କ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପରମ୍ପରା ସୁପ୍ରାଚୀନ। ଇତିହାସର ନିର୍ଦ୍ଦିଷ୍ଟ ବର୍ଷ, ମାସ ମିଳୁନଥିଲେ ମଧ୍ୟ, ପୁରାଣ ପରମ୍ପରାରୁ ଏହାର ପ୍ରାଚୀନତା ସ୍ୱୀକୃତ ହୁଏ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ରେ ଏହାକୁ ‘ମହାବେଦୀ ମହୋତ୍ସବ’ କୁହାଯାଇଛି। ତ୍ରୟତ୍ରିଂଶ ଅଧ୍ୟାୟରେ ଜୈମିନୀ ମହର୍ଷି ମୁନିଗଣଙ୍କୁ ଏହି ମହାବେଦୀ-ମହୋତ୍ସବ ପ୍ରସଙ୍ଗ କହିଛନ୍ତି। ଏହା ଶୁଣିଲେ ଅଜ୍ଞାନାନ୍ଧ ବ୍ୟକ୍ତି ଜ୍ୟୋତିର୍ମୟ ପଦ ପାଇପାରେ ବୋଲି କୁହାଯାଇଛି।‘ସ୍କନ୍ଦପୁରାଣ’ ଅନୁସାରେ, ରଥଯାତ୍ରାର ବିଧାନ ‘ଅକ୍ଷୟ ତୃତୀୟା’ରୁ ଆରମ୍ଭ। ବୈଶାଖ ମାସର ରୋହିଣୀ ନକ୍ଷତ୍ରଯୁକ୍ତ ଶୁକ୍ଳପକ୍ଷ ତୃତୀୟା ହେଉଛି ଅକ୍ଷୟ ତୃତୀୟା। ଏହା ସର୍ବପାପ ବିନାଶିନୀ। ଏ ସଂପର୍କିତ ଅନ୍ୟ ଶାସ୍ତ୍ରୋକ୍ତି କହେ- ଏହା ସତ୍ୟଯୁଗର ଆରମ୍ଭ ଦିନ। ସ୍କନ୍ଦପୁରାଣ ବର୍ଣ୍ଣିିତ ରଥଯାତ୍ରା ବିଧାନ ଅନୁସାରେ, ଏହିଦିନ ରାଜା ସଂକଳ୍ପପୂର୍ବକ ଆଚାର୍ଯ୍ୟବରଣ କରିବେ। କାର୍ଯ୍ୟକାରଣରେ ସୁଦକ୍ଷ ତିନିଜଣ ଅଭିଜ୍ଞ ବ୍ୟକ୍ତିଙ୍କୁ ଏବଂ ଜଣେ ସୂତ୍ରଧରଙ୍କୁ ମଧ୍ୟ ବସ୍ତ୍ରଅଳଙ୍କାରାଦି ପ୍ରଦାନ କରି ଆଦରର ସହିତ ବରଣ କରିବେ। ସେମାନଙ୍କ ସହିତ ବନକୁ ଯାଇ ରଥକାଠ ନିମନ୍ତେ ବିଧିମତେ ବୃକ୍ଷଛେଦନ କରାଇବେ। ଏହା ମଧ୍ୟ ଉଲ୍ଲେଖ ଅଛି ଯେ ରଥନିର୍ମାଣ ନିମନ୍ତେ ଉପଯୋଗୀ କାଠ ଯଦି ସ୍ୱ-ସ୍ଥାନରେ ପ୍ରାପ୍ତ ହୁଏ, ତେବେ ନିର୍ଦ୍ଦିଷ୍ଟ ବିଧାନ ଅନୁସାରେ ସେହିଦିନ ତାହାର ସଂସ୍କାର କରାଇବେ। ଏହି ନୀତି ଏବେ ମଧ୍ୟ ଅନୁସୃତ ହେଉଛି। ସ୍ୱସ୍ଥାନରେ, ଅର୍ଥାତ୍ ବଡ଼ଦାଣ୍ଡରେ ଥିବା ଶ୍ରୀନଅର ସମ୍ମୁଖ ରଥଖଳାଠାରେ, ଅକ୍ଷୟ ତୃତୀୟା ଦିନ ରଥନିର୍ମାଣର ଅନୁକୂଳ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରଥନିର୍ମାଣର ଅନୁକୂଳ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ତୃତୀୟ ଚରଣ। କାରଣ, ଏହାର ପ୍ରଥମ ଚରଣ ରୂପେ, ମାଘ ଶୁକ୍ଳ ପଞ୍ଚମୀ ବା ଶ୍ରୀପଞ୍ଚମୀ (ସରସ୍ୱତୀ ପୂଜା) ଦିନ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଥିବା ପ୍ରଥମ ରଥକାଠର ପୂଜା କରାଯାଇଥାଏ। ଦ୍ଵିତୀୟ ଚରଣ ରୂପେ ଚୈତ୍ର ଶୁକ୍ଳ ନବମୀଯୁକ୍ତ ଅଷ୍ଟମୀ ତିଥିରେ (ରାମନବମୀରେ) ରଥକାଠର ଚିରଟ ଆରମ୍ଭ ହୋଇଥାଏ। କିନ୍ତୁ ଏହି ତିନିଟି ଚରଣ ପୂର୍ବରୁ ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ବିଧାନ ମଧ୍ୟ ଅନୁସୃତ ହୁଏ। ତାହା ହେଉଛି, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ର ବଡ଼ରାଉଳ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା।କେତେକ ଆଲୋଚକଙ୍କ ପୁସ୍ତକରେ ଉଲ୍ଲେଖ ଅଛି ଯେ ଏଥିପାଇଁ ଶ୍ରୀଜଗନ୍ନାଥଙ୍କର ଆଜ୍ଞାମାଳ ଦିଆଯାଇଥାଏ। କିନ୍ତୁ ପ୍ରକୃତରେ ଏଥିପାଇଁ ଶ୍ରୀଜଗନ୍ନାଥଙ୍କର ଲାଗିମାଳ ସହିତ ମହାପ୍ରସାଦ, ଧୂପ, ଦୀପ, ଫୁଲ ଓ ନଡ଼ିଆ ଆଦି ଯାଇଥାଏ। ଏହାର କୌଣସି ନିର୍ଦ୍ଦିଷ୍ଟ ତିଥି ନାହିଁ। କିନ୍ତୁ ଶ୍ରୀପଞ୍ଚମୀ ପୂର୍ବର ଏକ ଶୁଭ ତିଥି, ବାର, ମୁହୂର୍ତ୍ତ ଆଦି ଦେଖି ଏହି ଯାତ୍ରା ଓ ପୂଜାର୍ଚ୍ଚନା କରାଯାଇଥାଏ। ସେହି ଯାତ୍ରୀଦଳରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହିତ ରଥକାଠ ଅମିନ, ଭୋଇ ସେବକ ସର୍ଦ୍ଦାର ଓ ୱାର୍କସରକାର ଆଦି ଯାଇଥାଆନ୍ତି। ଦେବୀଙ୍କ ପୀଠରେ ପୂଜକ ପୂଜାର୍ଚ୍ଚନା କଲାପରେ, ଦେବୀଙ୍କ ଆଶୀର୍ବାଦ ନେଇ ରଥକାଠ ପାଇଁ ଗଛ କଟା ଆରମ୍ଭ ହୋଇଥାଏ। ଏ ଦୃଷ୍ଟିରୁ ବଡ଼ମୂଳ ଗ୍ରାମର ଏହି ବଡ଼ରାଉଳ ଦେବୀ ରଥକାଠ ସଂଗ୍ରହ ପ୍ରକ୍ରିୟାର ଆଦ୍ୟାଦେବୀ।
-ଅସିତ ମହାନ୍ତି