନଙ୍କ ଜୀବନଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି ବୋଲି ଅତିଥିମାନେ କହିଥିଲେ।
ସୋମବାର ପୂର୍ବାହ୍ନରେ ବିଭାଗ ତରଫରୁ ୟୁନିସେଫ୍ ଏବଂ ୟୁଏନ୍ଏଫ୍ପିଏର ମିଳିତ ସହଯୋଗରେ କ୍ଷେତ୍ର କର୍ମଚାରୀମାନଙ୍କୁ ନେଇ ଆୟୋଜିତ ୱେବିନାର୍ରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଡିଜିଟାଲ୍ ଯୁଗରେ ଜୀବନ ସହଜ ହୋଇଛି। ଅଧିକ ସୁଯୋଗ ସୃଷ୍ଟି ହୋଇଛି। ତେଣୁ ଆମର କିଶୋରୀ ଏବଂ ମହିଳାମାନଙ୍କୁ ଡିଜିଟାଲ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରିବାକୁ ହେବ।
ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ କହିଥିଲେ ଯେ ବର୍ଷକ ତଳେ ‘ଆଦ୍ବିକା-ପ୍ରତ୍ୟେକ ବାଳିକା ଅଦ୍ବିତୀୟ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଗୋଟିଏ ବର୍ଷରେ କୋଭିଡ୍ର କଠିନ ପରିସ୍ଥିତିରେ ମଧ୍ୟ ପ୍ରାୟ ୧୦ଲକ୍ଷ କିଶୋରୀ-ବାଳିକାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି। ଏଥିରେ ୬୦୦ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରାୟ ୧ଲକ୍ଷ ସଖିସହେଲିଙ୍କୁ ଚିହ୍ନଟ କରାଯାଇଛି ଏବଂ ପ୍ରାୟ ୨୦୦ଟି ପ୍ରକଳ୍ପସ୍ତରୀୟ ହ୍ବାଟସ୍ଆପ୍ ଗ୍ରୁପ୍ ଗଠନ କରି ବାଲ୍ୟବିବାହ ନିରୋଧ, ବାଳିକା ଶିକ୍ଷା, ସ୍ବାସ୍ଥ୍ୟ ରକ୍ଷା ଆଦି ପ୍ରସଙ୍ଗରେ ଶିକ୍ଷା ଦିଆଯାଇଛି। ଏହି ଯୋଜନାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଖୁବ୍ ଶୀଘ୍ର ‘ଆଦ୍ବିକା’ ଆପ୍ର ଶୁଭାରମ୍ଭ କରାଯିବ। ଏହାଦ୍ବାରା କିଶୋରୀ-ବାଳିକାମାନେ ସେମାନଙ୍କ ପାଇଁ ଥିବା ସମସ୍ତ ସୁବିଧାସୁଯୋଗ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ସମନ୍ବିତ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ୟୁନିସେଫ୍ର ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍, ରାଜ୍ୟ ପ୍ରକଳ୍ପ ସଂଯୋଜକ ମହମ୍ମଦ୍ ନଦିମ୍ ନୁର୍, ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ପ୍ରମୁଖ ଯୋଗଦେଇଥିଲେ।