ସମ୍ବଲପୁର: ହୀରାକୁଦ ପର୍ଯ୍ୟଟନ ଉନ୍ନୟନ ପ୍ରୟାସ ଅଧୀନରେ ବିଭିନ୍ନ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ସମ୍ପର୍କିତ ସମୟ ସାରଣୀ ପ୍ରସ୍ତୁତ କରି ଶୀଘ୍ର କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ତରୁଣ କପୁର। ଯେପରିକି ହୀରାକୁଦ ଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହୋଇପାରିବ। ରାଜ୍ୟ ସ୍ବତନ୍ତ୍ର ସହାୟତା ଏବଂ ପୁଞ୍ଜିନିବେଶ ଯୋଜନା ଅଧୀନରେ ଚାଲୁଥିବା କାର୍ଯ୍ୟର ସମୀକ୍ଷା ଅବସରରେ ସେ ଏହା କହିଛନ୍ତି। ଏହି ଗସ୍ତ ସମୟରେ ସେ ଏମ୍ସିଏଲ୍ ଏବଂ ଏନ୍ଏଲ୍ସିର ଖଣି କାର୍ଯ୍ୟ ସମୀକ୍ଷା କରିଛନ୍ତି। ଖଣି ଅଞ୍ଚଳର ଉନ୍ନୟନ ଓ ରୋଜଗାର ସୃଷ୍ଟି ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଶ୍ରୀ କପୁରଙ୍କ ଗସ୍ତ ଅବସରରେ ଆର୍ଡିସି ସଚିନ ରାମଚନ୍ଦ୍ର ଯାଦବ, ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା, ଏସ୍ପି ମୁକେଶ ଭାମୁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ହୀରାକୁଦ ପର୍ଯ୍ୟଟନ ଟେଣ୍ଡର, ଖଣି କାର୍ଯ୍ୟ ସମୀକ୍ଷା
ଡେବ୍ରିଗଡ଼ ଅଭୟାରଣ୍ୟ ମାଷ୍ଟରପ୍ଲାନ୍ ପ୍ରସ୍ତୁତି ଉପରେ ଗୁରୁତ୍ବ
ସୂଚନା ଅନୁଯାୟୀ, ଶ୍ରୀ କପୁରଙ୍କ ସମ୍ବଲପୁର ଗସ୍ତ ବେଳେ ସର୍ବପ୍ରଥମେ ପ୍ରମୁଖ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ସମ୍ବଲପୁର ରିଙ୍ଗ୍ରୋଡ୍, ରେଳ ଷ୍ଟେସନ୍ ପୁନର୍ବିକାଶ ଓ ଭୀମମଣ୍ଡଳୀର ସାଂସ୍କୃତିକ ଐତିହ୍ୟଭିତ୍ତିକ ଉନ୍ନୟନ କାର୍ଯ୍ୟ ସଂପର୍କରେ ସେ ସମୀକ୍ଷା କରିଥିଲେ। ସମୟସୀମା ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହା ପରେ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଗସ୍ତରେ ଯାଇ ଏହାକୁ ଶ୍ରେଷ୍ଠ ବନ୍ୟପ୍ରାଣୀ ଅଭୟାରଣ୍ୟ କରିବାକୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ଜୋର୍ ଦେଇଥିଲେ। ସେଥିପାଇଁ ଇକୋ-ଟୁରିଜମ୍, ଜୈବ ବିବିଧତା ସୁରକ୍ଷା ଓ ସାମାଜିକ ଭାଗିଦାରୀକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। ପ୍ରକାଶଥାଉକି, ହୀରାକୁଦ ଜଳଭଣ୍ଡାର ନିକଟବର୍ତ୍ତୀ ସମ୍ବଲପୁର, ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଥିବା ୨ ହଜାର ଏକର ଜମିକୁ ନେଇ ଜମିବ୍ୟାଙ୍କ ପ୍ରସ୍ତୁତ କରୁଛି ପ୍ରଶାସନ। ଯାହା ପର୍ଯ୍ୟଟନ ବିକାଶ ଦିଗରେ ବ୍ୟବହାର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/01/hddgjcnn-2025-09-01-03-13-03.jpg)