ପୁରୀ: ଶ୍ରୀମନ୍ଦିରରେ ହୁଇଲଚେୟାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ’ସହାୟ’ର ସଂପାଦିକା ତଥା କଟକର ଆଇନଜୀବୀ ମୃଣାଳିନୀ ପାଢ଼ୀ ଏକ ଚିଠି ଲେଖିଛନ୍ତି। ଆସନ୍ତା ଜାନୁଆରି ମାସ ଠାରୁ ଦିବ୍ୟାଙ୍ଗମାନଙ୍କ ପାଇଁ ଶ୍ରୀମନ୍ଦିରରେ ହୁଇଲଚେୟାର ବ୍ୟବସ୍ଥା କରାଯାଇପାରିଲେ ଏକ ଭଲ କାମ ହୋଇପାରନ୍ତା ବୋଲି ସେ କହିଛନ୍ତି। ଏହାଦ୍ବାରା ଦିବ୍ୟାଙ୍ଗମାନେ ସୁବ୍ୟବସ୍ଥିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି କହିଛନ୍ତି।
ଡାକଘର ମାଧ୍ୟମରେ ସ୍ପିଡପୋଷ୍ଟ ଚିଠି ପଠାଇ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ୨୦୧୫ ନଭେମ୍ବର ୨ ତାରିଖରେ ଦିବ୍ୟାଙ୍ଗମାନଙ୍କ ପାଇଁ ୧୪୦ଟି ହୁଇଲଚେୟାରର ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ଗୁଜରାଟରୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଦିବ୍ୟାଙ୍ଗମାନେ ଆସିଥିଲେ। ସୁରତସ୍ଥିତ ‘ଡିଜାବୁଲ ୱେଲଫେୟାର ଟ୍ରଷ୍ଟ ଅଫ୍ ଇଣ୍ଡିଆ’ ନାମକ ଏକ ଏକ ସଂସ୍ଥାର ସଭାପତି କାହ୍ନୁ ଭାଇଙ୍କ ମାର୍ଗଦର୍ଶନରେ ସେମାନେ ଆସିଥିଲେ।