ସମ୍ବଲପୁର : ରାଜ୍ୟ ସରକାରଙ୍କ ଆଡ୍ଭୋକେଟ୍ ଜେନେରାଲ୍ ରାଜ୍ୟ ଆଇନ୍ଜୀବୀ ପରିଷଦର ଅଧ୍ୟକ୍ଷ ଦାୟିତ୍ବରେ ରହିଛନ୍ତି। ସେ ସୁପ୍ରିମ୍କୋର୍ଟରେ ହୋଇଥିବା ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବା ବଦଳରେ ସରକାରଙ୍କ ବିରୋଧରେ ଯାଇ ନିଜ ବ୍ୟକ୍ତିଗତ ମତ ରଖିଛନ୍ତି। ସରକାରଙ୍କ ଓକିଲ ଭାବେ ଦାୟିତ୍ବ ସଂପାଦନ ନକରି ସେ ହାଇକୋର୍ଟ ବାର୍ ଆସୋସିଏସ୍ନର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ତେବେ, ରାଜ୍ୟ ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନିରବ ରହିଛନ୍ତି। ତେଣୁ ସରକାର ନିଜ ଦୋହରା ନୀତି ପରିହାର କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ନିଜ ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରନ୍ତୁ ବୋଲି ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ପକ୍ଷରୁ କହାଯାଇଛି।
ସିଏସିର ଆବାହକ ଅଶୋକ ଦାଶ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଯଦି ରାଜ୍ୟ ସରକାର ଆଡ୍ଭୋକେଟ୍ ଜେନେରାଲ୍ଙ୍କୁ ସୁପ୍ରିମ୍ କୋର୍ଟରେ ଏଭଳି ଭାବେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇ ନାହାନ୍ତି, ତା’ହେଲେ ସେ ଠିକ୍ ଭାବେ ନିଜ କର୍ତ୍ତବ୍ୟ ଅନୁପାଳନ କରୁନଥିବା ସ୍ପଷ୍ଟ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କୁ ତୁରନ୍ତ ଉକ୍ତ ମାମଲା ପରିଚାଳନାରୁ ବାଦ୍ ଦିଅନ୍ତୁ। ଆଗାମୀ ଶୁଣାଣି ବେଳେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟରେ ହାଜରହୋଇ ସତ୍ୟପାଠ ଜରିଆରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରଠାରେ ଓଡ଼ିଶା ଉଚ୍ଚନ୍ୟାୟଳୟର ସ୍ଥାୟୀ ଖଣ୍ଡପୀଠ ସ୍ଥାପନ ପାଇଁ ଆବେଦନ କରନ୍ତୁ ବୋଲି ଶ୍ରୀ ଦାଶ ଆହ୍ବାନ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସୁପ୍ରିମ୍କୋର୍ଟରେ ଆଡ୍ଭୋକେଟ୍ ଜେନେରାଲ୍ଙ୍କ ଏକତରଫା ତଥ୍ୟ ଉପସ୍ଥାପନ କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଦୋଳନରତ ସମ୍ବଲପୁର ଓ ଅନ୍ୟାନ୍ୟ ଓକିଲ ସଂଘର କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ, ଏହାକୁ ନମାନି ହାଇକୋର୍ଟ ବେଞ୍ଚ ପାଇଁ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାର ଜନସାଧାରଣ ଚଳାଇଥିବା ଆନ୍ଦୋଳକୁ ବିଭିନ୍ନ ଓକିଲ ସଂଘ ନିଜ ସମର୍ଥନ ଜାରି ରଖିଛନ୍ତି। ଫଳରେ ପ୍ରତି ବୁଧବାର କୋର୍ଟତ୍ୟାଗ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ଆନ୍ଦୋଳନ ଜାରି ରହିଛି।