ଓକିଲଙ୍କ ଲାଇସେନ୍ସ ବାତିଲ ‌ହେବ, ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ କଠୋର ହେଲେ ସୁପ୍ରିମ କୋର୍ଟ

କୋର୍ଟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସକୁ ନିର୍ଦ୍ଦେଶ

ଭୁବନେଶ୍ବର : ବିଭିନ୍ନ ଦାବିରେ ଆନ୍ଦୋଳନ ଚଳାଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲମାନଙ୍କ ଲାଇସେନ୍‌ସକୁ ବାତିଲ ହେବ। ଚେତାବନୀ ସତ୍ତ୍ବେ ଓକିଲମାନେ ଆନ୍ଦୋଳନରୁ ଓହରିନଥିବାରୁ ସୁପ୍ରିମ କୋର୍ଟ ଆଜି ବିରକ୍ତି ପ୍ରକାଶ କରିବା ସହିତ ସେମାନଙ୍କର ଲାଇସେନ୍ସ ବାତିଲ କରିବା ଲାଗି ବାର କାଉନସିଲ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନକାରୀ ଓକିଲ ଯେଭଳି କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି ନକରିବେ ସେଥିପାଇଁ ବିଚାର ବିଭାଗୀୟ ଅଧିକାରୀ ଓ ଅନ୍ୟମାନଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବା ଲାଗି ‌ସର୍ବୋଚ୍ଚ ଅଦାଲତ ପୁଲିସ ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଯେକୌଣସି ସ୍ଥିତିରେ ମଧ୍ୟ ଶତ ପ୍ରତିଶତ କୋର୍ଟ କାର୍ଯ୍ୟ ଚାଲିବ। ଦରକାର ପଡ଼ିଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇପାରିବ। ସେମାନେ କୋର୍ଟ କାର୍ଯ୍ୟରେ ଯୋଗଦେଲେ ସଂପୃକ୍ତ ଓକିଲ ଲାଇସେନ୍ସ ଫେରିପାଇବେ।

ପଶ୍ଚିମ ଓଡ଼ିଶାର ଓକିଲମାନଙ୍କ ଆନ୍ଦୋଳନକୁ ନେଇ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ବାରା ଦାଖଲ ଏକ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସୋମବାର ଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚେତାବନୀ ସତ୍ତ୍ବେ ଆନ୍ଦୋଳନକାରୀ ଓକିଲ କୋର୍ଟ ବର୍ଜନ ଜାରି ରଖିଥିବାରୁ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଓକିଲମାନଙ୍କ ଯୋଗୁ କୋର୍ଟ କାର୍ଯ୍ୟ ଗୁରୁତର ବ୍ୟାହତ ହୋଇଥିବା ନେଇ ଅବଗତ ହେବା ପରେ ଖଣ୍ଡପୀଠ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶୁଣାଶି ଅବସରରେ ଖଣ୍ଡପୀଠ କହିଲେ ଯେ ଓଡ଼ିଶାର ସବୁ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ବାସ୍ତବ ଦୃଷ୍ଟିକୋଣରୁ ସମ୍ଭବ ନୁହେଁ। ଓଡ଼ିଶାରେ ବିଭିନ୍ନ ବାର୍‌ ଆସୋସିଏସନ୍‌ ପକ୍ଷରୁ ଦାବିକୁ ଦୃଷ୍ଟିରୁ ରଖି ଖଣ୍ଡପୀଠ କହିଲେ ଯେ ବିହାର ଏକ ବଡ଼ ରାଜ୍ୟ ହୋଇଥିଲେ ମଧ୍ୟ ପାଟନାରେ କେବଳ ହାଇକୋର୍ଟ ରହିଛି।

ପୂର୍ବରୁ ସୁପ୍ରିମକୋର୍ଟ କାର୍ଯ୍ୟରେ ଯୋଗ ନଦେଲେ ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ। ଏହାସତ୍ତ୍ବେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ଆଜିର ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାର୍ ଆସୋସିଏସନଙ୍କ ଧର୍ମଘଟ ଯୋଗୁ ବହୁ ଅଧସ୍ତନ ଅଦାଲତର କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି କରିଛି। ଏହି ନିର୍ଦ୍ଦେଶକୁ ନେଇ ସର୍ବୋଚ୍ଚ ଅଦାଲତ ଓ ଆନ୍ଦୋଳନ ଚଳାଇଥିବା ବାର୍‌ ଆସୋସିଏସନ୍‌ ମଧ୍ୟରେ ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ପୂର୍ବରୁ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ କହିଛି ଯେ ସେମାନଙ୍କ ମଧ୍ୟରୁ ଜଣଙ୍କ ଲାଇସେନ୍‌ସ ରଦ୍ଦ ହେଲେ ପ୍ରାୟ ୧୬ ଶହ ଓକିଲ ସେମାନଙ୍କ ଲାଇସେନ୍ସ ସରେଣ୍ଡର କରିବେ ବୋଲି ଘୋଷଣା କରିସାରିଛି। ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର