ଦୁଇଦିନ ପରେ ସାବିତ୍ରୀ: ଫଳ ବଜାର ସରଗରମ; ଶାଢ଼ି, ଷ୍ଟେସନାରି ଦୋକାନରେ ଭିଡ଼

ଭଞ୍ଜନଗର : ଆଉ ଦୁଇ ଦିନ ପରେ ସାବିତ୍ରୀ ଅମାବାସ୍ୟା। ବିବାହିତାମାନେ ଭଗବାନଙ୍କୁ ପୂଜା କରି ସ୍ବାମୀର ଦୀର୍ଘ ଜୀବନ କାମନା କରିବା ସହ ପରିବାରର ମଙ୍ଗଳ ମନାସିବେ। ଏଥିପାଇଁ ଭଞ୍ଜନଗର ସହରରେ ମହିଳା ମାନେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ପାଇଁ ବଜାରରେ ଭିଡ଼ ଜମିବାରେ ଲାଗିଲାଣି। ଶାଢ଼ି ଦୋକାନ ଠାରୁ ଆରମ୍ଭ କରି ଷ୍ଟେସନାରି ଦୋକାନ ପର୍ଯ୍ୟନ୍ତ ମହିଳାଙ୍କ ଭିଡ଼। ଫଳ ଦୋକାନରେ ମଧ୍ୟ ଗହଳି କିଛି କମ ନାହିଁ। ମାଳ ଆଡ଼ୁ ଆସୁଥିବା ଆମ୍ବ ଓ ପଣସର ପସରା ଜମିଛି। ହାତରେ ଆଉ ୩ ଦିନ ରହିଥିବା ବେଳେ ଝିଅ ଘରକୁ ଭାର ପଠାଇବା ପାଇଁ ବାପଘର ଲୋକେ ତତ୍ପର। ଦୁଇବର୍ଷ ଧରି କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ମନ୍ଦିର ଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଦ ରହିଥିଲା। ଚଳିତବର୍ଷକୁ ଏହି ପର୍ବକୁ ଧୁମ୍‌ଧାମ୍‌ର ସହ ପାଳନ କରିବାକୁ ସ‌ମସ୍ତେ ଆଗଭର ହୋଇଥିବା ବେଳ‌େ ଆକାଶଛୁଆଁ ଦରରେ ବ୍ୟାଗ ଭର୍ତ୍ତି କରିବା କଷ୍ଟକର ହୋଇପଡ଼ୁଛି।

ସାବିତ୍ରୀରେ ନୂଆ ଶାଢ଼ି ପିନ୍ଧି ମହିଳାମାନେ ଫଳମୂଳ ନେଇ ପୂଜା କରିବାର ବିଧି ରହିଛି। ତେଣୁ ଏନେଇ ଭଞ୍ଜନଗରରେ ଥିବା ଫଳ ଓ ଶାଢ଼ୀ ଦୋକାନରେ ଭିଡ଼ ଲାଗି ରହିଛି। ଏପଟେ ଚାହିଦାକୁ ଲକ୍ଷ୍ୟ ରଖି ଦୋକାନୀ ମାନେ ମଧ୍ୟ ଚଢ଼ା ଦର କଷୁଛନ୍ତି। ଆମ୍ବ କିଲୋ ୭୦, ତାଳ ୧୦ଟଙ୍କା, କଦଳୀ ଡଜନ ୫୦ରୁ ୭୦ ଟଙ୍କା ଓ ପଣସ ଗୋଟାକୁ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ କମଳା, ସେଓ, ସପୁରୀ, ଡାଳିମ୍ବ ଓ ଅଙ୍ଗୁର ଭଳି ଫଳ ମଧ୍ୟ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଫଳ ଦର ଦେଖି ଗ୍ରାହକ ଏକ ପ୍ରକାର ଛାନିଆ ହୋଇ ଥିଲେ ମଧ୍ୟ ସାବିତ୍ରୀ ସମୟରେ ଏଭଳି ଦର ହୁଏ ବୋଲି ମନକୁ ବୁଝାଇ ନେଇଥିଲେ। କିଛି ଉପାୟ ନପାଇ ଫଳ କିଣିବାକୁ ବାଧୢ। ପଣସ, ତାଳ ଓ ଖଜୁରୀ ପୂଜା ପାଇଁ ଆବଶ୍ୟକତା ରହୁଥିବାରୁ ବର୍ଷକୁ ଥ‌ରେ ଯେପରି ହେଲେ ନେବାକୁ ପଡୁଥିଲା। ବଜାରରେ ସକାଳୁ ଓ ସନ୍ଧ୍ୟା ସମୟରେ ଭିଡ଼ ଦେଖିବାକୁ ମିଳିଥିବା ‌ବେଳେ ଖରା ଯୋଗୁଁ ଦ୍ବିପ୍ରହର ସମୟ‌ରେ ଫାଙ୍କା ପଡ଼ିଥିଲା।

ସେହିପରି ସହରରେ ଥିବା ଶାଢ଼ି ଓ ଲେଡିଜ୍ କର୍ଣ୍ଣର ଦୋକାନରେ ଅସମ୍ଭାଳ ଭିଡ଼ ହେଉଛି। ମହିଳା ମାନେ ସାଙ୍ଗସାଥୀ ହୋଇ ଆସି ଶାଢ଼ି ଓ ପ୍ରସାଧନ ସାମଗ୍ରୀ କିଣୁଛନ୍ତି। ସକାଳେ ବଜାରରେ ଗହଳି ଲାଗି ରହିଥିଲା ବେଳେ ସନ୍ଧ୍ୟାରେ ସମୟରେ ପାଗରେ ପରିବର୍ତ୍ତନ ହେବାରୁ କିଣାବିକା ବି ଭଲ ଜମିଥିଲା। ଫଳ ବେପାରୀ ରଙ୍ଗବତୀଙ୍କ କହିବାନୁଯାୟୀ, ସାବିତ୍ରୀ ଆସିବା ପୂର୍ବରୁ ଫୁଲବାଣୀ ଆଡ଼ୁ ପଣସ ଓ ଆମ୍ବ ଆଣି ପାଖରେ ମହଜୁଦ ରଖୁଥିବା ‌ବେଳେ ଖଜୁରୀ ଓ ତାଳ ଆଖପାଖ କିଛି ଗ୍ରାମକୁ ଯାଇ ସଂଗ୍ରହ କରି ନେଇ ଆସିଥାଉ। ‌ଆମେ କିଣିବା ବେଳେ ଏହାର ଦର ଅଧିକା ରହୁଛି। ଆଉ ଏହି ସମୟରେ ଭଲ ଦିପଇସା ରୋଜଗାର ପାଇଁ ହିଁ ବିକ୍ରି କରୁଛୁ। ଆଉ ଦୁଇ ଦିନ ହିଁ ବିକ୍ରି କରିବୁ କିନ୍ତୁ ଏଥର ଖରା ଯୋଗୁଁ ଦିନ ସମୟରେ ଗରାଖଙ୍କ ଦେଖା ମିଳୁ ନଥିବା ବେଳେ ସକାଳୁ ଓ ସନ୍ଧ୍ୟାରେ ଅଧିକା ବେପାର ହେଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର