ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତକ ଦଳଗୁଡିକରେ ଯେତିକି ଉଷ୍ଣତା ବୃଦ୍ଧିପାଇଛି। ସେହି ତୁଳନାରେ ଲୋକଙ୍କ ମଧ୍ୟରେ ମଧ୍ୟ ନିର୍ବାଚନକୁ ନେଇ ଉତ୍ସାହ ବଢୁଥିବା ଦେଖିବାକୁ ମିଳିଛି। କିଏ ବିଜୟୀ ହେବ, କିଏ ହାରିବ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ଅଂଚଳ ଭାବେ ଚିତ୍ରକୋଣ୍ଡା ବ୍ଲକ ରହିଛି। ଏହି ବ୍ଲକରେ ଆଗାମୀ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ସେନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି। କିନ୍ତୁ ଏହାରିଭିତରେ ପୁଲିସ ଏବଂ ପ୍ରଶାସନ ଚିତ୍ରକୋଣ୍ଡାରେ ସୁରୁଖୁରୁରେ ନିର୍ବାଚନ କରାଇବା ନେଇ ରଣକୌଶଳ ପ୍ରସ୍ତୁତ କରିସାରିଲାଣି। ନିର୍ବାଚନ ଅଧିକାରୀଙ୍କ ନିର୍ଦେଶକ୍ରମେ ଏଠାରେ କିପରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ସେନେଇ ମଧ୍ୟ ଏକ ବ୍ଲୁପ୍ରିଣ୍ଟ ପୁଲିସ ପ୍ରସ୍ତୁତ କରିଥିବା ଜଣାପଡିଛି। ସୁରକ୍ଷା କାରଣରୁ ଆଜି ଏସପି ନିତେଶ ଵାଧଵାନି ସମ୍ବାଦକୁ ସାକ୍ଷାତ ଦେଇ ସବିଶେଷ ବିବରଣୀ ପ୍ରଦାନ କରିନଥିଲେ ମଧ୍ୟ ଚିତ୍ରକୋଣ୍ଡାରେ କେତେ ପୁଲିସ ମୁତୟନ ହେବେ ତାହା କହିନଥିଲେ। କିନ୍ତୁ ଏସପି ଶ୍ରୀ ଵାଧଵାନୀ ଏଥର ସ୍ବାଭିମାନ ଅଂଚଳର ଲୋକେ ଭୋଟ ଦେବା ପାଇଁ ବ୍ୟଗ୍ର ଦେଖାଯାଉଥିବା କହିଥିଲେ।

Advertisment

ପ୍ରାର୍ଥୀମାନେ ମଧ୍ୟ ନକ୍ସଲଙ୍କୁ ଭୟ ନକରି ନିଜେ ଆସି ପ୍ରାର୍ଥୀ ପତ୍ର ଦାଖଲ କରୁଛନ୍ତି। ଚିତ୍ରକୋଣ୍ଡାରେ ସୁନ୍ଦର ଭାବେ ନିର୍ବାଚନ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ।ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ରାଜନୈତିକ ଦଳର ନେତାମାନେ କିମ୍ବା ପ୍ରାର୍ଥୀମାନେ ନିର୍ବାଚନ କମିସନଙ୍କ ନିୟମ ଅନୁଯାୟୀ ପ୍ରଚାର କରିବେ। ଏଥିରୁ ବିଚ୍ୟୁତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯଦି କେହି ଚିତ୍ରକୋଣ୍ଡାରେ ସୁରକ୍ଷା ଚାହାନ୍ତି ତେବେ ପୂର୍ବରୁ ଚିତ୍ରକୋଣ୍ଡା ଥାନାରେ ଲିଖିତ ଜଣାଇବେ। ଏଥିସହ ଚିତ୍ରକୋଣ୍ଡାର ଆଭ୍ୟନ୍ତରିଣ ଅଂଚଳକୁ ପ୍ରଚାର ପାଇଁ ଯିବା ପୂର୍ବରୁ ଥାନାରେ ଅବଗତ କରାଇବେ ବୋଲି କୁହାଯାଇଛି। କୌଣସି ଅପ୍ରତିକର ଘଟଣା ଘଟିବା ପୂର୍ବରୁ ସବୁ ଦଳ ଏଥିପାଇଁ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି କୁହାଯାଇଛି।

ଚିତ୍ରକୋଣ୍ଡା ବ୍ଲକରେ ମୋଟ ୪୧ ହଜାର ୯୬୩ ଜଣ ଭୋଟ ରହିଥିବା ବେଳେ ସ୍ବାଭିମାନ ଅଂଚଳରେ ୧୮ ହଜାର ୯୮୯ ଜଣ ଭୋଟ ରହିଛନ୍ତି।ଏହି ବ୍ଲକରେ ୧୮ଟି ପଞ୍ଚାୟତ ରହିଥିବା ବେଳେ ଦୁଇଟି ଜିଲ୍ଲା ପରିଷଦ ଜୋନ ରହିଛି।ଜିଲ୍ଲା ପରିଷଦ ଜୋନ-୧ରେ ଚିତ୍ରକୋଣ୍ଡା, ଦୋରାଗୁଡା, ନୂଆଗୁଡା, କପାତୁଟି, ଗୁଣ୍ଠାଵାଡା, ପାପଲୁର, କୁର୍ମାନୁର ଏବଂ ଟନେଲକ୍ୟାମ୍ପ ରହିଛି। ସେହିପରି ଜୋନ-୨ରେ ସ୍ବାଭିମାନ ଅଂଚଳର ପଣସପୁଟ, ଯଡାମ୍ବ, ରାଲଗେଡା, ପେପରମେଟଲା, ବଡପଡା, ଅଣ୍ଡ୍ରାପାଲୀ, ଯନ୍ତ୍ରୀ, ଗାଜଲମାମୁଡି, ଧୁଳୀପୁଟ ଏବଂ ବଡପଦର ପଞ୍ଚାୟତ ରହିଛି।

ସ୍ବାଭିମାନ ଅଂଚଳରେ ୧୮ ହଜାରରୁ ଉର୍ଦ୍ଧ୍ବ ଭୋଟ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୮ ହଜାରରୁ ଉର୍ଦ୍ଧ୍ବ ରହିଛି।ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ୨୨୨ଟି ବୁଥ ରହିଥିବା ବେଳେ ଅଳ୍ପ କିଛି ବୁଥକୁ ଛାଡିଦେଲେ ସବୁ ବୁଥ ଅତି ସମ୍ବେଦନଶୀଳ ରହିଥିଲା।କିନ୍ତୁ ଏଥର ହାତଗଣତି କିଛି ବୁଥ ହିଁ ଅତି ସମ୍ବେତନଶୀଳ ରହିବ ବୋଲି ଜଣାପଡିଛି।କିନ୍ତୁ ପୁଲିସ ଏନେଇ ସୁରକ୍ଷାକୁ କଡାକଡି କରି ଏହି ବୁଥଗୁଡକରେ ଯେପରି କୌଣସି ଅଘଟଣ ନଘଟିବ ଚେଷ୍ଟା ଜାରି ରଖିଛି।ଏଥିରେ ବିଏସଏଫର ପ୍ରମୁଖ ଭୁମିକା ରହିବ।ସ୍ବାଭିମାନ ଅଂଚଳରେ ୭ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇସାରିଲାଣି।ଯାହାକି ଆଗାମୀ ପଞ୍ଚାୟତ ନିର୍ବାଚନରେ ଯବାନ ପ୍ରମୁଖ ଭୁମିକା ନେବେ।ନକ୍ସଲଙ୍କ ଗତିବିଧିକୁ ଗୁଇନ୍ଦା ଏବଂ ବିଏସଏଫ ଗୁଇନ୍ଦା ତୀକ୍ଷଣ ନଜର ରଖିଥିବା ବେଳେ ନକ୍ସଲ ମଧ୍ୟ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଯୋଜନା କରିପାରେ।କିନ୍ତୁ ଏଥର ସଫଳହେବ ନାବିଁ ବୋଲି ପୁଲିସ ଏବଂ ବିଏସଏଫ ତରଫରୁ କୁହାଯାଇଛି।

ଗତ ପଞ୍ଚାୟତ ନିର୍ବାଚନରେ ସରକାର ଓ ପ୍ରଶାସନ ଏଠାରେ ନିର୍ବାଚନ କରାଇବାରେ ବିଫଳ ହୋଇଥିଲେ। ଲୋକେ ନିଜର ମନ ମୁତାବକ ପ୍ରାର୍ଥୀ ବାଛିପାରିନଥିଲେ। ସଂପୂର୍ଣ୍ଣ ବ୍ଲକ ଲୋକ ପ୍ରତିନିଧି ବିହୀନ ହୋଇଯାଇଥିଲା। ଲୋକେ ନିଜର ଦୁଃଖ ଓ ଗୁହାରି କାହାରିକୁ ଜଣାଇପାରିନଥିଲେ। ଦଶନ୍ଧି ପରେ ଲୋକେ ଭୋଟ ଦେବାକୁ ଅତି ବ୍ୟଗ୍ର ଦେଖିବାକୁ ମିଳିଛି। ସେହିପରି ୧୮ଟି ଯାକ ପଞ୍ଚାୟତରେ ପ୍ରାର୍ଥୀମାନେ ମଧ୍ୟ ନିଜେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରୁଛନ୍ତି। ନିଜ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ସହ ସେମାନଙ୍କର ଅଭିଯୋଗକୁ ଶୁଣି ସହଯୋଗ କରିବେ ବୋଲି ଆଶା ବାନ୍ଧିଛନ୍ତି।