୧୫ ବର୍ଷ ପରେ ଖୋଲିଲା ପଞ୍ଚାୟତ ଗୋଦାମ ତାଲା

ପାଣିକୋଇଲି : କୋରେଇ ବ୍ଲକ ମୂଳାପାଳ ପଞ୍ଚାୟତ ଗୋଦାମ ଗୃହ ଦୀର୍ଘ ୧୫ ବର୍ଷ ପରେ ତାଲା ଭାଙ୍ଗି ଆଜି ଖୋଲାଯାଇଛି। ଏହି ଘରେ ଥିବା କିଛି ଚାଉଳ ଓ ଅଖା ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ବନ୍ୟାପାଣି ଏଠାରେ ପଶିବା ପରେ ଆଉ ଗୋଦାମ ଖୋଲାଯାଇ ନଥିଲା। ଗୋଦାମ ଗୃହର ସୁରକ୍ଷା ଓ ମରାମତି ପାଇଁ ପଞ୍ଚାୟତ ପକ୍ଷରୁ ବିଡିଓଙ୍କୁ ଅବଗତ କରାଯାଇଥିଲା। ଗତ ୨୧ ତାରିଖରେ ଏନେଇ ପତ୍ର ସଂଖା ୪୮୮୪ରେ କୋରେଇ ବିଡିଓ ପାଣିକୋଇଲି ପୁଲିସ, ସରପଞ୍ଚ, ପିଇଓ, ସମିତିସଭ୍ୟଙ୍କ ଉପସ୍ଥିତିରେ ତାଲା ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ।

ଆଜି ପାଣିକୋଇଲି ପୁଲିସ ଉପସ୍ଥିତିରେ ଗୋଦାମ ଗୃହର ତାଲା ଭଙ୍ଗାଯାଇଥିଲା। ଘର ମଧ୍ୟରେ ଉଇହୁଙ୍କା ହୋଇଯାଇଥିଲା। ଏନେଇ କୋରେଇ ବିଡିଓ ଓ ପାଣିକୋଇଲି ପୁଲିସଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଏଥିରେ ମୂଳାପାଳ ସରପଞ୍ଚ ଜୟନ୍ତ ନାୟକ, ପିଇଓ ଅର୍ଜୁନ ବରାଳ, ଜିଆରଏସ ଦିଲୀପ କୁମାର ଦୀକ୍ଷିତ, ନାଏବ ସରପଞ୍ଚ ପାର୍ବତୀ ସାହୁ, ରମେଶ ସାହୁ, ବନମାଳୀ ଦାସ, ଆନନ୍ଦ ପାଳ, ଅଶୋକ କୁମାର ନାୟକ, ଅଶୋକ ସାହୁ ଓ ହାବିଲଦାର ସୁଲୋଚନ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର