ବାଲେଶ୍ବର: ମାଟ୍ରିକ ପରୀକ୍ଷା ସରିବାର ୨୧ ଦିନ ପରେ ଅର୍ଥାତ୍‌ ଏପ୍ରିଲ ପରୀକ୍ଷାର୍ଥୀଙ୍କ ଠାରୁ ଉତ୍ତରଖାତା ଉଦ୍ଧାର ହୋଇ ପୁଣି ମୂଲ୍ୟାୟନ କେନ୍ଦ୍ରକୁ ଯିବା ଘଟଣାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାର ଅବ୍ୟବସ୍ଥା ସାମ୍‌ନାକୁ ଆସିଛି। ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ି ପଞ୍ଚାୟତରେ ଥିବା ଦାମୋଦର ସରକାରୀ ହାଇସ୍କୁଲରେ ଘଟିଥିବା ଏହି ଘଟଣା ସାମ୍‌ନାକୁ ଆସିବାର ଇତିମଧ୍ୟରେ ୨ ସପ୍ତାହ ବିତି ଯାଇଥିବାବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏନେଇ ଜିଲ୍ଲା ଶିକ୍ଷା ବିଭାଗ ରିପୋର୍ଟ ସଂଗ୍ରହ କରିବା ପରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

Advertisment

୧୮ ତାରିଖ ଦିନ ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ୧୯ ତାରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ନିଜ ପ୍ରତିକ୍ରିୟା ରଖି କହିଥିଲେ ଏହି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଯଦି ସେପରି କିଛି ଘଟିଥାଏ, ତାହେଲେ ଘଟଣାର ବିଭାଗୀୟ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରଦିନ ଡିଇଓଙ୍କ ନିର୍ଦ୍ଦେଶରେ ସିମୁଳିଆ ବିଇଓଙ୍କ ଦ୍ବାରା ୩ ଜଣିଆ ଟିମ୍‌ ଗଠନ କରାଯାଇ ଉକ୍ତ ଘଟଣାର ରିପୋର୍ଟ ସଂଗ୍ରହ କରିବାକୁ କୁହାଯାଇଥିଲା। ଉକ୍ତ ୩ ଜଣିଆ ଟିମ୍‌ ସିମୁଳିଆ ଜାମୁଝାଡ଼ି ସ୍ଥିତ ଦାମୋଦର ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଉକ୍ତ ସେଣ୍ଟର ଦାୟିତ୍ବରେ ଥିବା ସୁପରିନ୍‌ଟେଣ୍ଡେଟ୍‌, ଉତ୍ତରଖାତା ରଖିଥିବା ସମ୍ପୃକ୍ତ ପରୀକ୍ଷାର୍ଥୀ ଏବଂ ତାଙ୍କଠାରୁ ୨୧ ଦିନ ପରେ ଯାଇଥିବା ତାଙ୍କ ହାଇସ୍କୁଲର ଦୁଇଶିକ୍ଷକଙ୍କୁ ପଚରାଉଚୁରା କରିଥିଲେ।

ତେବେ ଏହି ରିପୋର୍ଟ ସିମୁଳିଆ ବିଇଓଙ୍କୁ ଦେବା ପରେ ସେଠାରେ ସେ ମଧ୍ୟ ପ୍ରତ୍ୟକ୍ଷ ଭାବେ ନିଜେ ସେ ସ୍ଥାନକୁ ଯାଇ ସେହିମାନଙ୍କୁ ପଚରାଉଚୁରା କରି ରିପୋର୍ଟ ଆଣିଥିଲେ। ପରେ ବିଇଓ ତାଙ୍କ ରିପୋର୍ଟ ଏବଂ ତିନିଜଣିଆ ଟିମ୍‌ର ରିପୋର୍ଟକୁ ମିଶାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେଇଥିବା ଜଣାପଡ଼ିଛି। ସେହିପରି ଡିଇଓ ଶ୍ରୀ ସୂତାର ଏହି ରିପୋର୍ଟକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ପଠାଯାଇଛି। ଯଦିଓ ଏ ସମ୍ପର୍କରେ ଡିଇଓଙ୍କ ତରଫରୁ କିଛି ପ୍ରତିକ୍ରିୟା ମିଳିପାରିନି, ତେବେ ଘଟଣା ବହୁତ ସମ୍ବେଦନଶୀଳ ଏବଂ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି।