କଟକ : ମାମଲାରେ ପକ୍ଷଙ୍କ ତରଫରୁ ଆଡଭୋକେଟଙ୍କ କ୍ଲର୍କ ସତ୍ୟପାଠ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ। ମାମଲାର ତଥ୍ୟ ଓ ସତ୍ୟାସତ୍ୟ ସଂକ୍ରାନ୍ତରେ ଜ୍ଞାନ ନଥିବା ଆଡଭୋକେଟଙ୍କ କ୍ଲର୍କଙ୍କୁ ଅଦାଲତରେ ପକ୍ଷଙ୍କ ଲାଗି ସତ୍ୟପାଠ ଦାଖଲ କରିବା ପାଇଁ ଆଇନ ଅନୁମତି ଦିଏ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି। ଏପରି ସତ୍ୟପାଠ ଗ୍ରହଣ ବ୍ୟବସ୍ଥା ବନ୍ଦ କରିବାକୁ ରେଜିଷ୍ଟ୍ରାର ପଦକ୍ଷେପ ନେବ ଏବଂ ଦାଖଲ ହେଉଥିବା ସତ୍ୟପାଠ ନିର୍ଦ୍ଦିଷ୍ଟ ପ୍ରସଂଗରେ ସୀମିତ ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ପକ୍ଷ, ତାଙ୍କ ପ୍ରତିନିଧି, ତାଙ୍କ ଆଇନଜୀବୀ ଅଥବା ବିଧିବଦ୍ଧ ଭାବେ ନିଯୁକ୍ତ ବ୍ୟକ୍ତି କେବଳ ସତ୍ୟପାଠ ଦାଖଲ କରିପାରିବେ। କିନ୍ତୁ ନିୟମ ଅନୁସାରେ ଯଦି ନିମ୍ନ ଅଦାଲତ (ସବ୍ଅର୍ଡିନେଟ୍ କୋର୍ଟ)ଙ୍କ ରାୟ ବା ନିର୍ଦ୍ଦେଶ ଆଧାରରେ ଆବେଦନ ଦାଖଲ କରାଯାଏ ତେବେ ସେ କ୍ଷେତ୍ରରେ ଆଡଭୋକେଟ୍ କ୍ଲର୍କଙ୍କ ସ୍ବାକ୍ଷର ଥିବା ସତ୍ୟପାଠ ଗ୍ରହଣ କରାଯାଇ ପାରିବ। ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଦିଆଯାଉ ନଥିବା ସତ୍ୟପାଠକୁ ଭରସା କରାଯାଇ ପାରିବ ନାହିଁ କି ତାହା ଗ୍ରହଣୀୟ ହେବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଏକ ଡକାୟତି ଅଭିଯୋଗ ସଂପର୍କିତ ମାମଲାରେ ଜେଲରେ ଥିବା ଥବିର ସାରଗଙ୍କ ଜାମିନ ଆବେଦନ କୋରାପୁଟ ଅତିରିକ୍ତ ଦୌରା ଅଦାଲତରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଜାମିନ ଆବେଦନ ସହିତ ରହିଥିବା ସତ୍ୟପାଠକୁ ଦାୟିତ୍ବରେ ଥିବା ଆଡଭୋକେଟଙ୍କ କ୍ଲର୍କ ଦାଖଲ କରିଛନ୍ତି। ଆଡଭୋକେଟଙ୍କ କ୍ଲର୍କ ଦାଖଲ କରଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ସେ ଆବେଦନକାରୀଙ୍କ ତରଫରୁ ମାମଲା ଦେଖାଶୁଣା କରୁଛନ୍ତି। ଓଡ଼ିଶା ହାଇକୋର୍ଟ ନିୟମ ଉଲ୍ଲଂଘନ କରି କେମିତି ଜଣେ ଆଡଭୋକେଟଙ୍କ କ୍ଲର୍କ ସତ୍ୟପାଠରେ ସେ ମାମଲା ଦେଖାଶୁଣା କରୁଛନ୍ତି ବୋଲି କହିବେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। କୌଣସି ବିଷୟର ସତ୍ୟତା ସମ୍ବନ୍ଧରେ ଘୋଷଣା ହେଉଛି ସତ୍ୟପାଠ। ଏହା ହେଉଛି ସଂପୃକ୍ତ ବ୍ୟକ୍ତିର ଘୋଷଣାନାମା। ସତ୍ୟପାଠରେ ରହିଥିବା ତଥ୍ୟ ତାଙ୍କ ଜ୍ଞାତସାରରେ ସତ୍ୟ ଓ ଠିକ୍ ବୋଲି ସଂପୃକ୍ତ ବ୍ୟକ୍ତି ଶପଥପାଠ ମାଧ୍ୟମରେ ଦର୍ଶାଇଥାନ୍ତି। ଅଦାଲତରେ ସତ୍ୟପାଠକୁ ବିଶ୍ବାସକୁ ନିଆଯାଇ ବିଚାର ପ୍ରକ୍ରିୟା ଚାଲିଥାଏ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆଡଭୋକେଟଙ୍କ କ୍ଲର୍କ ଦସ୍ତଖତରେ ସତ୍ୟପାଠ ଦାଖଲ ଘଟଣା ବହୁଳ ଭାବେ ବୃଦ୍ଧି ପାଇଛି। ଏଭଳି ପ୍ରକ୍ରିୟାରେ ଆଇନକୁ ନଷ୍ଟ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଉଳ୍ଲେଖ କରି ଏ ସଂପର୍କିତ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।