ରାଉରକେଲା: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି (ଶନିବାର)ଠୁ ରାଉରକେଲା ବିମାନବନ୍ଦରରୁ ଦୈନିକ ବିମାନ ସେବା ଆରମ୍ଭ ହୋଇଛି। ଆଜି ଏଠାରୁ ୪୭ଜଣଯାତ୍ରୀଙ୍କୁ ଧରି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ସକାଳ ପ୍ରାୟ ୧୧ଟାରେ ଆଲିଆନ୍ସ ଏୟାର (ଏଟିଆର-୭୨) ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ବାହାରିଥିଲା। ମଧ୍ୟାହ୍ନ ୧୨ଟା ୭ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିଥିଲା। ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଆଜି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ବି ଉପସ୍ଥିତ ଥିଲେ। ଏହାକୁ ଭର୍ଚୁଆଲରେ ଉଦଘାଟନ କରିଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।
ରାଉରକେଲାରେ ବିମାନ ଅବତରଣ ବେଳେ ଆରଏସପି ନିର୍ଦେଶକ ଅତୁନ ଭୌମିକ, ଏଡିଏମ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଭୁବନେଶ୍ୱରରୁ ରାଉରକେଲା ଆସିଥିବା ଓ ରାଉରକେଲାରୁ ଭୁବନେଶ୍ୱର ଯାଇଥିବା ୬୭ଜଣ ଯାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଉଭୟ ବିଜେପି ଓ ବିଜେଡି ନେତା ବିମାନ ଯାତ୍ରୀଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ ଜଣାଇଥିଲେ। ଏହି ସମୟରେ ବିଜେଡି ପକ୍ଷରୁ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବିଜେପି ପକ୍ଷରୁ ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରା ଦିଆଯାଇଥିଲା। ଏହି ଧ୍ବନିରେ କମ୍ପିଥିଲା ରାଉରକେଲା ବିମାନ ବନ୍ଦର।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ ଅପରାହ୍ନରେ ରାଉରକେଲା ବିମାନବନ୍ଦରରେ ଆଲାଇନ୍ସ ଏୟାର ଏଟିଆର - ୭୨ ବିମାନର ପରୀକ୍ଷଣ ଅବତରଣ ସୁଚାରୁ ଓ ସଫଳତାର ସହ ସମ୍ପାଦନ ହୋଇଥିଲା। ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିଥିଲା। ୨୫ ମିନିଟ୍ ପରେ ଅର୍ଥାତ୍ ପ୍ରାୟ ୩ଟା ୪୫ ମିନିଟରେ ରାଉରକେଲାରୁ ଝାରସୁଗୁଡା ବିମାନବନ୍ଦର ଅଭିମୁଖେ ଉଡାଣ କରିଥିଲା।
ଭୁବନେଶ୍ବର ବିମାନ ଭଡା ୨୭୨୧ ଟଙ୍କା ରହିଥିଲାବେଳେ ଭୁବନେଶ୍ବରରୁ ରାଉରକେଲା ବିମାନଭଡା ୨୮୩୦ ଟଙ୍କା ରହିଛି। ଭୁବନେଶ୍ବରରୁ ରାଉରକେଲା ଆସୁଥିବା ବିମାନରେ ନ୍ୟୁଜିଲାଣ୍ଡ ଖେଳାଳି ଆସିଥିଲେ।