ପୁରୀ,୧୪/୬(ଇମିସ): ପୁରୀ ଜିଲ୍ଲାର ୬ ନିର୍ବାଚନମଣ୍ଡଳୀ ଭିତରେ ବିଜେଡି ପାଇଁ ସବୁଠୁ ଅଧିକ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ନିମାପଡ଼ା ବିଧାନସଭା ଆସନ। କାରଣ ଏହି ଆସନରେ ବିଜେଡି ନିମାପଡ଼ା ବିଧାୟକ ସମୀର ରଂଜନ ଦାଶଙ୍କ ଟିକେଟ୍‌ କାଟି ଦିଲୀପ କୁମାର ନାୟକଙ୍କୁ ଟିକେଟ୍‌ ଦେଇଥିଲା। ଦିଲୀପ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିର ହାତ ଧରିଥିଲେ। ଯାହା ଦଳ ପାଇଁ ମହଙ୍ଗା ପଡ଼ିଛି। ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ାକୁ ସମୀରଙ୍କ ସମର୍ଥନ ଦିଲୀପଙ୍କ ପରାଜୟର କାରଣ ସାଜିଛି।

Advertisment

ପ୍ରାର୍ଥୀ ହିସାବରେ ନିମାପଡ଼ାରେ ଦିଲୀପଙ୍କ ପ୍ରତି ଭୋଟର୍‌ଙ୍କ ଭଲ ପାଇବା ଅତୁଟ ଥିଲା। ବିଜେଡିର ନୂଆ ପ୍ରାର୍ଥୀ ଭାବେ ଶେଷ ପର୍ଯ୍ୟନ୍ତ ଦିଲୀପ ବିଜୟ ପାଇଁ ସଂଘର୍ଷ କରିଥିଲେ। କିନ୍ତୁ ଶେଷ କିଛି ବୁଥ୍‌ ତାଙ୍କୁ ପରାଜୟ ଆଡ଼କୁ ନେଇ ଯାଇଥିଲା। ଜିଲ୍ଲାର ୬ ନିର୍ବାଚନମଣ୍ଡଳୀ ଭିତରେ ସବୁଠୁ କମ୍‌ ଭୋଟ୍‌ ବ୍ୟବଧାନ ଅର୍ଥାତ୍‌ ମାତ୍ର ୪ହଜାର ୪୫୮ ଭୋଟ୍‌ରେ ପଛରେ ରହି ଦିଲୀପ ପରାଜିତ ହୋଇଥିଲେ। ପ୍ରଭାତୀଙ୍କୁ ୯୫ହଜାର ୧୨୬ ଭୋଟ୍‌ ଓ ଦିଲୀପଙ୍କୁ ୯୦ହଜାର ୬୬୮ ଭୋଟ୍‌ ମିଳିଥିଲା। ୧୯୯୫ ସାଧାରଣ ନିର୍ବାଚନରେ ଶେଷଥର ନିମାପଡ଼ାରେ କଂଗ୍ରେସ ବିଜୟ ଟିକା ପିନ୍ଧିଥିଲା।

ସେବେଠୁ ଆଉ କଂଗ୍ରେସ ଏଠାରୁ ବିଜୟୀ ହୋଇନି। କେତେବେଳେ ବିଜେପି ତ କେତେବେଳେ ବିଜେଡି ଏଠାରୁ ବିଜୟୀ ହୋଇଛି। ୨୦୦୦ ଓ ୨୦୦୪ ସାଧାରଣ ନିର୍ବାଚନରେ ବିଜେପିର ବାଇଧର ମଲ୍ଲିକ ଏଠାରୁ ବିଜୟୀ ହୋଇଥିଲେ। ସର୍ବଦା କଂଗ୍ରେସ ସହ ଏଠାରେ ଟକ୍କର ହେଉଥିଲା। ୨୦୦୯ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ସମୀର ବିଜେଡିରୁ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ଲଢ଼ିଥିଲେ ଓ କଂଗ୍ରେସ ସହ ଟକ୍କର ହୋଇଥିଲା। ଏହି ନିର୍ବାଚନରେ ପ୍ରାୟ ୪୦ହଜାର ଭୋଟ୍‌ରେ ବିଜୟୀ ହୋଇଥିଲେ ସମୀର। ପରେ ବିଜେଡି କେବେ ପରାଜୟ ମୁହଁ ଦେଖିନି। ୨୦୧୪, ୨୦୧୯ରେ ସମୀର ବିଜୟୀ ହୋଇ ବିଧାୟକ ହୋଇଛନ୍ତି। କିନ୍ତୁ ୧୧ନମ୍ବର ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପରଠାରୁ ବିବାଦୀୟ ହୋଇପଡ଼ିଥିବା ସମୀରଙ୍କ ବଦଳରେ ବିଜେଡି ଦିଲୀପଙ୍କୁ ଟିକେଟ୍‌ ଦେଇଥିଲା। ଯାହାକୁ ନେଇ ସମୀର ଓ ତାଙ୍କ ଗୋଷ୍ଠୀ ଅସନ୍ତୁଷ୍ଟ ଥିଲେ। ଯେଉଁଥିପାଇଁ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସମୀର ତାଙ୍କ ସମର୍ଥକଙ୍କ ସହ ବିଜେପିରେ ମିଶିଥିଲେ। ଯାହା ବିଜେପି ପାଇଁ ବରଦାନ ସଦୃଶ ହୋଇଥିଲା। ୨୦୦୪ ପରଠାରୁ ଯେଉଁ ବିଜେପି ବିଜୟ ସ୍ବାଦ ଚାଖିନଥିଲା, ୧୫ବର୍ଷ ପରେ ଚଳିତ ନିର୍ବାଚନରେ ବିଜେପି ବିଜୟ ମୁକୁଟ ପିନ୍ଧିଛି। ଗଣତି ଆରମ୍ଭରୁ ହିଁ ଦିଲୀପ ପ୍ରାୟ ୩ଶହରୁ ୧୫ଶହ ଭୋଟ୍‌ ବ୍ୟବଧାନରେ ପଛରେ ରହିଥିଲେ। ୭ମ ପର୍ଯ୍ୟାୟ ଗଣତି ପରଠାରୁ ଭୋଟ୍‌ ବ୍ୟବଧାନ ବଢ଼ିବା ସହ ୨ହଜାର ଟପିଥିଲା। ୨୦ ପର୍ଯ୍ୟାୟ ଗଣତି ସୁଦ୍ଧା ୨ହଜାରରୁ ୩ହଜାର ଭିତରେ ଭୋଟ୍‌ ବ୍ୟବଧାନ ରହିଥିଲା। କିନ୍ତୁ ଶେଷ ୫ ଗଣତିରେ ଭୋଟ୍‌ ବ୍ୟବଧାନ ୪ହଜାର ଡେଇଁ ଯାଇଥିଲା ଓ ଦିଲୀପ ପରାଜିତ ହୋଇଥିଲେ।