ପାରାଭାଡ଼ି ଏବଂ ଶିଶୁପାଳଗଡ଼ରେ ଖନନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଉ: ଧର୍ମେନ୍ଦ୍ର ପ୍ରଧାନ

ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଦୁଇଟି ପତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଏହାକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବାକୁ ଏଏସଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଯାଜପୁର ଜିଲ୍ଲା ଐତିହାସିକ ଲଳିତଗିରି ନିକଟ ଶୁଖୁଆପଡ଼ା ଗ୍ରାମର ପାରାଭାଡ଼ିରେ ଥିବା ଖଣ୍ଡୋଲାଇଟ ଖଣି ଖନନକୁ ମଧ୍ୟ ତୁରନ୍ତ ବନ୍ଦ କରିବା ପାଇଁ ଆଉ ଏକ ପୃଥକ ପତ୍ର ଲେଖି ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ ।

ଶିଶୁପାଳଗଡରେ ବ୍ୟାପକ ଭାବରେ ଖନନ କାର୍ଯ୍ୟ ଦ୍ୱାରା ଐତିହ୍ୟ ନଷ୍ଟ ହେବାକୁ ବସିଛି । ଏହି ଖନନ ଦ୍ୱାରା ଶିଶୁପାଳଗଡ଼ ଦୁର୍ଗର ପୁରାତନ କୀର୍ତ୍ତିରାଜି, ମୁଖ୍ୟଦ୍ୱାର, କୂଅ ଓ ପୋଖରୀ ନଷ୍ଟ ହେଉଛି । ଅଞ୍ଚଳର ପ୍ରାକୃତିକ ପରିବେଶ, ଜୈବ ବିବିଧତା ମଧ୍ୟ ନଷ୍ଟ ହେଉଛି । ଏହି ଖନନ କାର୍ଯ୍ୟ ଆନସିଏଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କେଲୋଜିଓକାଲ ସାଇଟ ଆଣ୍ଡ୍ ରିମେନ୍ସ ଆକ୍ଟ ୧୯୫୮ର ଉଲ୍ଲଘଂନ କରୁଛି । ଏହା ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପିରିଧିରେ କୌଣସି ନିର୍ମାଣ ଓ ଖନନ କାର୍ଯ୍ୟକୁ ନିଷେଧ କରୁଛି ।

ଏହି ଖନନ କାର୍ଯ୍ୟ ଓଡ଼ିଶାରେ ଥିବା ଶାସକ ଦଳର ନେତାଙ୍କ ଦ୍ୱାରା ସ୍ଥାନୀୟ ପ୍ରଶାସନ ଓ ପୋଲିସର ପୃଷ୍ଠପୋଷକତାରେ ଜାରି ରହିଛି । ପ୍ରତିବନ୍ଧକ ଥିବା ସତ୍ତ୍ୱେ ଐତିହାସିକ ସ୍ଥଳ ଓ ନିକଟବର୍ତ୍ତୀ ଅଞ୍ଚଳରେ ଜାରି ରହିଥିବା ଖନନ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଣଦେଖା କରୁଛି । ଏହି ବେଆଇନ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ । ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର ଶିଶୁପାଳଗଡ଼ରେ ଏହି ବେଆଇନ କାର୍ଯ୍ୟକୁ ଯଥାଶୀଘ୍ର ବନ୍ଦ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ସହ ଉକ୍ତ ଅଞ୍ଚଳକୁ ଖାଲି କରିବା ପାଇଁ ମଧ୍ୟ ନିବେଦନ କରିବାକୁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଏସଆଇ ଯଥାଶୀଘ୍ର ଏହାର ପୁନରୁଦ୍ଧାର କରିବା ସହ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମସି) ଦ୍ୱାରା ଯାଜପୁର ଜିଲ୍ଲାର ଶୁଖୁଆପଡା ଗ୍ରାମର ପାରାଭାଡ଼ିରେ ଥିବା ଖଣ୍ଡୋଲାଇଟ୍ ଖଣି ଖନନ ସମୟରେ ଏଏସଆଇ ଦ୍ୱାରା ୧୩୦୦ ବର୍ଷ ପୁରୁଣା ବୌଦ୍ଧସ୍ତୂପ ଆବିଷ୍କୃତ ହୋଇଛି । ଏଏସଆଇ ସଂସ୍ଥାର ପୁରୀ ସର୍କଲର ତଥ୍ୟନୁସାରେ ଏହି ସ୍ଥାନରେ ଖନନ କାରଣରୁ ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ୪.୫ ମିଟର ଉଚ୍ଚତା ବିଶିଷ୍ଟ ଏକ ବୌଦ୍ଧସ୍ତୂପ ଉଦ୍ଧାର କାରାଯାଇଥିଲା । କିନ୍ତୁ ଖନନ କାର୍ଯ୍ୟ କାରଣରୁ ଅନ୍ୟ ଏକ ଛୋଟ ସ୍ତୂପ ନଷ୍ଟ ହୋଇଯାଇଥିଲା।
ଲଳିତଗିରି ନିକଟ ପାରାଭାଡିରେ କୀର୍ତ୍ତିରାଜି ମିଳିବା ପରେ ଏଏସଆଇ ରାଜ୍ୟ ସରକାରଙ୍କୁ ଓଏମସି ଦ୍ୱାରା ଜାରି ରହିଥିବା ଖଣି ଖନନକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ସରକାର ଏହି ସ୍ଥାନରେ ଥିବା ଐତିହ୍ୟର ମୂଲ୍ୟାଙ୍କନ ନ କରି ଖନନ ପାଇଁ ଅନୁମତି ଦେଇଥିଲେ, ଯାହା ଦ୍ୱାରା ଏଠାରେ ଥିବା ଐତିହ୍ୟ ନଷ୍ଟ ହେଉଛି । ଭାରତୀୟ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ପାଇଁ ଏହା ଉପରେ ଚିନ୍ତା କରିବା ତଥା ଉକ୍ତ ଦୁଇଟି ସ୍ଥାନରେ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଶ୍ରୀ ପ୍ରଧାନ ଜି. କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

 

ସମ୍ବନ୍ଧିତ ଖବର