ବିଧାନସଭା ହାଲଚାଲ୍ : ୧୯ ବର୍ଷ ପରେ ଦାମଙ୍କ ଅନୁପସ୍ଥିତି, ଚର୍ଚ୍ଚାରେ ବିଜେପି ବିଧାୟକଙ୍କ ଗେରୁଆ ଉତ୍ତରୀୟ

ଭୁବନେଶ୍ବର : ଆରମ୍ଭ ହୋଇଛି ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନ। ଅଧିକାଂଶ ବିଜେପି ବିଧାୟକ ପ୍ରଥମ ଦିନରେ ଏକା ସଙ୍ଗେ ଗୃହ ଭିତରକୁ ପ୍ର‌େବଶ କରିଥିଲେ। ଜଣେ ଦୁଇ ଜଣଙ୍କୁ ବାଦ୍ ଦେଲେ ସମସ୍ତେ ଗେରୁଆ ରଙ୍ଗର ଉତ୍ତରୀୟ କାନ୍ଧରେ ପକାଇଥିଲେ। ବହୁ ବିଧାୟକ ଗୃହକୁ ପ୍ର‌େବଶ କଲା ବେଳେ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା। ଏ ସବୁ ଗୃହରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିବା ସହ ଆଲୋଚନାର ଖୋରାକ ଯୋଗାଇଥିଲା। ଗୃହ ମୁଲତବୀ ହେଲା ପରେ ଗଣମାଧ୍ୟମ ପ୍ରତିନିଧିମାନେ ବିଧାୟକମାନଙ୍କୁ ଏହି ଉତ୍ତରୀୟ ପକାଇବାର କାରଣ ପଚାରିଥିଲେ। ବରିଷ୍ଠ ବିଧାୟକ ବିଷ୍ଣୁ ସେଠୀ କହିଥିଲେ, ‘ଏହାର କିଛି କାରଣ ନାହିଁ। କେହି ଏମିତି କରିବାକୁ କହି ନାହାନ୍ତି। ସମସ୍ତେ ମିଶି କଥା ହୋଇ ଉତ୍ତରୀୟ ପକାଇ ଆସିଲୁ। ଆମକୁ ସମସ୍ତେ ଗେରୁଆ ଦଳ କହୁଛନ୍ତି। ତେଣୁ ଆମେ ସତରେ ଗେରୁଆ ଉତ୍ତରୀୟ ପକାଇଲୁ। ଏଇଟା ଆମ ପରିଚୟ ବୋଲି ଭାବି ନେଇପାରନ୍ତି।’ ଗୃହକୁ ଆସିବା ପୂର୍ବରୁ ସବୁ ବିଧାୟକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇ ସେଠାରୁ ବାହାରିଥିଲେ।

ଶୋଇ ପଡ଼ିଲେ ବିଷ୍ଣୁ ଦାସ
ବିଧାନସଭାର ପ୍ରଥମ ଦିବସରେ ଆଜି ଶାସକ ଦଳ ପଟେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ଦିବଂଗତ ସଦସ୍ୟ ଓ ସହିଦଙ୍କ ପାଇଁ ଶୋକ ପ୍ରକାଶ କରିବାକୁ ଗୃହର ସବୁ ସଦସ୍ୟ ଦଣ୍ଡାୟମାନ ହେଲେ ‌େସତେବେଳେ ବରିଷ୍ଠ ବିଧାୟକ ବିଷ୍ଣୁ ଦାସ ବସି ରହିଲେ। ପ୍ରକୃତରେ ସେ ଶୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ପାଖ ଆସନରେ ବସିଥିବା କୌଣସି ସଦସ୍ୟ ବି ତାଙ୍କୁ ଉଠାଇ ନ ଥିଲେ। ଏହି ଫଟୋଟି ଆଜି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଖାଲି ପଡ଼ିଲା ବିରୋଧୀ ଦଳ ମୁଖ୍ୟ ସଚେତକ ଆସନ
ଶାସକ ବିଜେଡି ଓ କଂଗ୍ରେସର ବିଧାୟକ ଦଳର ସମସ୍ତ ପଦପଦବିରେ ମନୋନୟନ ‌େଶଷ ହୋଇଛି। କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେପି କାଲି ରାତିରେ ବିଧାୟକ ଦଳ ନେତାଙ୍କ ନାମ ଘୋଷଣା କଲେ। ମାତ୍ର ଆଜି ଗୃହ ଆରମ୍ଭ ହୋଇଥିଲେ ବି ବିରୋଧୀ ଦଳର ମୁଖ୍ୟ ସଚେତକଙ୍କ ନାମ ଘୋଷଣା ହୋଇ ନାହିଁ। ସେଥି ପାଇଁ ମୁଖ୍ୟ ସଚେତକଙ୍କ ନିମନ୍ତେ ଉଦ୍ଦିଷ୍ଟ ଚେୟାର ଫାଙ୍କା ପଡ଼ିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ବି ନାମ ଘୋଷଣା ହୋଇ ନାହିଁ।

ତାରା-ସୁର ଯୋଡ଼ିଙ୍କ ହଙ୍ଗାମା
କଂଗ୍ରେସ ଦଳରେ ତାରା ବାହିନୀପତି ଓ ସୁରେଶ ରାଉତରାୟଙ୍କ ବଡ଼ ପାଟି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଗତବର୍ଷ ଉଭୟ ମୁହାଁମୁହିଁ େହାଇଥିଲେ। ପରସ୍ପର ବିେରାଧରେ ବିେଷାଦଗାର କରିଥିଲେ। ଆଜି କିନ୍ତୁ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା। ଏଥର ତାରା-ସୁର ଉଭୟ ଜିତିକି ଆସିଛନ୍ତି। ଆଜି ଗୃହକୁ ପ୍ରବେଶ କଲାଠାରୁ ଆରମ୍ଭ କରି କଂଗ୍ରେସ ଦଳର ହଟ୍ଟଗୋଳ ଓ କକ୍ଷ ତ୍ୟାଗ ପର୍ଯ୍ୟନ୍ତ ସବୁଥିରେ ଏହି ଦୁଇ ଜଣଙ୍କ ପାଟି ଶୁଣିବାକୁ ମିଳୁଥିଲା। ବିଜେଡି ଓ ବିଜେପିକୁ ତାଚ୍ଛଲ୍ୟ କରି ଉଭୟ ବଡ଼ ପାଟିରେ କିଛି କହୁଥିବା ଦେଖାଯାଇଥିଲା। ଗତ ବିଧାନସଭା‌ ‌େବଳେ କେବଳ ତାରାଙ୍କ ପାଟି ଶୁଣିବାକୁ ମିଳୁଥିଲା। କାରଣ ସୁର ନିର୍ବାଚନରେ ହାରିଯାଇଥିଲେ। ଗତ ଦୁଇଟି ବିଧାନସଭାରେ ସୁରଙ୍କ ଅନୁପସ୍ଥିତି ଅନୁଭବ ହେଉଥିଲା।

୧୯ ବର୍ଷ ପରେ ଦାମଙ୍କ ଅନୁପସ୍ଥିତି
ବିଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦାମୋଦର ରାଉତ ଏଥର ଗୃହକୁ ଆସିପାରି ନାହାନ୍ତି। ୨୦୦୦ ମସିହାରେ ବିଜେଡି ଶାସନକୁ ଆସିଲା ପରଠାରୁ ଶ୍ରୀ ରାଉତ ଲଗାତର ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିଲେ। ମନ୍ତ୍ରୀ ଥା’ନ୍ତୁ କି ବିଧାୟକ, ସବୁବେଳେ ଦାମଙ୍କ ମନ୍ତବ୍ୟ ଗୃହରେ ଚର୍ଚ୍ଚାକୁ ବେଶ୍‌ ଖୋରାକ ଯୋଗାଏ। ଗୃହ ବାହାରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ପ୍ରସଙ୍ଗରେ ମତାମତ ନେବା ପାଇଁ ଦାମଙ୍କୁ ଅପେକ୍ଷା କରିଥା’ନ୍ତି। କିନ୍ତୁ ଏଥର ଦାମ ନିର୍ବାଚନରେ ହାରିଯାଇଥିବାରୁ ଆଉ ଗୃହକୁ ଆସି ପାରି ନାହାନ୍ତି। ତେବେ ଦାମଙ୍କ ପୁଅ ସମ୍ବିତ ରାଉତ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇ ଗୃହକୁ ଆସିଛନ୍ତି।

ଖଲ୍ଲିକୋଟ ରାଣୀଙ୍କ ସ୍ଥାନ ନେଲେ ମୀନାକ୍ଷୀ
ଖଲ୍ଲିକୋଟ ରାଣୀ ଭି ସୁଜ୍ଞାନୀ ଦେଓ ୧୦ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମାତ୍ର ଏଥର ସେ ନିର୍ବାଚନରେ ଲଢ଼ି ନ ଥିଲେ। ଗତ କିଛି ବର୍ଷ ହେଲା ଗୃହରେ ସେ ଡି ବ୍ଲକ୍‌ର ଏକ ନିର୍ଦ୍ଦିଷ୍ଟ ଆସନରେ ବସୁଥିବା ଦେଖିବାକୁ ମିଳୁଥିଲା। ଏଥର ରାଣୀ ଗୃହକୁ ଆସି ନ ଥିବାବେଳେ ସେହି ଆସନଟିରେ ଆଜି ଚମ୍ପୁଆ ବିଧାୟକ ମୀନାକ୍ଷୀ ମହନ୍ତ ବସିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର