ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମାଳତୀବାଡ଼ି ଗ୍ରାମର ଦିଲୀ ନାହାକଙ୍କୁ ୨୦୦୦ମସିହା ଜୁନ୍ ୧୩ରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ସେମାନେ ହେଲେ ଉକ୍ତ ଗ୍ରାମର ସଂକୁଳିଆ ନାହାକ, ଗୁରୁ ନାହାକ, ପ୍ରସନ୍ନ ନାହାକ। ଦୀର୍ଘ ୧୯ବର୍ଷ ପରେ ଆଜି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍(ଏଡିଜେ)-୨ ଦୀପକ କୁମାର ଏହି ମାମଲାର ଶୁଣାଣି କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଉକ୍ତ ଗ୍ରାମର କୋକ ନାହାକ ଏବେବି ଫେରାର୍ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପୂର୍ବ ଶତୁତ୍ରାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା। ଦିଲୀ ନାହାକଙ୍କୁ ୪ ଅଭିଯୁକ୍ତ ସଂଘବଦ୍ଧ ଭାବେ ଠେଙ୍ଗା ଏବଂ କାତିରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଦିଲୀଙ୍କ ମୃତ୍ୟୁ ହୋଇଥିଲା। ତେବେ ସ୍ବାମୀଙ୍କୁ ରକ୍ଷା କରିବାକୁ ଯାଇ ସ୍ତ୍ରୀ ଶଶି ନାହାକ ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ କୋକଙ୍କ ବ୍ୟତୀତ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୋଲସରା ଫାଣ୍ଡିର ତତ୍କାଳୀନ ଏସଆଇ ଉତ୍ତମ କୁମାର ମହାନ୍ତି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ପରେ ଗିରଫ ଅଭିଯୁକ୍ତମାନେ ଉଚ୍ଚ ନ୍ୟାୟାଳୟରୁ ଜାମିନ୍ ପାଇଥିଲେ। ୯ଜଣଙ୍କ ସାକ୍ଷ୍ୟ ଓ ଆବଶ୍ୟକ ତଥ୍ୟ, ପ୍ରମାଣ ଆଧାରରେ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏପିପି କୁରେଶ ଚନ୍ଦ୍ର ଗୌଡ଼ ମାମଲା ପରିଚାଳନା କରିଥିଲେ।