ବାଲ୍ୟ ବିବାହ ରୋକିବା ପାଇଁ ‘ଅଦ୍ବିକା’ କାର୍ଯ୍ୟକ୍ରମ

ଭୁବନେଶ୍ବର : ରାଜ୍ୟରେ ବାଲ୍ୟ ବିବାଦ ରୋକିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଅଦ୍ବିକା’ କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ପ୍ରତ୍ୟେକ ଶନିବାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦-୧୯ବର୍ଷର କିଶୋର କିଶୋରୀଙ୍କୁ ଜୀବନ କୌଶଳ ଶିକ୍ଷା ମାଧ୍ୟମରେ ସଚେତନ ଓ ସଶକ୍ତ କରାଯାଉଛି। ଏହି ସଶକ୍ତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବୟସ ସୀମା ପୂର୍ବରୁ ବିବାହ ଓ ମାତୃଜାତିଙ୍କ ପାଇଁ ରୋଗ ଓ ଜୀବନପ୍ରତି ବିପଦ ବିଷୟରେ ସେମାନଙ୍କୁ ଅବଗତ କରାଯାଉଥିବା ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟରେ ବାଲ୍ୟ ବିବାହ ରୋକିବା ପାଇଁ ସରକାର ୨୦୧୯ ମସିହାରେ କାର୍ଯ୍ୟକାରୀ କରିଥିବା ସ୍ବତନ୍ତ୍ର ରଣନୀତି ବିଫଳ ହୋଇଛି କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶ୍ରୀମତୀ ହେମ୍ବ୍ରମ୍ କହିଛନ୍ତି ଯେ ଅକ୍ଟୋବର ୨୦୧୯ ମସିହାରେ ରାଜ୍ୟସ୍ତରୀୟ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା ପ୍ରଣୟନ କରାଯାଇଥିଲା। ଯାହାକି ରାଜ୍ୟରେ ବାଲ୍ୟ ବିବାହକୁ ପ୍ରତିରୋଧ କରିବାରେ ସହାୟକ ହୋଇପାରିଛି। ଓଡ଼ିଶା ବାଲ୍ୟ ବିବାହ ନିଷେଧ ନିୟମାବଳୀ ୨୦୧୯ ଅନୁଯାୟୀ ବାଲ୍ୟ ବିବାହ ନିଷେଧ ଅଧିକାରୀମାନଙ୍କ ଭୂମିକା, ଦାୟିତ୍ବ ଓ କାର୍ଯ୍ୟକ୍ଷମତାକୁ ବ୍ୟାପକ କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ଜିଲ୍ଲାପାଳମାନଙ୍କୁ ବାଲ୍ୟ ବିବାହ ନିଷେଧ ଆଇନର ଧାରା ୧୩ର ଉପଧାରା ୫ରେ ନିଷେଧାଜ୍ଞା ଜାରି କରିବାର କ୍ଷମତା ପ୍ରଦାନ କରାଯାଇଛି।

ଜିଲ୍ଲା, ବ୍ଲକ୍, ପଞ୍ଚାୟତସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇ ନିୟମିତ ବ୍ୟବଧାନରେ ସମୀକ୍ଷା ଓ ସଚେତନତା କରାଯାଉଛି। କିଶୋର କିଶୋରୀ ତଥା ଶିଶୁମାନଙ୍କର ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାରେ ‘ପିଲାଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ଚିହ୍ନଟ ଓ ବିଦ୍ୟାଳୟରେ ପୁନର୍ବାର ନାମଲେଖା ଓ ବିଭିନ୍ନ ବିଭାଗର କୌଶଳ ଓ ଦକ୍ଷତା ବିକାଶ ମାଧ୍ୟମରେ ଆତ୍ମ ନିର୍ଭରତା ଓ ତାଲିମ ପ୍ରଦାନ କରାଯାଉଛି। ଏହି ଫଳପ୍ରଦ କାର୍ଯ୍ୟକାରିତା ପାଇଁ ଅଧିକରୁ ଅଧିକ ବାଲ୍ୟ ବିବାହ ରୋକାଯାଇ ପାରୁଛି। ତେବେ ବିବାହ ବୟସ ବୃଦ୍ଧି ସଂକ୍ରାନ୍ତୀୟ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ସଂସଦୀୟ ସ୍ଥାୟୀ କମିଟିରେ ବିଚାରାଧୀନ ରହିଥିବା ଶ୍ରୀମତୀ ହେମ୍ବ୍ରମ୍ କହିଛନ୍ତି।

ସମ୍ବନ୍ଧିତ ଖବର