ସମ୍ପତ୍ତି ତାଲିକା‌ ଦେବାକୁ ଡର! ସେପ୍ଟେମ୍ବର ୩୦ ଯାଏଁ ପୁଣି ଘୁଞ୍ଚିଲା ଅବଧି

କେଉଁ ଅଧିକାରୀଙ୍କ ଚାପରେ ଅବଧି ବଢ଼ୁଛି?

ଭୁବନେଶ୍ୱର : ପ୍ରତିଦିନ ଦୁର୍ନୀତିଗସ୍ତ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ ଧରୁଛି। କିଏ ୨ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ୁଛି ତ କାହା ଘରୁ ଲକ୍ଷ ଲକ୍ଷ ଟଙ୍କା ଜବତ ହେଉଛି। ଏମିତିକି କିରାଣୀଙ୍କର ଦୁଇ ତିନିଟା ଜାଗାରେ ଘର, ୮ରୁ ୧୦ଟି ଲେଖାଏଁ ଜମି ବାହାରୁଛି। କେତେକ କ୍ଷେତ୍ରରେ ଭିଜିଲାନ୍ସ ରେଡ୍‌ କରିବାବେଳେ ଯେତିକି ସମ୍ପତ୍ତି ଦେଖାଉଛି ଚାର୍ଜସିଟ୍ ଦାଖଲ କଲାବେଳକୁ ତାହା ଦେଖାଇପାରୁନି ନଚେତ୍ କୋର୍ଟରେ ନିଜ ଅଭିଯୋଗକୁ ପ୍ରମାଣ କରିପାରୁନି। କେବଳ ଏତିକି ନୁହେଁ ବହୁ ଅଧିକାରୀ/କର୍ମଚାରୀ ଆୟ ଠାରୁ ଶହ ଶହ ଗୁଣା ସମ୍ପତ୍ତିର ମାଲିକ ହୋଇଥିଲେ ବି ଭିଜିଲାନ୍ସ ନଜର ତାଙ୍କ ଉପରେ ପଡ଼ୁନି। ଭିଜିଲାନ୍ସ ବାଟବଣା ହେବା ଏବଂ ସରକାରୀ ଅଧିକାରୀ ଲଗାମଛଡ଼ା ହୋଇ ଦୁର୍ନୀତି କରିବାର ସବୁଠୁ ବଡ଼ କାରଣ ହେଉଛି ସରକାରଙ୍କ ପାଖରେ କେଉଁ କର୍ମଚାରୀ/ଅଧିକାରୀଙ୍କର କେତେ ସମ୍ପତ୍ତି ଅଛି ତାର ହିସାବ ‌ନାହିଁ। ଏପରିକି କେଉଁ ବର୍ଷ କେତେ ସମ୍ପତ୍ତି ବଢ଼ୁଛି ତାକୁ ଟ୍ରାକ୍ କରି ଚଢ଼ଉ କରିବାର ସୁଯୋଗ ସରକାରଙ୍କ ପାଖରେ ନାହିଁ।

ଅଧିକରୁ ଅଧିକ ସରକାରୀ କର୍ମଚାରୀ ଦୁର୍ନୀତିଗସ୍ତ ହେବାପରେ ରାଜ୍ୟ ସରକାର ଗ୍ରୁପ୍‌-ଏ ରୁ ଗ୍ରୁପ୍-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଯେପରି ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଘୋଷଣା କରିବେ ସେନେଇ ‘ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମ’,୨୦୨୧ ଆଣିଥିଲେ। ପ୍ରତିବର୍ଷ ଜାନୁଆରି ୧ରୁ ଜାନୁଆରି ୩୧ ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ରାଜ୍ୟ ସରକାରଙ୍କ ମାନବ ସମ୍ବଳ ପରିଚାଳନା ସିଷ୍ଟମ (ଏଚ୍‌ଆର୍‌ଏମ୍‌ଏସ୍‌) ପୋର୍ଟାଲରେ ଦେବେ। ଏହି ନିୟମ ଅନୁଯାୟୀ ଜୁନଆରି ୧, ୨୦୨୧ରୁ ଡିସେମ୍ବର ୩୧, ୨୦୨୧ ସୁଦ୍ଧା ତାଙ୍କର ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଜାନୁଆରି ୩୧,୨୦୨୨ ସୁଦ୍ଧା ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।

magicbricks.com

ବିଡମ୍ବନାର ବିଷୟ ଧାର୍ଯ୍ୟ ସମୟ ପରେ ୭ମାସ ବିତିଯାଇଥିଲେ ବି ସରକାରୀ ଅଧିକାରୀମା‌‌ନେ ସମ୍ପତ୍ତି ତାଲିକା ଦେଉନାହାନ୍ତି। ଆହୁରି ଚକିତ ଭଳି କଥା ହେଉଛି କିଛି ସରକାରୀ କର୍ମଚାରୀ ଜାଣିଶୁଣି ସମ୍ପତ୍ତି ତାଲିକା ଦେବାକୁ ବାହନା ଖୋଜୁଥିବାବେଳେ ରାଜ୍ୟ ସରକାର ତାଙ୍କୁ ସହଯୋଗ କରିବାକୁ ଯାଇ ବାରମ୍ବାର ସମ୍ପତ୍ତି ଘୋଷଣା ଅବଧି ଘୁଞ୍ଚାଇ ଚାଲିଛନ୍ତି। ଏପରିକି ଗତ ୭ମାସ ମଧ୍ୟରେ ଏହାକୁ ୪ଥର ଘୁଞ୍ଚାଗଲାଣି। ତଥାପି ବି ବାବୁମାନେ ସମ୍ପତ୍ତି ତାଲିକା ଦେଉନାହାନ୍ତି। ଯେଉଁମାନେ ସମ୍ପତ୍ତି ତାଲିକା ଦେଉନାହାନ୍ତି ତାଙ୍କ ଉପରେ ରାଜ୍ୟ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ବରଂ ପ୍ରତିଥର ଅବଧି ଘୁଞ୍ଚାଇବାବେଳେ କହୁଛନ୍ତି ଯେ ବିଭିନ୍ନ କର୍ମଚାରୀଙ୍କ ଅନୁରୋଧ ଯୋଗୁଁ ଅବଧି ଘୁଞ୍ଚିଲା। ଏଠାରେ ପ୍ରଶ୍ନ ଉଠୁଛି କେଉଁମାନେ ଏହି କର୍ମଚାରୀ, ଯିଏ ନିଜ ସମ୍ପତ୍ତି କେତେ ଜାଣିନାହାନ୍ତି? ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବାକୁ ମାସମାସ ଧରି ସମୟ ନେଉଛନ୍ତି? ନା କର୍ମଚାରୀଙ୍କ ନାଁରେ କିଛି ଉଚ୍ଚପଦସ୍ଥ ଅଧିକାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ ପଛଘୁଞ୍ଚା ଦେଉଛନ୍ତି?

ସାଧାରଣ ପ୍ରଶାସନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାନୁଆରି ୩୧, ୨୦୨୨ ସୁଦ୍ଧା କୌଣସି କର୍ମଚାରୀ ସମ୍ପତ୍ତି ତାଲିକା ନଦେବାରୁ ଏହାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିଲା।

ତଥାପି ବି ଦେଲେନି। ଏହାପରେ ପର୍ଯ୍ୟାୟକ୍ରମେ ଏପ୍ରିଲ ୩୦, ଜୁନ୍‌ ୩୦ ଯାଏଁ ଘୁଞ୍ଚାଯାଇଥିଲା। ଏପରିକି ଜୁଲାଇ ୧୩ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି କରି କୁହାଯାଇଥିଲା ଯେ ଆଉ ସୁଯୋଗ ଦିଆଯିବନି। କିନ୍ତୁ ଏବେ ପୁଣି କର୍ମଚାରୀଙ୍କ ଅନୁରୋଧକ୍ରମେ ଏହାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ଏହି ତାରିଖ ସୁଦ୍ଧା ସମସ୍ତ କର୍ମଚାରୀ ସମ୍ପତ୍ତି ତାଲିକା ଦେବାକୁ ସମସ୍ତ ସରକାରୀ ବିଭାଗ, ଆର୍‌ଡିସି, ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ଏହାପରେ ଆଉ ସୁଯୋଗ ମିଳିବ କି ନାହିଁ ତାହା କହିହେବନି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର