ଆସିକା: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପୁରୁଣାବୋରି ଗ୍ରାମରେ ହୋଇଥିବା ଏକ ହତ୍ୟା ମାମଲାର ବିଚାରଣା କରି ଆସିକା ଏଡିଜେ ପ୍ରବୀର କୁମାର ଚୌଧୁରୀ ଅଭିଯୁକ୍ତ ବାପା, ପୁଅ ଓ ଝିଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀମାନେ ହେଲେ ଖଦାଳ ପ୍ରଧାନ, ତାଙ୍କ ପୁଅ ବାବୁ ପ୍ରଧାନ ଓ ଝିଅ ବ୍ରହ୍ମାକୁମାରୀ ପ୍ରଧାନ ଓରଫ୍‌ ଟିକି। ସେହିପରି ୧୦ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ରାୟ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୪ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ରହିଛି।

Advertisment

ମାମଲାରୁ ପ୍ରକାଶ, ୨୦୧୧ ମାର୍ଚ୍ଚ ୫ରେ ପୁରୁଣାବୋରି ଗ୍ରାମରେ ନାମ ସଂକୀର୍ତ୍ତନ ଚାଲିଥିଲା। ସେଠାରୁ ବୁଲୁ ବିଷୋୟୀ ନିଜ ଘରକୁ ଫେରିବା ବେଳେ ତାଙ୍କୁ ଖଦାଳଙ୍କ ସହ ତାଙ୍କ ପୁଅ ବାବୁ, ଝିଅ ଟିକି, ସୁଗ୍ରୀବ ପ୍ରଧାନ ଓ ଜ୍ୱାଇଁ ଗୋପୀନାଥ ସ୍ୱାଇଁ ସଂଘବଦ୍ଧ ଭାବେ କାତି ଓ ଠେଙ୍ଗାରେ ଆକ୍ରମଣ କରି ଫେରାର୍‌ ହୋଇ‌ ହୋଇଯାଇଥିଲେ। ବୁଲୁଙ୍କୁ ଗୁରୁତର ଅବସ୍ଥାରେ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଦାଦା ନରସିଂହ ବିଷୋୟୀ ଏନେଇ ଗାଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

କିଛି ବର୍ଷ ଜେଲ୍‌ରେ ରହିବା ପରେ ସମସ୍ତେ ଜାମିନ ପାଇଥିଲେ। ଏହି ମାମଲାର ବିଚାରଣା ବେଳେ ତଦନ୍ତକାରୀ ଅଧିକାରୀ ପ୍ରଦୀପ କୁମାର ବାର୍ଲା ଓ ଅଜୟ କୁମାର ବାରିକଙ୍କ ସହିତ ୧୩ଜଣ ସାକ୍ଷୀଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା। ଦୀର୍ଘ ୧୩ ବର୍ଷ ପରେ ଏହି ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। କୋର୍ଟ ବାପା, ପୁଅ ଓ ଝିଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ଏପିପି ଜି.ସୂର୍ଯ୍ୟ ପ୍ରକାଶ ରାଓ ମକଦ୍ଦମା ପରିଚାଳନା କରିଥିଲେ। ଅନ୍ୟ ଅଭିଯୁକ୍ତଙ୍କ ପାଇଁ ଅଲଗା ବିଚାରଣା ଚାଲିଛି।