ସ୍ବଦେଶ ଫେରିଲେ ୪ ବନ୍ଦୀମୁକ୍ତ ବାଂଲାଦେଶୀ

୧୨ ବର୍ଷ ପରେ ପରିବାର ସହ ଅଶ୍ରୁଳ ମିଳନ

ବାଲେଶ୍ବର: ଦୀର୍ଘ ୧୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ବାଲେଶ୍ବର ଜେଲ୍‌ରେ ବନ୍ଦୀ ଥିବା ୪ ବାଂଲାଦେଶୀ ନାଗରିକ ମୁକୁଳିବା ପରେ ନିଜ ନିଜ ପରିବାର ପାଖକୁ ଫେରିଛନ୍ତି। ତେବେ ସେମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତନ ନେଇ ଅନେକ ବାଧା ଉପୁଜିଥିଲା। ହେଲେ ଓଡ଼ିଶା ପୁଲିସର ଉଦ୍ୟମ ଶେଷରେ ସଫଳ ହୋଇଛି। ଆଜି ‌ନିଜ ଦେଶରେ ପାଦ ପକାଇବା ସହ ପରିବାର ଲୋକଙ୍କୁ ଭେଟି ସମସ୍ତେ ଏମିତି ଭାବବିହ୍ବଳ ହୋଇଯାଇଥିଲେ ଯେ ପରସ୍ପରକୁ କୁଣ୍ଢାଇ କାନ୍ଦି ପକାଇଥିଲେ। ଦେଶକୁ ଫେରିବା ପାଇଁ ବାଟ ଫିଟାଇଥିବାରୁ ସେମାନେ ଓଡ଼ିଶା ପୁଲିସ, ପଶ୍ଚିମବଙ୍ଗ ଗୁଇନ୍ଦା ବିଭାଗ ଓ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପ୍ରତି କୃତଜ୍ଞତା ଜଣାଇଥିଲେ।

ସୂଚନାଯୋଗ୍ୟ; ବାଂଲାଦେଶର ଫରିଦପୁର ଜିଲ୍ଲା ଭାଙ୍ଗା ଥାନା ଅନ୍ତର୍ଗତ ହାମିର୍ଦି ଗ୍ରାମର ମହମ୍ମଦ ନୱାବ ଅଲ୍ଲୀ ଖାନ୍‌ର ପୁଅ ଅରିଫ୍‌ ଖାନ୍‌ (୩୨), ମହମ୍ମଦ ଜିନ୍ନାତ ଖାନ୍‌ର ପୁଅ ପୌଶା ଖାନ୍‌ (୩୩), ସେଖ୍‌ ସତରର ପୁଅ ସେଖ୍‌ ଜାହିିର (୩୧), ଲିୟାକ୍କତ ଅଲ୍ଲି ମୁଲ୍ଲାର ପୁଅ ମହମ୍ମଦ ଆଶାଦୁଲ ମୁଲ୍ଲା (୩୧), ମହମ୍ମଦ ଖବୀର ଖାନ୍‌ର ପୁଅ ବାବୁ ଖାନ (୩୨) ଓ ମହମ୍ମଦ ସଫିଜୁଦ୍ଦିନ ମୁଲ୍ଲାର ପୁଅ ମହମ୍ମଦ ଆବୁଲ ବସର୍‌ ମୁଲ୍ଲା(୩୮) ବେଆଇନ ଭାବେ ଓଡ଼ିଶାରେ ଅନୁପ୍ରବେଶ କରିଥିଲେ। ୨୦୦୭ ମସିହାରେ ସେମାନେ ବାଲେଶ୍ବରରେ ସିରିଜ୍ ଡକାୟତି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏହା ପରେ ସମସ୍ତଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ହୋଇଥିଲା। ସେମାନଙ୍କ ମଧ୍ୟରୁ ବାବୁ ଖାନ ଓ ମହମ୍ମଦ ଆବୁଲ ବସର୍‌ ମୁଲ୍ଲାକୁ ଯଥାକ୍ରମେ ଚୌଦ୍ବାର ଜେଲ୍‌ ଓ ଢେଙ୍କାନାଳ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାଲେଶ୍ବର ଜେଲ୍‌ରେ ବନ୍ଦୀ ଥିବା ବାକି ୪ ଜଣ ୧୨ ବର୍ଷ ପରେ; ଅର୍ଥାତ୍‌ ଗତ ଜୁନ୍‌ ମାସ ୮ ତାରିଖ ଦିନ ମୁକୁଳିଥିଲେ। ତେବେ ଏହି ୪ ଜଣ ନିଜ ଦେଶକୁ ଫେରିବା ନେଇ ଆଇନଗତ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଗତ ତିନି ମାସ ହେଲା ସେମାନେ ବାଲେଶ୍ବରରେ ପୁଲିସ ହେପାଜତରେ ଅଟକି ରହିଥିଲେ।

ବିନା ନାଗରିକତ୍ବ ପ୍ରମାଣପତ୍ରରେ ହସ୍ତାନ୍ତର ହେବା ପ୍ରଥମ ଘଟଣା
ଓଡ଼ିଶା ପୁଲିସ, ଗୁଇନ୍ଦା ବିଭାଗ ଓ ବିଏସ୍‌ଏଫ୍‌ଙ୍କୁ କୃତଜ୍ଞତା ଜଣାଇଲେ

ଏପରି ସମୟରେ ଏସ୍‌ପି ବି ଯୁଗଳ କି‌ଶୋରଙ୍କ ଉଦ୍ୟମରେ ଏହି ୪ ଜଣଙ୍କ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ସହ ବାଂଲାଦେଶ ସରକାରଙ୍କୁ ହସ୍ତାନ୍ତର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁଲିସର ଏକ ଟିମ୍‌ ସୋମବାର ସକାଳ ୯ଟାରେ ଅରିଫ୍‌, ପୌଶା, ଜାହିିର, ଆଶାଦୁଲକୁ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ନେଇ କୋଲାକାତା ଯାତ୍ରା କରିଥିଲେ। ସେଠାରୁ ସେମାନଙ୍କୁ ପଶ୍ଚିମବଂଗ ଗୁଇନ୍ଦା ବିଭାଗ ଓ ପୁଲିସ ସହାୟତାରେ ଉତ୍ତର-ଚବିଶ ପ୍ରଗଣା ଜିଲ୍ଲା ପେଟ୍ରାପୋଲ ଥାନା ଅଂଚଳରେ ଥିବା ବିଏସ୍‌ଏଫ୍‌ର ୬୪ ବାଟାଲିୟନକୁ ନିଆଯାଇଥି‌ଲା। ସେଠାରେ ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ଓଡ଼ିଶା ପୁଲିସ ସମସ୍ତ କାଗଜପତ୍ର ବିଏସ୍‌ଏଫ୍‌କୁ ପ୍ରଦାନ କରିଥିଲା। ପରେ ବାଂଲାଦେଶର ସୀମା‌େର ନିୟୋଜିତ ବୋର୍ଡର ଗାର୍ଡସ୍‌ ବାଂଲାଦେଶ (ବିଜିବି)କୁ ମଧ୍ୟ ଏନେଇ ସୂଚନା ଦିଆଯାଇଥିଲା। ହେଲେ ଗତକାଲି ହସ୍ତାନ୍ତର ପ୍ରକ୍ରିୟା ଆଉ ଆଗକୁ ବଢ଼ି ପାରିନଥିଲା। ତେବେ ଆଜି ଅପରାହ୍ନ ୩ଟା ବେଳେ ବାଂଲାଦେଶ ହାଇକମିଶନ, ବାଂଲାଦେଶ ଗାର୍ଡ ପୁଲିସର ଏକ ଟିମ୍‌ ସହ ସମ୍ପୃକ୍ତ ୪ ଜଣ ନାଗରିକଙ୍କ ପରିବାର ଲୋକ ‌ଜିରୋଲାଇନ୍‌କୁ ଆସି ବିଏସ୍‌ଏଫ୍‌କୁ ସୂଚନା ଦେଇଥିଲେ। ବିଏସ୍‌ଏଫ୍‌ ଓ ପୁଲିସ ଟିମ୍‌ ସେଠାକୁ ଯିବା ପରେ ସମସ୍ତ କାଗଜପତ୍ର ସହ ୪ ନାଗରିକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଆଉ ୧୨ ବର୍ଷ ପରେ ଅରିଫ୍‌, ପୌଶା, ଜାହିିର, ଆଶାଦୁଲ ନିଜ ନିଜ ପରିବାର ଲୋକଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ। ନା ସେମାନଙ୍କ ଆଖିରୁ ଲୁହ ବନ୍ଦ ହେଉଥିଲା, ନା ପରିବାର ଲୋକ କୋହ ସମ୍ଭାଳି ପ‌‌ାରିନଥିଲେ। ସବୁଠାରୁ ବଡ଼କଥା ହେଲା; ବନ୍ଦୀମୁକ୍ତ ସମ୍ପୃକ୍ତ ୪ ଜଣ ବାଂଲାଦେଶୀଙ୍କ ପାଖରେ ନିଜ ଦେଶର ନାଗରିକ ପ୍ରମାଣପତ୍ର ନ ଥାଇ ବି ବାଂଲାଦେଶ ସରକାର ସେମାନଙ୍କୁ ଗ୍ରହଣ କରିଛନ୍ତି। ଏନେଇ ଓଡ଼ିଶା ପୁଲିସର ଯଥେଷ୍ଟ ଅବଦାନ ରହିଛି। ଭିସା, ପାସପୋର୍ଟ କିମ୍ବା କୌଣସି ଗସ୍ତ ପ୍ରମାଣପତ୍ର ନଥିବା ସତ୍ତ୍ବେ ପୁଲିସ ଫାଇଲ୍‌ରେ ମହଜୁଦ ‌େସମାନଙ୍କ ସଂପର୍କିତ ସମସ୍ତ ତଥ୍ୟ ବ୍ୟବସ୍ଥିତ ଢଙ୍ଗରେ ବାଂଲା ସରକାରଙ୍କଠାରେ ପ୍ରଦାନ କରାଯାଇଥିଲା। ଯାହାଦ୍ବାରା ସମସ୍ତଙ୍କ ସ୍ବଦେଶ ପ୍ରତ୍ୟାବର୍ତନ ସମ୍ଭବ ହୋଇପାରିଛି।

ଏଠାରେ ଉଲ୍ଲେଖଯୋଗ୍ୟ; ସମ୍ପୃକ୍ତ ୪ ବାଂଲାଦେଶୀ ନାଗରିକ ବାଲେଶ୍ବର ଜେଲ୍‌ରୁ ମୁକ୍ତ ହେବା ପରେ ଭାରତର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଅନେକ ବାଂଲାଦେଶୀଙ୍କ ସ୍ବଦେଶ ଫେରିବା ‌ନେଇ ଆଶା ଉଜ୍ଜୀବିତ ହୋଇଛି। ଯେଉଁମାନଙ୍କ ତଥ୍ୟ ରାଜ୍ୟ ଗୁଇନ୍ଦା ବିଭାଗ ନିକଟରେ ରହିିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର