ଓପିଜିସିରେ ଏଇଏସ୍‌ ଅଧିକାରୀଙ୍କୁ ଥଇଥାନ କରିବା ମସୁଧାକୁ ବନ୍ଦ କରାଯାଉ: କିଶୋର

ଭୁବନେଶ୍ବର :ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନ ଥିଲା ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ବା ଓପିଜିସି। ଏହି ସଂସ୍ଥାକୁ ପୂର୍ବତନ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ୪୯% ଅଂଶଧନ ଆମେରିକାନ୍ ଇଲେକ୍ଟ୍ରିକାଲ୍‌ ସର୍ଭିସ (ଏଇଏସ୍‌) କମ୍ପାନିକୁ ଟେକି ଦିଆଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ଫଳରେ ଏଇଏସ୍‌ ହାତରେ ଥିବା ୪୯% ଅଂଶଧନକୁ ରାଜ୍ୟ ସରକାର ଅଧିଗ୍ରହଣ କରିଛନ୍ତି। କିନ୍ତୁ ସେହି କମ୍ପାନିରେ ରହି ନାନାଦି ଦୁର୍ନୀତିରେ ଲିପ୍ତ କିଛି ଅଧିକାରୀଙ୍କୁ ପୁଣି ଥରେ ମୋଟା ଅଙ୍କର ଦରମାରେ ନିଯୁକ୍ତି ଦେବା ପାଇଁ ଉଦ୍ୟମ ହେଉଛି। ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଏପରି ନ କରିବାକୁ ପରାମର୍ଶ ଦେଇଥିଲେ ବିଜେଡି ବିଧାୟକ କିଶୋର ମହାନ୍ତି।

ଶ୍ରୀ ମହାନ୍ତି କହିଥିଲେ, ଦୈନିକ ଖବର କାଗଜ ‘ସମ୍ବାଦ’ ଗୋଟିଏ ଭୁଲ ପାଇଁ ଆଉ ଗୋଟିଏ ଭୁଲ ଶୀର୍ଷକ ଖବର ପ୍ରକାଶ ପାଇଛି। ଏହି କମ୍ପାନି ତିଆରି ବେଳେ ଓଡ଼ିଆ ଇଞ୍ଜିନିୟରମାନେ କାମ କରିଥିଲେ। ୪୪୦ ମେଗାଓ୍ବାଟ୍‌ ବିଦ୍ୟୁତ ଉତ୍ପାଦନ କରୁଥିବା ଏହି ନିଗମ ଏଇଏସ୍‌ ହାତକୁ ଗଲାପରେ ଉନ୍ନତି ହେବା ପରିବର୍ତ୍ତେ ଅବନତି ଘଟିଥିଲା। ଓଡ଼ିଆ ଇଞ୍ଜିନିୟରମାନେ ୪୦ରୁ ୫୦ ହଜାର ଟଙ୍କା ବେତନରେ କାମ କରୁଥିବା ବେଳେ ଏଇଏସ୍‌ କମ୍ପାନି ଆବଶ୍ୟକତା ନଥାଇ ଅଧିକ ଦରମା ଦେଇ କେତେକ ଅଧିକାରୀଙ୍କୁ ନିଯୁକ୍ତି କରିଥିଲେ। ଏବେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଧିଗ୍ରହଣ କରିବା ପରେ ନିଗମର କଳେବର ସମ୍ପୂର୍ଣ୍ଣ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଦୁଃଖର କଥା, ଯେଉଁ କେତେଜଣ ଏଇଏସ୍‌ ଅଧିକାରୀଙ୍କ ଯୋଗୁଁ ଏତେବଡ଼ ନିଗମ କ୍ଷତିରେ ଚାଲୁଥିଲା। ଏବେ ସେହିମାନଙ୍କୁ ଥଇଥାନ କରିବାକୁ ଯୋଜନା ଆରମ୍ଭ ହୋଇଛି। ଏହା ବନ୍ଦ ହେବା ଦରକାର ବୋଲି ଶ୍ରୀ ମହାନ୍ତି ଗୃହରେ ଦାବି କରିଥିଲେ।

ସମ୍ବନ୍ଧିତ ଖବର