ମହାବାତ୍ୟାର ୨୦ ବର୍ଷ ପରେ ବି ବଦଳିନି ଭାଗ୍ୟ; ବ‌ଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ପ୍ରଳୟ, ବନ୍ୟା ଓ ସୁଲୋଚନା

ଜଗତସିଂହପୁର: ମହାବାତ୍ୟାରେ ଧ୍ବସ୍ତବିଧ୍ବସ୍ତ ଏରସମାର ଅବସ୍ଥା ଧୀରେଧୀରେ ସୁଧୁରିବାରେ ଲାଗିଛି। ମାତ୍ର ଏହି ମହାବାତ୍ୟା ଦିନ ଜନ୍ମ ନେଇଥିବା ଦୁଇ ଶିଶୁ ଏବେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। କେତେ ସରକାରୀ ଯୋଜନା ଓ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇଛି। ମାତ୍ର ଏରସମା ବ୍ଲକ୍ ଅନ୍ତର୍ଗତ ହାତିଆପାଳ ଗାଁରେ ମହାବାତ୍ୟାରେ ଜନ୍ମଗ୍ରହଣ କରିଥିବା ପ୍ରଳୟ ଏବେ ପେଟ ପୋଷିବା ପାଇଁ ଟ୍ରକ୍ ହେଲ୍‌ପର ଭାବେ କାର୍ଯ୍ୟ କରୁଥିବାବେଳେ ପୂର୍ବପଡ଼ା ଗାଁର ବନ୍ୟା ବହୁ କଷ୍ଟରେ ବିବାହ କରିଛନ୍ତି। ଆଉ ୨୦ ବର୍ଷ ହେଲା ଗଡ଼ବିଷ୍ଣୁପୁର ଗାଁର ସୁଲୋଚନା ବେହେରା ଏବେ ବି ମହାବାତ୍ୟା ସହାୟତା ଅପେକ୍ଷାରେ ରହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏରସମାରେ ଯେତେବେଳେ ମହାବାତ୍ୟା ତାଣ୍ତବ ରଚିଥିଲା, ସେତେବେଳେ ହାତିଆପାଳ ଗାଁର ବାବୁଲି ଭୂୟାଁଙ୍କ ପତ୍ନୀ କୁନିଲତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମହାବାତ୍ୟାର କରାଳ ରୂପକୁ ଦୃଷ୍ଟିରେ ରଖି ପୁଅର ନାଁ ରଖିଥିଲେ ପ୍ରଳୟ। ଏହି ଗାଁର ୨୫୦ରୁ ଅଧିକ ଲୋକଙ୍କୁ ସମୁଦ୍ର ଜୁଆର ଭସାଇ ନେଇଥିଲା ବେଳେ ପ୍ରଳୟଙ୍କ ପରିବାର କିନ୍ତୁ ସେଥିରୁ ବର୍ତ୍ତି ଯାଇଥିଲେ। ମାତ୍ର ବର୍ତ୍ତମାନ ଏହାଠାରୁ ବଡ଼ ବିପଦକୁ ସାମ୍ନା କରିବାକୁ ପଡ଼ୁଛି ବୋଲି କୁହନ୍ତି ପ୍ରଳୟ। ତାଙ୍କ କହିବା ଅନୁଯାୟୀ, ସେତେବେଳେ ମହାବାତ୍ୟା କବଳରୁ ବ‌ଞ୍ଚିଯାଇଥିବାରୁ ନିଜକୁ ସେ ଭାଗ୍ୟବାନ ବୋଲି ମନେ କରୁଥିଲେ। ମାତ୍ର ବର୍ତ୍ତମାନ ପେଟ ପୋଷିବା ପାଇଁ ପ୍ରତ୍ୟେକ ଦିନ ସଂଘର୍ଷ କରିବାକୁ ପଡ଼ୁଛି। ବାଧ୍ୟହୋଇ ସେ ଏକ ଟ୍ରକ୍‌ରେ ହେଲ୍‌ପର ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହ ବର୍ତ୍ତମାନ ମଧ୍ୟ ହାତିଆପାଳ ଗ୍ରାମବାସୀ ମୌଳିକ ସେବା ପାଇବାରୁ ବ‌ଞ୍ଚିତ ଅଛନ୍ତି। ଗାଁକୁ ଭଲ ରାସ୍ତା ନ ଥିବାବେଳେ ପିଇବା ପାଣିର ମଧ୍ୟ ସମସ୍ୟା ରହିଛି। କେବଳ ପ୍ରଳୟ ନୁହନ୍ତି, ଏହି ମହାବାତ୍ୟାରୁ ବର୍ତ୍ତି ଯାଇଥିବା ଶତାଧିକ ଲୋକ ଏବେ ପେଟ ଚାଖଣ୍ତକ ପାଇଁ ସଂଘର୍ଷ କରୁଛନ୍ତି।

ପୂର୍ବପଡ଼ା ଗାଁରେ ଏହି ସମୟରେ ଝାଡ଼ୁ ବ୍ରହ୍ମାଙ୍କ ପତ୍ନୀ ରୀତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତା’ର ନାଁ ରଖାଯାଇଥିଲା ବନ୍ୟା। କନ୍ୟା ସନ୍ତାନକୁ ଜନ୍ମ ଦେବାର କିଛି ସମୟ ପରେ ସମୁଦ୍ର ଜୁଆର ଆସିଥିଲା। ମାତ୍ର ରୀତା ନିଜ ନବଜାତକ କନ୍ୟାକୁ ସାଥୀରେ ଧରି ବ‌ଞ୍ଚି ଯାଇଥିଲେ। ଏହି ମହାବାତ୍ୟାରେ ନିଜର ସର୍ବସ୍ବ ହରାଇଥିବା ରୀତା ବହୁକଷ୍ଟରେ ବନ୍ୟାଙ୍କୁ ବଢ଼ାଇବା ସହ ବିବାହ କରାଇଛନ୍ତି। ମାତ୍ର ଘରେ ଏକୁଟିଆ ଥିବା ରୀତାଙ୍କୁ ଦେଖିବା ପାଇଁ ବନ୍ୟା ବହୁଥର ଗାଁକୁ ଆସନ୍ତି। ମହାବାତ୍ୟାର ୨୦ ବର୍ଷ ପରେ ମଧ୍ୟ ଆମେ ରାଜ୍ୟ ସରକାରଙ୍କଠାରୁ କୌଣସି ସୁବିଧା ସୁଯୋଗ ପାଇ ନାହୁଁ ବୋଲି ବନ୍ୟା କହିଛନ୍ତି। ସେହିପରି ପାରାଦୀପ ଷଣ୍ଢକୁଦ ବସ୍ତିରେ ଏହି ଦିନ ରାଜାରାମ ନାମକ ଜଣେ ଶିଶୁ ଜନ୍ମ ନେଇଥିଲେ। ତାଙ୍କ ପରିବାରର ରୋଜଗାରର ଏକମାତ୍ର ମାଧ୍ୟମ ମାଛ ଧରା ଡଙ୍ଗା ଏହି ମହାବାତ୍ୟାରେ ଭାସି ଯାଇଥିଲା। ତାଙ୍କୁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ସମସ୍ତ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨୦ ବର୍ଷ ପରେ ବି କୌଣସି ପ୍ରକାର ସୁବିଧା ସୁଯୋଗ ମିଳି ନାହିଁ ତାଙ୍କୁ। ଫଳରେ ବାଧ୍ୟ ହୋଇ ବସ୍ତିରେ ଏକ ପାନ ଦୋକାନ କରି ପରିବାର ପୋଷୁଛନ୍ତି ରାଜାରାମ।

ସେହିପରି, ଗଡ଼ବିଷ୍ଣୁପୁର ପଞ୍ଚାୟତ ଖଟି କୋରଡ଼ା ଗାଁର ସୁଲୋଚନା ବେହେରାଙ୍କର ମହାବାତ୍ୟାରେ ସର୍ବସ୍ବ ଭାସିଯାଇଥିଲା। ଏମିତିକି ତାଙ୍କ ୧୯ ବର୍ଷର ଝିଅକୁ ମଧ୍ୟ ସମୁଦ୍ର ଜୁଆର ଛାଡ଼ି ନଥିଲା। ବାତ୍ୟାର କିଛି ଦିନ ପରେ ସୁଲୋଚନା ତାଙ୍କ ସ୍ବାମୀଙ୍କୁ ହରାଇଥିଲେ। ବର୍ତ୍ତମାନ ସେ ତାଙ୍କର ଜଣେ ବେରୋଜଗାରିଆ ପୁଅ ସହ ଜୀବନ ଅତିବାହିତ କରୁଛନ୍ତି। ମାତ୍ର ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା ରାଶି ମିଳିନାହିଁ। ରାଜ୍ୟ ସରକାରଙ୍କ ସହାୟତାରୁ ବ‌ଞ୍ଚିତ ଶତାଧିକ କ୍ଷତିଗ୍ରସ୍ତ ହାଇକୋର୍ଟରେ ମାମଲା ରୁଜୁ କରି ସହାୟତା ରାଶି ପାଇଥିଲେ। ମାତ୍ର ବିଧବା ସୁଲୋଚନାଙ୍କ ନିକଟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପିଟିସନ ଦାଖଲ କରିବା ପାଇଁ ସମ୍ବଳ ମଧ୍ୟ ନାହିଁ। ଏଣୁ ମହାବାତ୍ୟା ଦୁଃଖ ଠାରୁ ବର୍ତ୍ତମାନର ଦୁଃଖ ବଳିପଡ଼ିଛି। ସେମାନଙ୍କ ପାଇଁ ଏବେ ବ‌ଞ୍ଚିବା ମୁସ୍କିଲ ହୋଇପଡ଼ିଛି।

ସମ୍ବନ୍ଧିତ ଖବର