ଆନ୍ଦୋଳନରୁ ବିଜେଡି ଲିଗାଲ୍ ସେଲ୍ ଓହରିଯିବା ପରେ କଟକରେ ତୁମୁଳକାଣ୍ଡ : ଉପ-ସଭାପତି, ଚେୟାରମ୍ୟାନଙ୍କ ସମେତ ବିଜେଡି ଲିଗାଲ୍ ସେଲ ଉପଦେଷ୍ଟାଙ୍କ ଫଟୋକୁ ଜୋତା ଫିଙ୍ଗିଲେ ଆଇନଜୀବୀ

କଟକ : ଥମୁନି ହାଇକୋର୍ଟ ବିବାଦ। ଗତ ଅଗଷ୍ଟ ୨୯ ତାରିଖରୁ ଜାରି ରହିଥିବା ଆଇନଜୀବୀ ଆନ୍ଦୋଳନରେ ସୃଷ୍ଟି ହୋଇଥିବା ଫାଟ ଏବେ ତୀବ୍ର ହେବାରେ ଲାଗିଛି। ଗତକାଲି ଆଇନଜୀବୀଙ୍କ ଆନ୍ଦୋଳନରୁ ବିଜେଡି ଲିଗାଲ୍ ସେଲ୍ ଓହରିଯିବା ପରେ ଏହାକୁ ନେଇ ଆଜି ପୁଣି କଟକରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ହାଇକୋର୍ଟ ଅଂଚଳରେ ଆଇନଜୀବୀମାନେ ବାରର ପୂର୍ବତନ ଉପ-ସଭାପତି ଓ ବାର କାଉନସିଲ ଚେୟାରମ୍ୟାନଙ୍କ ସମେତ ବିଜେଡି ଲିଗାଲ୍ ସେଲର ଉପଦେଷ୍ଟାଙ୍କ ଫଟୋକୁ ଜୋତା ଫିଙ୍ଗିବା ସହ ପୋଡାଜଳା କରିଛନ୍ତି । ଆନ୍ଦୋଳନର ଲକ୍ଷ୍ୟଚ୍ୟୁତ ହୋଇଥିବାରୁ ଆସନ୍ତାକାଲି ସ୍ୱାଭାବିକ ଭାବେ କାର୍ଯ୍ୟରେ ଯୋଗଦେବେ ବୋଲି ବିଜେଡି ଆଇନଜୀବୀ ସାମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାସ ସୂଚନା ଦେଇଛନ୍ତି ।

ଏନେଇ ବାର କାଉନସିଲ ଅଫ୍ ଇଣ୍ଡିଆକୁ ଜଣାଯାଇଥିବା ସେ କହିଛନ୍ତି । ଅନ୍ୟପଟେ ଓକିଲଙ୍କୁ ପୁଲିସର ମାଡ଼ ଘଟଣା ନେଇ ଦୀର୍ଘ ୨ ମାସ ହେଲା ଆନ୍ଦୋଳନ କରୁଥିବା ହାଇକୋର୍ଟ ଓକିଲ ସଂଘ ନିଜ ଜିଦରେ ଅଟଳ ରହିଛି । ହାଇକୋର୍ଟ ବାର’ର ପରବର୍ତୀ ବୈଠକରେ ଆନ୍ଦୋଳନର କାର୍ଯ୍ୟପନ୍ଥା ନେଇ ଚୂଡାନ୍ତ ନିଷ୍ପତି ନିଆଯିବା କାର୍ଯ୍ୟକ୍ରମ ରହିଛି । ତେବେ ଗତକାଲି ହାଇକୋର୍ଟ ବାର ଆସୋସିଏସନ୍ ଉପସଭାପତି ନିଜ ପଦରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ଜୋର ଧରିଥିଲା । ହାଇକୋର୍ଟ ବାର ଆସୋସିଏସନ୍ ଦୁଇ ଫାଳ ହୋଇଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧିତ ଖବର