୨ ଦିନ ପରେ କମିବ ଶୀତ

ଭୁବନେଶ୍ବର: ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ପାରଦ ନିମ୍ନଗାମୀ ହୋଇ ଶୀତ ବଢ଼ିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଉ ବିଶେଷ ତାପମାତ୍ରା କମିବାର ସମ୍ଭାବନା ନାହିଁ। କିନ୍ତୁ ୨ ଦିନ ପରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ଓ ଶୀତ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଆସନ୍ତାକାଲି ରାଜ୍ୟର ୬ଟି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତାକାଲି ସକାଳୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିପାରେ। ଏଣୁ ଏସବୁ ଜିଲ୍ଲା ପାଇଁ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିଥିବା ବେଳେ ତେକେ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ସୋନପୁର ଓ ପାରଳାଖେମୁଣ୍ଡିରେ ଘନ କୁହୁଡ଼ି ପଡ଼ିଥିଲା। ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ କେନ୍ଦୁଝରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ମଧ୍ୟ ୯ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ଝାରସୁଗୁଡ଼ାରେ ୯.୮ ଡିଗ୍ରି ଓ ଫଲବାଣୀଠାରେ ୧୦ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଆସନ୍ତା ୨ ଦିନ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ୨୦ ତାରିଖ ରାତିରୁ ଥଣ୍ଡା ଧୀରେ ଧୀରେ କମିବ।

ସମ୍ବନ୍ଧିତ ଖବର