ବାଲେଶ୍ବର: ଦୁଇ ଦଶନ୍ଧି ପରେ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ପାଣିଗ୍ରାହୀ ପରିବାର ହାତରୁ ବିଜେଡି ଟିକେଟ୍‌ କଟିଛି। ଏଠାରେ ଦଳରୁ ପ୍ରମୁଖ ଆଶାୟୀ ଥିବା ଶଶୀକୁମାର ସାହୁଙ୍କ ପତ୍ନୀ ସୁବାସିନୀ ସାହୁ (୪୯)ଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେଡି। ରାଜନୀତି ମଇଦାନରେ ସୁବାସିନୀ ନୂଆ ଚେହେରା ହୋଇଥିଲେ ମଧ୍ୟ ଖଇରା ଓ ସିମୁଳିଆ ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ ଜଡ଼ିତ। ଏଠାରୁ ପ୍ରାର୍ଥୀ ହେବା ପାଇଁ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସମାଜସେବୀ ଶଶୀକୁମାର ସାହୁଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ବେଳେ ଦଳ ପ୍ରାର୍ଥୀ ଘୋଷଣା କରିପାରିନଥିଲା। ଶେଷରେ ଦୁଇଜଣଙ୍କ କଳିରେ ତୃତୀୟ ପକ୍ଷର ଲାଭ ନୀତିରେ ସୁବାସିନୀଙ୍କୁ ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ହେଉଛି।

Advertisment

ବିଜେପି ଏହି ଆସନରେ ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ୍‌ ନେତା ପଦ୍ମଲୋଚନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଖଇରାର ଯୁବନେତା ହିମାଂଶୁ ଶେଖର ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଆଜି ପର୍ଯ୍ୟନ୍ତ ଏହି ନିର୍ବାଚନମଣ୍ଡଳୀରେ କୌଣସି ଦଳ ଖଇରା ଅଞ୍ଚଳରୁ କାହାକୁ ପ୍ରାର୍ଥୀ କରିନାହାନ୍ତି। ତେବେ କଂଗ୍ରେସ ଏଥର ହିମାଂଶୁଙ୍କୁ ପ୍ରାର୍ଥୀ କରି ଜନମତ ପରିବର୍ତ୍ତନର ଆଶା ରଖିଛି। ୨୦୦୦ ଓ ୨୦୦୯ରେ ପର୍ଶୁରାମ ପାଣିଗ୍ରାହୀ ଏଠାରୁ ବିଜେଡି ଟିକେଟ୍‌ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ରେ ପୁଅ ଜ୍ୟୋତିପ୍ରକାଶଙ୍କ ପାଇଁ ବାଟ ଛାଡ଼ିଥିଲେ ପର୍ଶୁରାମ। ଜ୍ୟୋତିପ୍ରକାଶ ମଧ୍ୟ ୨୦୧୪ ଓ ୨୦୧୯, ଦୁଇଟି ଯାକ ନିର୍ବାଚନରେ ବାଜିମାତ କରି ଦୁଇଥର ବିଧାୟକ ହୋଇଛନ୍ତି। ଏଥର ସେ ହ୍ୟାଟ୍ରିକ୍ ବିଜୟ ଆଶାରେ ଥିବା ବେଳେ କଣ୍ଟା ହୋଇଥିଲେ ଦଳର ଅନ୍ୟତମ ଟାଣୁଆ ନେତା ଶଶୀକୁମାର ସାହୁ ଓ ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗଣେଶ ପ୍ରସାଦ ମହାପାତ୍ର।

ନିଜ ନିଜ ସମର୍ଥକଙ୍କୁ ନେଇ ଏହି ୩ ନେତା ବିଭିନ୍ନ ସମୟରେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ। ହେଲେ ଦଳର ସୁପ୍ରିମୋ ସୁବାସିନୀଙ୍କ ଉପରେ ଭରସା କରି ସବୁ ଉତ୍କଣ୍ଠାର ଅନ୍ତ ଘଟାଇଛନ୍ତି। ନିଜ ପ୍ରାର୍ଥିତ୍ବ ସଂପର୍କରେ ଶ୍ରୀମତୀ ସାହୁ କହିଛନ୍ତି, ମୋ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ରହିବ ବୋଲି କେବେ ଭାବି ନ ଥିଲି। ସ୍ବାମୀଙ୍କ ସହ ମିଶି ଖଇରା-ସିମୁଳିଆ ଅଞ୍ଚଳର ବିଭିନ୍ନ ଜନହିତକର କାର୍ଯ୍ୟରେ ସାମିଲ ରହିଛି। ଏବେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ନେଇ ଜନସାଧାରଣଙ୍କ ପାଖକୁ ଯିବି। ନିର୍ବାଚନମଣ୍ଡଳୀରେ ରହିଥିବା ଅଧୁରା କାମକୁ ସଂପୂର୍ଣ୍ଣ କରିବା ପାଇଁ ସବୁପ୍ରକାର ପ୍ରୟାସ କରିବି।