ଆଡଭୋକେଟ ଜେନେରାଲ ଭାବେ ଅଶୋକ ପରିଜାଙ୍କ ଦାୟିତ୍ବ ଗ୍ରହଣ

କଟକ : ଆଡଭୋ‌କେଟ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟରେ ଶ୍ରୀ ପରିଜା ପହଞ୍ଚିବା ପରେ ତାଙ୍କୁ ବହୁ ଆଇନଜୀବୀ ଓ କାର୍ଯ୍ୟାଳୟର କର୍ମଚାରୀମାନେ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀ ପରିଜା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଗୋଟିଏ ଗୁରୁ ଦାୟିତ୍ବ ଦେଇଛନ୍ତି। ଏହି ଦାୟିତ୍ବ ନିଷ୍ଠାର ସହିତ ନିର୍ବାହ କରିବେ ବୋଲି ସେ କହିଥିଲେ। ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟ ଏକ ପରିବାର ଭଳି ଚାଲିବ ଓ ଏଥିପାଇଁ ସମସ୍ତେ ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ସେ ଆଗ ଓକିଲ ତା ପରେ ଆଡଭୋକେଟ ଜେନେରାଲ ବୋଲି ଶ୍ରୀ ପରିଜା ଏହି ଅବସରରେ କହିଥିଲେ। ବାର୍‌ର ସେ ଜଣେ ସଦସ୍ୟ। ପୂର୍ବରୁ ବାର୍ ସଭାପତି ଥିବା ବେଳେ କିଛି କାମ ହୋଇଥିଲା। ଓକିଲ ସମାଜ ପାଇଁ ଆଗକୁ ବହୁ କିଛି କରିବା ପାଇଁ ଭାବିଛନ୍ତି ବୋଲି ଶ୍ରୀ ପରିଜା କହିଥିଲେ। ଏହି ଅବସରରେ ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କ ସହିତ ଅନ୍ୟ ଆଇନଜୀବୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର