୨ ବର୍ଷ ପରେ ସହରରେ ଗଡ଼ିବ ରଥ, ଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନର ନିବେଦନ

ରାଉରକେଲା: ମହାମାରୀ କରୋନା ଯୋଗୁ ଦୁଇ ବର୍ଷ ପରେ ଗଡିବ ମହାପ୍ରଭୁଙ୍କ ରଥ। ଆସନ୍ତା ଜୁଲାଇ ୧ରେ ହଜାର ହଜାର ଭକ୍ତଙ୍କ ଗହଳିରେ ଗୁଣ୍ଡିଚା ମନ୍ଦିର ଯିବେ ତିନି ଠାକୁର। ସ୍ମାର୍ଟସିଟି ରାଉରକେଲାରେ ରଥଯାତ୍ରାଙ୍କୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦିତନଗରସ୍ଥ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋ,  ପାନପୋଷ ଉପଜିଲ୍ଳାପାଳ ଦୌଲତ ଚନ୍ଦ୍ରାକାର, ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀଙ୍କ ସମେତ ପୁଲିସର ବହୁ ପରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।  ଏମାନଙ୍କ ସହ ବିଜୁଳି ବିଭାଗ, ପୂର୍ତ୍ତ ବିଭାଗ,  ଜନସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ରାଉରକେଲା ଓ ଏହାର ଆଖପାଖର  ୪୦ରୁ ଅଧିକ  ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି, ସମ୍ପାଦକ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସହରର ରାସ୍ତାଘାଟ ମରାମତି, ବିଜୁଳି ସହ ଅନ୍ୟାନ୍ୟ ପ୍ରମୁଖ ସମସ୍ୟା ସଂକ୍ରାନ୍ତରେ ଜଗନ୍ନାଥ ମନ୍ଦିର କମିଟିର କର୍ମକର୍ତ୍ତାମାନେ ନିଜର ନିଜ ମତ ରଖିଥିଲେ। ପ୍ରାଥମିକତା ଭିତ୍ତିରେ ଏସବୁ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସହରର ସେକ୍ଟର-୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିର, ଉଦିତନଗର ପଞ୍ଚଦେବ ମନ୍ଦିର, ତାରିଣୀ ମନ୍ଦିର, ପ୍ଲାଣ୍ଟସାଇଟ୍‌, ପାନପୋଷ, ହନୁମାନ ବାଟିକା,  କୋଏଲନଗର ଏ ଓ ସି ବ୍ଲକ ଜଗନ୍ନାଥ ମନ୍ଦିର, ଛେଣ୍ଡ ଦେବ ବିହାର, ‌ଛେଣ୍ଡ ଏଲ୍‌ସିଆର୍‌ ବ୍ଲକ, ତରକେରା, ଝିରପାଣି, ଫର୍ଟିଲାଇଜର, ଜଲଦା, ସେକ୍ଟର-୬ ଏଚ୍‌ ବ୍ଲକ, ବାସନ୍ତୀକଲୋନି ଆଦି ୪୦ରୁ ଅଧିକ ଜଗନ୍ନାଥ ମନ୍ଦିର କର୍ମକର୍ତ୍ତା ବିପର୍ଯ୍ୟସ୍ତ ରାସ୍ତାଘାଟ ସଂକ୍ରାନ୍ତରେ କହିଥିଲେ।

ବିପଦସଙ୍କୁଳ  ସ୍ଥିତି‌ରେ ଝୁଲିଥିବା ବିଜୁଳି ତାରକୁ ଠିକ୍‌ କରିବାକୁ ବିଭାଗୀୟ ଅଧିକାରୀଙ୍କ ଦୃ୍ଷ୍ଟି ଆକର୍ଷଣ କରିଥିଲେ। ରଥ ଯାଉଥିବା ରାସ୍ତା ଦୁଇ ପାର୍ଶ୍ବର ଗଛ ଡାଳଗୁଡ଼ିକ କାଟିବା ସହ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବାକୁ କହିଥିଲେ। ଏସ୍‌ପି ଓ ଅତିରିକ୍ତ ଜିଲ୍ଲାପାଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯିବାକୁ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କୁ ଆଶ୍ବାସନା ଦେଇଥିଲେ। ବୈଠକରେ ଇଣ୍ଟିଗ୍ରେସନ୍‌ର ଫୋରମ୍‌ର କର୍ମକର୍ତ୍ତା ନିଜର ମତ ରଖିଥିଲେ। ସହରର ବିଭନ୍ନ ଜଗନ୍ନାଥ ଓ ଗୁଣ୍ଡିଚା  ମନ୍ଦିର କମିଟିର ଗିରିଜା ଶଙ୍କର ଦ୍ବିବେଦୀ, ଦେବବ୍ରତ ବିହାରି, ବିଜୟ ପ୍ରଧାନ, ବ୍ରିଜମୋହନ ଅଗ୍ରୱାଲ, ସୋନାକର ନାୟକ, ଆନନ୍ଦ ଚନ୍ଦ୍ର ମହାନ୍ତି, ପ୍ରମୋଦ ପ୍ରଧାନ, ରମାକାନ୍ତ ବିଶ୍ବାଳ, ବଟକୃଷ୍ଣ, ମୁନ୍ନା  ବିଲାଲ୍‌, ଆଫ୍ରୋଜ ଅହମ୍ମଦ,ହରିହର ରାଉତରାୟ, ଜେଣ୍ଟଲ  ପରିଡା, ନହରହରି ଖାଡଙ୍ଗାଙ୍କ ସମେତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର