ଆଡ୍‌ଭୋକେଟ୍ସ ୱେଲ୍‌ଫେୟାର୍‌ କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ବାଧ୍ୟତାମୂଳକ ନିଷ୍ପତ୍ତି ୬ ସପ୍ତାହ ପାଇଁ ସ୍ଥଗିତ

କଟକ : ଓକିଲାତିନାମାରେ ଆଡ୍‌ଭୋକେଟ୍ସ ୱେଲ୍‌ଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ ବାଧ୍ୟତାମୂଳକ ସଂପର୍କିତ ନଷ୍ପତ୍ତିର କାର୍ଯ୍ୟକାରିତାକୁ ଏବେ ସ୍ଥଗିତ ରଖାଯାଇଛି। ଏ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ରାଜ୍ୟର ସମସ୍ତ ଆଇନଜୀବୀ ସଂଘକୁ ଅବଗତ କରାଯାଇଛି। ବିଭିନ୍ନ ଆଇନଜୀବୀ ସଂଘ ପକ୍ଷରୁ କରାଯାଇଥିବା ଅନୁରୋଧ ଓ କରୋନା ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ଆଇନଜୀବୀ ପରିଷଦ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ ଆଇନଜୀବୀ ଅଦାଲତରେ ଓକିଲାତିନାମା ଓ ମେମୋ ଅଫ୍ ଆପିୟରାନ୍ସ ଦାଖଲ କରିବା ସମୟରେ ଏହି ଷ୍ଟାମ୍ପ ମେ ୧୪ରୁ ସଂଲଗ୍ନ କରିବେ ବୋଲି ଏପ୍ରିଲ ୨୮ରେ ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ତାରିଖ ଜୁନ୍ ୧୭ରୁ ଆଉ ୬ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଜି ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ଏହି ଷ୍ଟାମ୍ପ ଲଗାଇବା ବାଧ୍ୟତାମୂଳକ ପ୍ରସଂଗକୁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ୱେଲ୍‌ଫେୟାର୍‌ କର୍ପସ୍ ଫଣ୍ଡ୍ ନିୟମାବଳୀ, ୨୦୨୦କୁ ପ୍ରତ୍ୟାହାର ପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି। ଏହା ଆଇନଜୀବୀଙ୍କ ସ୍ବାର୍ଥ ବିରୋଧୀ ବୋଲି ଦର୍ଶାଯାଇଛି। ଏ ନେଇ ହାଇକୋର୍ଟ ବାର୍ ପକ୍ଷରୁ ଗୃହୀତ ପ୍ରସ୍ତାବ ସଂକ୍ରାନ୍ତରେ ସଂପାଦକ ଡ. ଜିତେନ୍ଦ୍ର କୁମାର ଲେଙ୍କା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି। ହାଇକୋର୍ଟ ବାର୍ ସଭାପତି ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାହୀ ପରିଷଦ ବୈଠକରେ ଏ ପ୍ରସଂଗରେ ଆଲୋଚନା କରାଯାଇ ଏହି ନିୟମାବଳୀ ପ୍ରତ୍ୟାହାର ପାଇଁ ରାଜ୍ୟ ଆଇନଜୀବୀ ପରିଷଦକୁ ଅନୁରୋଧ କରାଯାଇଛି। ବୈଠକରେ ଉପସଭାପତି ଦେବୀ ପ୍ରସାଦ ଦାଶ, ସଂପାଦକ ଡ. ଲେଙ୍କା, ଯୁଗ୍ମସଂପାଦକ ପ୍ରଣୟ ସ୍ବାଇଁ, ସହସଂପାଦକ ତାପସ କୁମାର ଆଚାର୍ଯ୍ୟ ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର