ବାଲେଶ୍ବର: ରାଜ୍ୟସ୍ତରୀୟ ସିନିଅର ହକି ଚାମ୍ପିଅନସିପ୍ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବାଲେଶ୍ବରର ୧୭ ଜଣିଆ ଟିମ୍ ରବିବାର ଅପରାହ୍ନରେ ଭୁବନେଶ୍ବର ଯାତ୍ରା କରିଛନ୍ତି। ଦୀର୍ଘ ୨୦ ବର୍ଷ ପରେ ବାଲେଶ୍ବର ଜିଲ୍ଲାର ହକି ଟିମ୍ ଅଂଶଗ୍ରହଣ କରିବାକୁ ଯାଉଛି। ଏହି ୧୭ ଜଣିଆ ଟିମ୍ ଭିତରେ ୧୫ ଜଣ ଖେଳାଳି ଓ ଦୁଇଜଣ ଅଫିସିଆଲ ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦଳକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଆଜି ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଏହି ଟିମ୍କୁ ଅଭିନନ୍ଦନ ଜଣାଇବା ସହିତ ସଫଳ କାମନା କରିଥିଲେ। ସୋମବାର ଏହି ଖେଳାଳି ପଞ୍ଜୀକରଣ କରିବା ପରେ କିଟ୍ ଓ କଳିଙ୍ଗ ଷ୍ଟାଡିୟମ୍ରେ ଖେଳ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।
ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ପରେ ବାଲେଶ୍ବରରୁ ହକି ଟିମ୍ ଭାଗ ନେବାକୁ ଯାଉଥିବା ବେଳେ ଏହାକୁ ନେଇ ସାଧାରଣରେ ଖୁସି ପ୍ରକାଶ ପାଇଛି। ୨୦ ବର୍ଷ ତଳେ ଜିଲ୍ଲା କ୍ରୀଡ଼ା ସଂଘ ତରଫରୁ ୨/୩ ଥର ଟିମ୍ ପଠାଯାଇଥିଲା। ଏହି ଟିମ୍ କଟକ ବାରବାଟୀ ଷ୍ଟାଡିୟମ୍ରେ ଖେଳିବା ସହିତ ଅନ୍ୟ ସ୍ଥାନରେ ଖେଳିଥିଲେ। ହେଲେ ଟିମକୁ ସଫଳତା ମିଳିନଥିଲା। ବର୍ତ୍ତମାନ ବାଲେଶ୍ବର ଜିଲ୍ଲା ହକି ଆସୋସିଏସନ୍ ପକ୍ଷରୁ ଦକ୍ଷ ସିନିଅର ଟିମ୍କୁ ପଠାଯାଇଛି। ତେଣୁ ୨୦ ବର୍ଷ ପରେ ହକି ଇତିହାସରେ ନିଜ ନାମ ଯୋଡ଼ିବାକୁ ଯାଉଛି ବାଲେଶ୍ବର।
ସୂଚନା ଥାଉକି, ବାଲେଶ୍ବର ଜିଲ୍ଲା ଖେଳ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଇତିହାସ ଯୋଡ଼ିବାରେ ସଫଳ ହୋଇଛି। ନିକଟରେ ଓଡ଼ିଶାର ଜଗରନଟ୍ ଦଳ ଅଲ୍ଟିମେଟ୍ ଖୋ-ଖୋ(ସିଜିନ୍-୧) ପ୍ରତିଯୋଗିତାରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଯୋଦ୍ଧାକୁ ହରାଇ ଚାମ୍ପିଅନ୍ ହୋଇଛି। ଓଡ଼ିଶା ଜଗରନଟ୍ ଦଳରେ ସ୍ଥାନ ପାଇଥିବା ୬ ଜଣ ଓଡ଼ିଆ ଖେଳାଳିଙ୍କ ମଧ୍ୟରୁ ବାଲେଶ୍ବରରୁ ୪ ଜଣ ଖେଳାଳି ସ୍ଥାନ ପାଇ ନିଜର ଦମ୍ଦାର ପ୍ରଦର୍ଶନ କରିଥିଲେ। ଆଗାମୀ ଦିନରେ ଏହି ହକି ଟିମ୍ ସଫଳତା ହାସଲ କରିବେ ବୋଲି ଆଶା ପ୍ରକାଶ ପାଇଛି।