୧୬ବର୍ଷ ପରେ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି: ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ

‘ଜନତା-ସରକାରଙ୍କ ଭିତରେ ଥିବା ଲୌହ ପାଚେରି ହଟିଛି’

ଭୁବନେଶ୍ବର: ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର ଆରମ୍ଭ ହୋଇଛି। ଦୀର୍ଘ ୧୬ ବର୍ଷର ବ୍ୟବଧାନ‌ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚଳଚଞ୍ଚଳ ହୋଇଛି। ରାଜ୍ୟରେ ସରକାର ବଦଳିବା ପରେ ଅଭିଯୋଗ ପ୍ରକୋଷ୍ଠରେ ଆରମ୍ଭ ହୋଇଛି ଶୁଣାଣି। ଜନତା-ସରକାରଙ୍କ ଭିତରେ ଥିବା ଲୌହ ପାଚେରୀ ହଟିଯାଇଛି। ଲୋକଙ୍କୁ ପାଖରେ ବସାଇ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶତାଧିକ ଜନତା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଗୁହାରି ଜଣାଇଛନ୍ତି।

ଆଜିଠାରୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରାଯିବ। ସକାଳ ୧୧ଟାରୁ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ସକାଳ ୮ଟାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ୟୁନିଟ୍‌-୫ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଭିଡ଼ ଜମାଇଥିଲେ। ବହୁ ବର୍ଷ ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲୁଥିବାରୁ ଦୂରରୁ ଆସୁଥିବା ଲୋକମାନେ ଗତକାଲିଠାରୁ ଆସି ଭୁବନେଶ୍ବରରେ ରହିଥିଲେ। ସକାଳ ୯ଟାରୁ ୧୨ଟା ଭିତରେ ଏଥିପାଇଁ ପଞ୍ଜୀକରଣ ଚାଲିଥିଲା। ଲୋକଙ୍କ ଭିଡ଼କୁ ନଜରରେ ରଖି ସାଧାରଣ ପ୍ରଶାସନ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସମସ୍ତଙ୍କ ପାଇଁ ବସିବାର ବ୍ୟବସ୍ଥା ହୋଇଥିଲା। ଏହାସହ ପାନୀୟ ଜଳ ଓ ପଙ୍ଖା ଲଗାଯାଇଥିଲା। ଦିବ୍ୟାଙ୍ଗ ବ୍ୟକ୍ତିମାନେ ହ୍ବିଲ ଚେୟାରରେ ଅପେକ୍ଷା କରିଥିଲେ। ମାଇକ୍‌ ଯୋଗେ କ୍ରମିକ ନମ୍ବର ଘୋଷଣା ହେବା ପରେ ‌ଲୋକମାନେ ପୁଲିସ ଯାଞ୍ଚ ପାଇଁ ଅପେକ୍ଷା କରିଥିଲେ। ଯାଞ୍ଚ ପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ନିଜର ଅଭିଯୋଗ ଜଣାଇଥିଲେ। କିଏ ପେନସନ୍‌ ସମସ୍ୟା ପାଇଁ ଆସିଥିଲା ତ ଆଉ କିଏ ବାସହରା ଘର ଖଣ୍ଡେ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇ ଲୋକମାନେ କାନ୍ଦ କାନ୍ଦ ହୋଇପଡ଼ିଥିଲେ।

‘ଜନତା-ସରକାରଙ୍କ ଭିତରେ ଥିବା ଲୌହ ପାଚେରି ହଟିଛି’
୧୫୪୦ ଅଭିଯୋଗ ପଞ୍ଜିକୃତ, ୫ହଜାରରୁ ଅଧିକ ଲୋକଙ୍କୁ ଶୁଣିଲେ ମୁଖ୍ୟମନ୍ତ୍ରୀ
୯୯% ଅଭିଯୋଗର ସମାଧାନ କରାଯିବ

ହଜାରରୁ ଅଧିକ ଲୋକ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ସେମାନଙ୍କ ସମସ୍ୟା କହିଛନ୍ତି। ସମସ୍ତଙ୍କ ସମସ୍ୟା ଶୁଣି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୟୋବୃଦ୍ଧ ମହିଳା ସରସ୍ୱତୀ ତ୍ରିପାଠୀ। ତାଙ୍କର ପିଲାମାନେ ସମ୍ପତ୍ତି ହଡ଼ପ କରି ଘରୁ ବାହାର କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ପୁଲିସକୁ ପରାମର୍ଶ ଦେଇଥିଲେ। ସେହିପରି କେନ୍ଦୁଝରର ଗୋଟିଏ ସ୍କୁଲରେ କାମ କରୁଥିବା ଜଣେ ମହିଳା ଅନେକ ଦିନ ଧରି ଦରମା ପାଉନାହାନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଅଞ୍ଚଳର ଥାଲାସେମିଆରେ ଆକ୍ରାନ୍ତ ଗୋଟିଏ ଛୋଟ ଝିଅର ବାପା ସତ୍ୟଜିତ ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥିଲେ। ତାଙ୍କ ଝିଅର ଅସ୍ଥିମଜ୍ଜା ପ୍ରତିରୋପଣ କରାଯିବ। ସେଥିପାଇଁ ଯେତେଶୀଘ୍ର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଆବଶ୍ୟକସ୍ଥଳେ ତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅନେକ ପୀଡ଼ିତ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗକରିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସମସ୍ୟା ଶୁଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନଙ୍କ ସମସ୍ୟା ଶୁଣିବା ଓ ଏହାର ସମାଧାନ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ତୃଣମୂଳ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଜନଶୁଣାଣିର ଯେଉଁ ବ୍ୟବସ୍ଥା ଅଛି, ତାହାକୁ କିଭଳି ଭାବେ ସୁସଂପର୍କ ପ୍ରତିଷ୍ଠା କରି ସାମାଧାନ ରାସ୍ତା ବାହାର କରାଯିବ ଏଥିପାଇଁ ସରକାର ଅଭିଯୋଗ ପ୍ରକୋଷ୍ଠକୁ ପୁନର୍ବାର ଚାଲୁ କରିଛନ୍ତି। ଗତ ସରକାର ସମୟରେ ସରକାର-ଜନତା ଭିତରେ ଏକ ଲୌହ ପାଚେରି ଥିଲା। ଏହି ପାଚେରି ପାଇଁ ଲୋକମାନଙ୍କ ସମସ୍ୟାର ସମାଧାନ ହୋଇପାରୁ ନ ଥିଲା। ଆଜି ଏହି ଲୌହ ପାଚେରିକୁ ଭାଙ୍ଗି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରାଜ୍ୟର ସାଢ଼େ ୪କୋଟି ଓଡ଼ିଆଙ୍କ ଆଶା ଓ ଭରସା ପାଲଟିବ। ଅନେକ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାର ଯଦି ଅଭିଯୋଗ ମାଧ୍ୟମରେ କିଛି କଥା ନ ଶୁଣିବେ ତାହାଲେ ଲୋକମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ।

ଲୋକମାନେ ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଓ ଅଭିଯୋଗ କରୁଛନ୍ତି। ହେଲେ ତାହାର ସାମାଧାନ ରାସ୍ତା ବାହାରିପାରୁନାହିଁ। ପ୍ରତି ବିଭାଗର ଅଧିକାରୀ ଓ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ ଅଭିଯୋଗ ଶୁଣିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆହୁରି ସୁନ୍ଦର ଢଙ୍ଗରେ ଯେପରି ଅଭିଯୋଗର ଶୁଣାଣି ହୋଇପାରିବ ସେଥିପାଇଁ ଯୋଜନା କରାଯାଉଛି। ଲୋକମାନେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାପାଳଙ୍କୁ ଭେଟନ୍ତୁ। ଫଳରେ ରାଜ୍ୟସ୍ତରରେ ଅଭିଯୋଗ ସଂଖ୍ୟା କମିଯିବ। ଲୋକମାନଙ୍କ ଯେଉଁ ଅଭିଯୋଗସବୁ ଆସିଛି ସେସବୁକୁ ବିଭାଗମାନଙ୍କୁ ଦିଆଯାଇଛି। ପ୍ରାୟ ୯୯ ପ୍ରତିଶତ ଅଭିଯୋଗର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ଖୋଲିଛନ୍ତି। ଆଜି ସମୁଦାୟ ୧୫୪୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ପ୍ରାୟ ୫ହଜାରରୁ ଅଧିକ ଲୋକ ଆସିଥିଲେ। ପ୍ରତି ସୋମବାର ଏହିପରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର